ସରକାରୀ ସହାୟତାକୁ ଚାତକ ପରି ଚାହିଁ ବସିଛନ୍ତି ଏହି ଅସହାୟ ପରିବାର, ଦୁଃଖ ଶୁଣିଲେ ଛାତି ଫାଟିଯିବ

କାଲିମେଳା(କେନ୍ୟୁଜ୍): ଜୀବନର ଚଲାପଥରେ ଅନେକ ସମସ୍ଯା ସାମ୍ନା କରିବାକୁ ପଡିଥାଏ । ମଣିଷ ଜୀବନରେ କେତେବେଳେ କଣ ଘଟିବ କହିବା ମୁସ୍କିଲ । ପରିସ୍ଥିତି ଆଣି କେଉଁଠୁ କେଉଁଠି ଠିଆ କରିବ କିଏ ବା କହିବ। ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଏମ୍‌. ଭି-୯୦ ଗ୍ରାମରେ ଏମିତି ଏକ ପରିବାର ଅଛି ଯାହାର କରୁଣ ଚିତ୍ର ଦେଖିଲେ ଛାତି ଥରି ଉଠିବ। ଏହି ପରିବାର କେବେବି ଭାବିନଥିଲା ଏମିତି ବି ଏକ ଦିନ ଆସିବ ବୋଲି। ଆଜିକୁ ଦଶ ବର୍ଷ ପୂର୍ବେ  ପୂର୍ଣ୍ଣିମା ଚକ୍ରବର୍ତ୍ତୀ ନିଆଁରେ ପୋଡି ହୋଇ ବିକଳାଙ୍ଗ ପାଲଟିଯାଇଛନ୍ତି । ପରେ ପରେ ପାଞ୍ଚ ବର୍ଷ ପୂର୍ବେ ସ୍ୱାମୀ ରାଖେଲ ସରକାର ପାରାଲାଇସେସ ଆକ୍ରାନ୍ତ ହେଲେ।  ଏକ ଛୋଟ ଘରେ ଚଳନ୍ତି ଚାରି ପ୍ରାଣୀ କୁଟୁମ୍ବ। ସେଇଠି ରୋଷେଇ କରିବା , ସେଇଠି ଖାଇବା ,ସେଇଠି ଶୋଇବା । ସବୁ କିଛି ସେହି ଘରେ । ଆଜି ପର୍ଯ୍ଯନ୍ତ ବିଦ୍ୟୁତ୍ କଣ ଏମାନେ ଜାଣନ୍ତି ନି। ଡିବିରି ଆଲୁଅରେ ଦିନ କାଟୁଛନ୍ତି।

ରାଖେଲ ସରକାର ଓ ପୂର୍ଣ୍ଣିମା ଚକ୍ରବର୍ତ୍ତୀଙ୍କର ଦୁଇ ସନ୍ତାନ । ବଡ ପୁଅ ରୋହିତ ଏବେ ୭ ବର୍ଷର, ଦ୍ବିତୀୟ ରବିନକୁ ୫ବର୍ଷ । ଏମାନଙ୍କୁ ଦେଖିଲେ ସତରେ ଆପଣଙ୍କ ଆଖିରେ ଲୁହ ଝରି ଆସିବ। ସୁନ୍ଦର ଚେହେରା କହଁଳ ବୟସ । ହେଲେ ବିଧାତା ସାଥ୍ ଦେଲାନି । ଏହି ଦୁହେଁ ଜନ୍ମରୁ ମାନସିକ ରୋଗାଗ୍ରସ୍ତ । ଖେଳିବା ବୁଲିବା ବୟସରେ ଏମାନଙ୍କ ଉପରେ ଚାଲିଆସିଛି ଦୁଃଖର ପାହାଡ । ମା ପୂର୍ଣ୍ଣିମା ମଧ୍ୟ ବିକଳାଙ୍ଗ। ତଥାପି ମାଆର ପ୍ରେମ ଅତୁଳନୀୟ। ନିଜେ ବିକଳାଙ୍ଗ ହେଲେ ମଧ୍ଯ ଦୁଇ ସନ୍ତାନ ଓ ସ୍ବାମୀଙ୍କର ସବୁ ଯତ୍ନ ନେହୁଛନ୍ତି ପୂର୍ଣ୍ଣିମା । ସ୍ବାମୀ ମଧ୍ଯ ପୂର୍ଣ୍ଣିମାଙ୍କୁ ଘର କାମରେ ଯେତିକି ପାରନ୍ତି ସାହାଯ୍ଯ କରନ୍ତି। ପୂର୍ଣ୍ଣିମାଙ୍କ ମୁଣ୍ଡ ଉପରେ ବଡ ଦାୟିତ୍ୱ। ସବୁ କାମକୁ ବେଶ ଆପଣାଇ ନେଇଛନ୍ତି ସେ।

ସ୍ବାମୀଙ୍କ ଯତ୍ନ ନେବା, ପିଲାଙ୍କୁ ଖୁଆଇଦେବା, ଗାଧୋଇଦେବା, ଝାଡୁ କରିବା, ଜଙ୍ଗଲରୁ କାଠ ଆଣି ହାଣିବା ସବୁ କାମକୁ ବେଶ ଆଗ୍ରହ ଭାବେ କରିଥାନ୍ତି ପୂର୍ଣ୍ଣିମା। ଏପରିକି ଗ୍ରାମର କିଛି ଲୋକଙ୍କ ଘରେ ବାସନ ମାଜି, ଝାଡୁ କରି ଯେଉଁ ପଇସା ପାଇଥାନ୍ତି ସେହି ପଇସାରେ ପରିବାର ଚଳିଥାଏ। ହେଲେ  ଦୁଇ ରୋଗାଗ୍ରସ୍ତ  ମାନସିକ ସନ୍ତାନ  ଓ ସ୍ବାମୀଙ୍କୁ କୁ ନେଇ ଚିନ୍ତିତ ପୂର୍ଣ୍ଣିମା । ହେଲେ ତାଙ୍କ ଦୁଃଖ ବୁଝିବାକୁ କେହି ନାହାନ୍ତି। ଆଗକୁ ଦୁଇ ସନ୍ତାନ ମାନସିକ ରୋଗାଗ୍ରସ୍ତରୁ କେବେ ଠିକ ହେବେ, ତାଙ୍କର ଶିକ୍ଷା ଦାନ କେମିତି ହେବ ସେହି ଚିନ୍ତା ମାଡି ବସିଛି । ସରକାରୀ ସହାୟତା କହିଲେ କେବଳ ମିଳୁଛି PDS ଚାଉଳ ଓ ଭତ୍ତା ବାବଦକୁ ୫୦୦ ଟଙ୍କା । ଏହି ସବୁ ଦୃଶ୍ଯ ଆମ କ୍ଯାମେରାରେ କଏଦ ହେଲା ପରେ ଆମେ ପହଞ୍ଚିଥିଲୁ କାଲିମେଳା ତହସିଲଦାରଙ୍କ ଠାରେ । ସିଏ ବିଜୁ ପକ୍କା ଘର, ପିଲାଙ୍କ ପାଠପଢା ଓ ସ୍ବାସ୍ଥ୍ୟ ଚିକିତ୍ସା କରାଯିବ କହିଛନ୍ତି । ଅନ୍ଯପଟେ ଅତିଶୀଘ୍ର ସାହାର୍ଯ୍ଯ କରିବାକୁ କହିଛନ୍ତି ବୁଦ୍ଧିଜୀବୀ ।

ଅଭାବୀ ସାଙ୍ଗକୁ ଅସହାୟ ହୋଇପଡିଥିବା ଏହି ଚାରି ପ୍ରାଣୀ କୁଟୁମ୍ବ ଏବେ ସାହାଯ୍ଯ ଅପେକ୍ଷାରେ।  ପ୍ରଶାସନ କି ଜନପ୍ରତିନିଧି କାହାର ବି ଦେଖାନାହିଁ କି ଏଥିପ୍ରତି ନିଘା ନାହିଁ । ଭଗବାନଙ୍କୁ ବି ଏମାନଙ୍କ ଉପରେ ଦୃଷ୍ଟି ନାହିଁ । ସରକାରଙ୍କ ମାଳ ମାଳ ଯୋଜନା ସତ୍ୱେ ଏମାନଙ୍କୁ ଏହା ଛୁଇଁ ନପାରିବା ବିଡମ୍ବନାର ବିଷୟ। ଏମାନଙ୍କୁ ସରକାରୀ ସାହାଯ୍ଯ ଏକାନ୍ତ ଆବଶ୍ଯକ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.