ତେନ୍ତୁଳି ଗଛରେ ଝୁଲୁଛନ୍ତି ହଜାର ହଜାର ବାଦୁଡ଼ି, ସୁରକ୍ଷା ପାଇଁ ଗାଁ ଲୋକଙ୍କୁ ଘାରିଛି ଚିନ୍ତା

ସକାଳ ଓ ସନ୍ଧ୍ୟାରେ ଚିଂ ଚିଂ ଶବ୍ଦରେ ଗାଁ ପରିବେଶ କମ୍ପି ଉଠେ । ଦୀର୍ଘ ଦିନ ଧରି ବାଦୁଡ଼ିଙ୍କୁ ସୁରକ୍ଷା ଦେଇ ଆସୁଛନ୍ତି ଶରତଙ୍କ ପରିବାର। ପୂର୍ବରୁ ଶରତଙ୍କ ବାପା ହରେକୃଷ୍ଣ ବାଡୁଡ଼ିଙ୍କର ରକ୍ଷଣା ବେକ୍ଷଣା କରିଆସୁଥିଲେ। ତାଙ୍କର ଦେହାନ୍ତ ହେବା ପରେ ସମସ୍ତ ବାଦୁଡ଼ିଙ୍କ ଦାୟିତ୍ୱ ଏବେ ଶରତଙ୍କ ଉପରେ।

ବାଲେଶ୍ଵର (କେନ୍ୟୁଜ): ଗଛ ଡାଳରେ ଝୁଲି ରହିଛନ୍ତି ହଜାର ହଜାର ବାଦୁଡ଼ି । ବର୍ଷେ କି ଦୁଇ ବର୍ଷ ନୁହେଁ ବରଂ ୨ ଶହରୁ ଅଧିକ ବର୍ଷ ଧରି ଏ ବାଦୁଡ଼ିମାନେ ତେନ୍ତୁଳି ଗଛରେ ରହି ଆସୁଛନ୍ତି । ଏମାନଙ୍କୁ ସୁରକ୍ଷା ଦେଉଛନ୍ତି ଗୋଟିଏ ପରିବାର। ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ସାଡ଼ାଙ୍ଗ ଗ୍ରାମର ହରେକୃଷ୍ଣ ଦାଶଙ୍କ ପୁତ୍ର ଶରତ କୁମାର ଦାଶ। ଶରତଙ୍କ ବାଡ଼ିରେ ଥିବା ବିଭିନ୍ନ ଗଛରେ ହଜାର ହଜାର ବାଦୁଡି ରହି ଆସୁଛନ୍ତି । ଦୁଇ ଲକ୍ଷରୁ ଅଧିକ ବାଦୁଡି ବାଉଁଶ ଓ ତେନ୍ତୁଳି ଗଛରେ ରୁହନ୍ତି ।

ସକାଳ ଓ ସନ୍ଧ୍ୟାରେ ଚିଂ ଚିଂ ଶବ୍ଦରେ ଗାଁ ପରିବେଶ କମ୍ପି ଉଠେ । ଦୀର୍ଘ ଦିନ ଧରି ବାଦୁଡ଼ିଙ୍କୁ ସୁରକ୍ଷା ଦେଇ ଆସୁଛନ୍ତି ଶରତଙ୍କ ପରିବାର। ପୂର୍ବରୁ ଶରତଙ୍କ ବାପା ହରେକୃଷ୍ଣ ବାଡୁଡ଼ିଙ୍କର ରକ୍ଷଣା ବେକ୍ଷଣା କରିଆସୁଥିଲେ। ତାଙ୍କର ଦେହାନ୍ତ ହେବା ପରେ ସମସ୍ତ ବାଦୁଡ଼ିଙ୍କ ଦାୟିତ୍ୱ ଏବେ ଶରତଙ୍କ ଉପରେ। ଶରତଙ୍କ ବାଡ଼ିରେ ଦୁଇଟି ତେନ୍ତୁଳି ଗଛ ଅଛି ଏଠାରେ ହଜାର ହାଜର ବାଦୁଡ଼ି ରହିଆସୁଥିଲେ। କିନ୍ତୁ ଝଡ଼ ତୋଫାନରେ ଗୋଟିଏ ଗଛ ଉପୁଡ଼ି ପଡିବା ପରେ ଏବେ ଆମ୍ବ ଗଛ, ବାଉଁଶ ଗଛ ଆଦି ବିଭିନ୍ନ ଗଛର ସାହାରା ନେଇଛନ୍ତି ଏମାନେ । ବହୁ ବର୍ଷ ଧରି ଶରତଙ୍କ ବାଡ଼ିରେ ବାଦୁଡ଼ି ରହି ଆସୁଥିବା ବେଳେ ଦିନକୁ ଦିନ ଏମାନଙ୍କ ସଂଖ୍ୟା ବୃଦ୍ଧି ପାଉଛି । ବାଦୁଡ଼ି ମାନଙ୍କୁ ଧରିବା ପାଇଁ ଶିକାରୀମାନେ ଜାଲ ବସାଉଥିବା ବେଳେ ଶରତ ଜାଲ ଗୁଡ଼ିକୁ କାଟି ଦେବା ସହ ଥାନାରେ ମଧ୍ୟ ଅଭିଯୋଗ କରନ୍ତି। ଖରା ଦିନରେ ପାଣି ଦେବା ପାଇଁ ଶରତ ଗଛ ଡାଳରେ ପାଣି ବାଲଟି ରଖିଥାନ୍ତି।

ଆଗକୁ ସୂର୍ଯ୍ୟଙ୍କ ପ୍ରକୋପ ବଢ଼ିବ ଏବଂ ପ୍ରବଳ ଖରା ହେବ । ଏ ବାଦୁଡ଼ିମାନେ କେମିତି ବଞ୍ଚିବେ ସେହି ଚିନ୍ତାରେ ଶରତ ଏବଂ ଅଞ୍ଚଳଵାସୀ । ବନବିଭାଗ ସହିତ ପ୍ରଶାସନ ଯଦି ଏଥିପ୍ରତି ଦୃଷ୍ଟି ଦିଅନ୍ତେ ତେବେ ବିଲୁପ୍ତ ହେବାକୁ ଥିବା ଏହି ପକ୍ଷୀମାନଙ୍କୁ ସୁରକ୍ଷା ମିଳିପାରନ୍ତା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.