ଆଜି ହେରାପଞ୍ଚମୀ: ଅଭିମାନିନୀ ମା ମହାଲକ୍ଷ୍ମୀ ଶ୍ରୀମନ୍ଦିରରୁ ଗୁଣ୍ତିଚା ମନ୍ଦିର ଆସି ମହାପ୍ରଭୁଙ୍କ ରଥ ଭାଙ୍ଗିବେ

ପୁରୀ(କେନ୍ୟୁଜ୍): ମହାପ୍ରଭୁ ନବଦିନାତ୍ମକ ଯାତ୍ରାରେ ଆସି ଜନ୍ମବେଦୀରେ ଦେଉଛନ୍ତି ଦର୍ଶନ। ଆଜି ହେରାପଞ୍ଚମୀ। ଅଭିମାନିନୀ ମା ମହାଲକ୍ଷ୍ମୀ ଶ୍ରୀମନ୍ଦିରରୁ ଗୁଣ୍ତିଚା ମନ୍ଦିର ଆସି ମହାପ୍ରଭୁଙ୍କ ରଥ ଭାଙ୍ଗିବେ। ସେପଟେ ମହାଲକ୍ଷ୍ମୀଙ୍କ ଆଗମନ ପୂର୍ବରୁ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହୋଇଛି।

ଆଜି ସଂଧ୍ୟା ଆଳତୀ ପରେ ଏକ ସୁସଜ୍ଜିତ ବିମାନ ପଟୁଆରରେ ମହାଲକ୍ଷ୍ମୀ ଶ୍ରୀମନ୍ଦିରରୁ ବାହାରି ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିବେ। ନନ୍ଦିଘୋଷ ରଥ ନିକଟରେ ମହାଲକ୍ଷ୍ମୀ ପହଞ୍ଚିବା ପରେ ପତ୍ତିମହାପାତ୍ର ସେବାୟତ କର୍ପୂର ବନ୍ଦାପନା,ବଳିତା ବନ୍ଦାପନା,ଚାଉଳ ବନ୍ଦାପନା ଇତ୍ୟାଦି କରିବେ।

ସେପଟେ ଗୁଣ୍ଡିଚା ମନ୍ଦିରକୁ ମହାଲକ୍ଷ୍ମୀ ଯିବାବେଳେ ମହାପ୍ରଭୁଙ୍କ ଠାରୁ ମୁଖଚୁମ୍ବିତ ଅଧରମାଳା ମହାଲକ୍ଷ୍ମୀଙ୍କୁ ପ୍ରଦାନ କରାଯିବ। ସେହି ସମୟରେ ସଂଧ୍ୟାଧୂପ ଚାଲିଥିବା ବେଳେ ଟେରା ପଡିଥିବା କାରଣରୁ ମହାପ୍ରଭୁଙ୍କ ଭେଟ ନ ପାଇ ରାଗରେ ଅଭିମାନ କରିବେ ମା ମହାଲକ୍ଷ୍ମୀ। ରାଗ ଜର୍ଜରିତ ଅଭିମାନୀନି ମହାଲକ୍ଷ୍ମୀ ନାକଚଣା ଦ୍ୱାର ଦେଇ ପ୍ରସ୍ଥାନ କରିବା ସମୟରେ ଭିତରଚ୍ଛ ମହାପାତ୍ର ଦହିପଟି ମଣୋହି ନୀତି କରିବେ। ଏହାପରେ ଅଭିମାନୀନି ମହାଲକ୍ଷ୍ମୀ ନନ୍ଦିଘୋଷ ରଥର ଚକ ଭାଙ୍ଗି ବଡଦାଣ୍ଡ ଓ ହେରାଗୋହିରୀ ସାହି ଦେଇ ଶ୍ରୀମନ୍ଦିରକୁ ପ୍ରସ୍ଥାନ କରିବାର ପରମ୍ପରା ରହିଛି। ଆଜି ସକାଳୁ ମେଘୁଆ ପାଗ ସହ ଝିପିଝିପି ବର୍ଷା ସତ୍ୱେ ଦର୍ଶନ ପାଇଁ ଭକ୍ତଙ୍କ ଲମ୍ବା ଧାଡି ଦେଖିବାକୁ ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.