ଘନଉଛି ବାତ୍ୟା ଆଶଙ୍କା, ଆଜି ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର

ଭୁବନେଶ୍ୱର (କେନ୍ୟୁଜ):  ଘନଉଛି ବାତ୍ୟା ଆଶଙ୍କା । ଆଜି ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର । ଏହା କ୍ରମଶଃ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ୪୮ ଘଣ୍ଟାରେ ଘନୀଭୂତ ହୋଇ ଦକ୍ଷିଣପୂର୍ବ ଓ ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବ । ଏହି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ତେବେ ବାତ୍ୟା ନେଇ ଆଇଏମଡି ପକ୍ଷରୁ କିଛି କୁହାଯାଇନାହିଁ। କିନ୍ତୁ ବିଭିନ୍ନ ପାଣିପାଗ ସଂସ୍ଥାର ବିଭିନ୍ନ ମଡେଲ ଅନୁଯାୟୀ, ଅବପାତ ପରେ ସାମୁଦ୍ରିକ ଝଡ଼ରେ ପରିଣତ ହେବ ।

ମଡେଲ ଗୁଡ଼ିକରେ ଡିପ୍ରେସନ, ଘନୀଭୂତ ହେବା ଓ ଗତିପଥ ନେଇ ବଡ଼ଧରଣର ଭିନ୍ନତା ରହିଛି। ଲଘୁଚାପ ପ୍ରଭାବରେ ତିନି ତାରିଖ ବେଳକୁ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଉପକୂଳ ଜିଲ୍ଲାରେ କେତେକ ସ୍ଥାନରେ ବର୍ଷା ହେବ। ୩ ତାରିଖରେ ଗଜପତି, ଗଞ୍ଜାମ ଓ ପୁରୀ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏପଟେ ବିଭିନ୍ନ ପାଣିପାଗ ସଂସ୍ଥା ସାଇକ୍ଲୋନ ନେଇ ଅନୁମାନ କରୁଛନ୍ତି । ଓ୍ଵିଣ୍ଡିର GFS ମଡେଲ ଦର୍ଶାଉଛି, ଆସନ୍ତାକାଲି ରାତିରୁ ସାମୁଦ୍ରିକ ଝଡ଼ ଗଲ୍‌ଫ ଅଫ ଥାଇଲାଣ୍ଡ ଆଡୁ ଗତି କରିବ । ସମ୍ଭାବ୍ୟ ସାମୁଦ୍ରିକ ଝଡ଼ ଓଡ଼ିଶା ଉପକୂଳ ନିକଟରେ ଅତିକ୍ରମ କରିପାରେ । ତେବେ ଏହା ବ୍ରହ୍ମପୁରରୁ ପୁରୀ ମଧ୍ୟରେ ଲ୍ୟାଣ୍ଡଫଲ କରିପାରେ। ଅନ୍ୟପଟେ ଓ୍ଵିଣ୍ଡିର ୟୁରୋପିଆନ୍‌ ମଡେଲ ଦର୍ଶାଉଛି, ଡିସେମ୍ବର ଏକ ତାରିଖରେ ଲଘୁଚାପ ଏବଂ ଦୁଇ ତାରିଖରେ ଏହା ଅବପାତରେ ପରିଣତ ହେବ। ସମ୍ଭାବ୍ୟ ବାତ୍ୟା ଆନ୍ଧ୍ର ଉପକୂଳ ମୁହାଁ ହୋଇ ବିଶାଖାପାଟଣାରେ ପହଞ୍ଚିବ। ତେବେ ଲଘୁଚାପ ସୃଷ୍ଟି ହେବା ପରେ ଏହାର ଗତିପଥ ଓ ତୀବ୍ରତା ନେଇ ସଠିକ ସୂଚନା ମିଳିପାରେ ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.