କାନପୁର ଗ୍ରୀନପାର୍କ ଷ୍ଟାଡିୟମ ପଡିଆ କର୍ମଚାରୀଙ୍କୁ ୩୫ ହଜାର ଟଙ୍କା ଦେଲେ ଦ୍ରାବିଡ, ଜାଣନ୍ତୁ କାରଣ କ’ଣ ?

ଭାରତୀୟ କ୍ରିକେଟ ଟିମର ନୂଆ କୋଚ୍‌ ରାହୁଲ ଦ୍ରାବିଡ କାନପୁର ଗ୍ରୀନପାର୍କର ପଡିଆ କର୍ମଚାରୀଙ୍କୁ ୩୫ ହଜାର ଟଙ୍କା ଦେଇଛନ୍ତି। କିନ୍ତୁ ଦ୍ରାବିଡ ଏତେ ପରିମାଣର ଟଙ୍କା କ’ଣ ପାଇଁ ଦେଲେ ତାହା ଆପଣ ଜାଣିଲେ ହୁଏତ ଆଶ୍ଚର୍ଯ୍ୟ ହୋଇଯିବେ।

କାନପୁରର ଗ୍ରୀନ ପାର୍କ ଷ୍ଟାଡିୟମରେ ଖେଳାଯାଇଥିବା ପିଚ୍‌କୁ ନେଇ ପଡିଆ କର୍ମଚାରୀଙ୍କୁ ୩୫ ହଜାର ଟଙ୍କା ଦେଇଛନ୍ତି। ଗ୍ରୀନ ପାର୍କ ଷ୍ଟାଡିୟମର ପଡିଆ କର୍ମଚାରୀଙ୍କ ଟିମ୍‌କୁ ଶିବ କୁମାର ନେତୃତ୍ଵ ନେଉଥିଲେ। ଦ୍ରାବିଡ ସ୍ପୋର୍ଟିଂ ପିଚ୍ ଅର୍ଥାତ ସନ୍ତୁଳିତ ପିଚ୍ କରିଥିବା ନେଇ ଶିବଙ୍କୁ ୩୫ ହଜାର ଟଙ୍କା ପ୍ରଦାନ କରିଛନ୍ତି। ଉତ୍ତର ପ୍ରଦେଶ କ୍ରିକେଟ୍ ଆସୋସିଏସନ(ୟୁପିସିଏ) ମ୍ୟାଚ୍ ପରେ ଏହାର ସୂଚନା ଦେଇଛନ୍ତି।

ଦ୍ରାବିଡ ନିଜ ସମୟରେ ଜଣେ ନିରପେକ୍ଷ ଖେଳାଳି ଭାବେ ପରିଚିତ। ଦ୍ରାବିଡ ପଡିଆ କର୍ମଚାରୀଙ୍କ ପ୍ରଶଂସା ଏଥିପାଇଁ କରିଛନ୍ତି କାରଣ ବର୍ତ୍ତମାନ ସମୟରେ ଅନେକ ବିଦେଶୀ ଦଳ ନିଜ ଫାଇଦା ପାଇଁ ନିଜ ଅନୁସାରେ ପିଚ୍ ପ୍ରସ୍ତୁତ କରିଥାନ୍ତି ଏବଂ ଟେଷ୍ଟ ତିନି ଦିନରେ ଶେଷ ହୋଇ ଯାଉଛି। କିନ୍ତୁ କାନପୁର ଟେଷ୍ଟର ପିଚ୍ ପାଞ୍ଚ ଦିନ ସମାନ ବ୍ୟବହାର କରିଥିଲା। ଆଉ ପିଚରୁ ଭାରତୀୟ ସ୍ପିନରଙ୍କୁ ମଧ୍ୟ ଭଲ ସହାୟତା ମିଳିଥିଲା।

ଭ୍ରମଣକାରୀ ନ୍ୟୁଜିଲାଣ୍ଡ ଦଳକୁ ୨୮୪ ରନ୍‌ର ବିଜୟଲକ୍ଷ୍ୟ ଦେଇଥିଲା ଟିମ୍‌ ଇଣ୍ଡିଆ । ଦ୍ୱିତୀୟ ପାଳି ଆରମ୍ଭ କରି ଗତକାଲି ଖେଳ ଶେଷ ସୁଦ୍ଧା ଓପ୍ନର ୟଙ୍ଗଙ୍କ ଓ୍ଵିକେଟ୍‌ ହରାଇ ନ୍ୟୁଜିଲାଣ୍ଡ କରିଥିଲା ୪ ରନ୍‌ । ଆଜି ପଞ୍ଚମ ତଥା ଅନ୍ତିମ ଦିନରେ ଆରମ୍ଭରୁ ଲଢ଼େଇ କରିଥିଲେ ମଧ୍ୟ ଶେଷ ଭାଗରେ ସମ୍ପୂର୍ଣ୍ଣ ଭାବେ ଆତ୍ମସମର୍ପଣ କରି ଦେଇଥିଲା କିଓ୍ଵି ଦଳ । ଓପ୍ନର ଟମ୍‌ ଲଥାମ୍‌ ସର୍ବାଧିକ ୫୬ ରନ୍‌ କରି ଦଳକୁ ୧୧୮ ରନ୍‌ ପର୍ଯ୍ୟନ୍ତ ଟାଣି ନେଇଥିଲେ । ତାଙ୍କ ସହାୟତା ଦେଇ ଓ୍ଵିଲିୟମ ସମରଭିଲ ୩୬ ଏବଂ ଅଧିନାୟକ କେନ୍‌ ଓ୍ଵିଲିୟମସନ୍‌ ୨୪ ରନ୍‌ କରିଥିଲେ । ଏମାନେ ଭାରତୀୟ ସ୍ପିନରଙ୍କୁ ଠିକ୍‌ ଭାବେ ଖେଳି ପାରିନଥିଲେ । ତେବେ ଅନେକ ସମୟ ଧରି ଓ୍ଵିକେଟ୍‌ ଜଗି ରହିଥିଲେ ।

ଏହି ପିଚ୍‌ ଉପରେ ଦ୍ରୁତ ବୋଲର ୧୬ ଓ୍ଵିକେଟ୍ ନେଇଥିବା ବେଳେ ସ୍ପିନର୍ସଙ୍କୁ ମଧ୍ୟ ୨୦ ଓ୍ଵିକେଟ୍ ମିଳିଛି। ଦୁଇ ଦଳ ପାଇଁ ବ୍ୟାଟିଂ ବଡ ଆହ୍ଵାନପୂର୍ଣ୍ଣ ଥିଲା। ମ୍ୟାଚ୍ ଶେଷ ବଲ୍ ପର୍ଯ୍ୟନ୍ତ ଯାଇଥିଲା। ଭାରତ ପକ୍ଷରୁ ଜାଡେଜା ୪ଟି ଏବଂ ଅଶ୍ୱିନ୍‌ ୩ଟି ଓ୍ଵିକେଟ୍‌ ହାସଲ କରିଛନ୍ତି । ଦୁଇ ଦଳ ମଧ୍ୟରେ ଆସନ୍ତା ଡିସେମ୍ବର ୩ ତାରିଖ ଠାରୁ ମୁମ୍ବାଇରେ ଦ୍ୱିତୀୟ ଟେଷ୍ଟ ଖେଳାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.