କଳାହାଣ୍ଡି ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ଆଜି ପ୍ରସିଦ୍ଧ ଛତର ଯାତ୍ରା, ଭବାନୀପାଟଣା ସହରରେ ୧୪୪ ଧାରା ଲାଗୁ

କଳାହାଣ୍ଡି: କଳାହାଣ୍ଡି ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ଆଜି ପ୍ରସିଦ୍ଧ ଛତର ଯାତ୍ରା । ମା’ଙ୍କ ପ୍ରତୀକ ଛତର ଅଷ୍ଟମୀ ମଧ୍ୟରାତ୍ରରେ ନିଜ ମୂଳ ଆସ୍ଥାନ ମନ୍ଦିରରୁ ବାହାରି ଭବାନୀପାଟଣା ସହର ଉପକଣ୍ଠ ଜେନାଖାଲକୁ ନିଆଯାଇଥିଲା । ସନ୍ଧି ପୂଜା ପରେ ଆଜି ନବମୀ ପ୍ରାତଃରୁ ମାଣିକେଶ୍ୱରୀ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ।

ଶୋଭାଯାତ୍ରାରେ ମାତ୍ର ଶହେ ଜଣଙ୍କ ସମାଗମ ହୋଇଥିଲା । ଘୁମରା ଦଳ, ପ୍ରଶାସନ ଓ ସେବାୟତଙ୍କ ଉପସ୍ଥିତିରେ ଶୋଭାଯାତ୍ରା କରାଯାଇଥିଲା । ଭବାନୀପାଟଣା ସହରରେ ୧୪୪ ଧାରା ଲାଗୁ କରାଯାଇଥିବା ବେଳେ ସହରକୁ ପ୍ରବେଶ ଉପରେ କଟକଣା ଜାରି ହୋଇଛି । ୧୦ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ମା’ଙ୍କ ବିଜୟ ଛତର ବାହୁଡା ରାସ୍ତାକୁ ବ୍ୟାରିକେଡ୍‌ କରି ସିଲ୍‌ କରାଯାଇଛି । କେବଳ ଜରୁରୀକାଳୀନ ପରିସ୍ଥିତିରେ ସହର ମଧ୍ୟକୁ ପ୍ରବେଶ କରିପାରିବେ । ଚଳିତ ବର୍ଷ କରୋନା କଟକଣା ପାଇଁ ପ୍ରଥମ ଥର ବିନା ଭକ୍ତଙ୍କ ସମାଗମରେ ଛତର ଯାତ୍ରା ଅନୁଷ୍ଠିତ ହେଉଛି । କେବଳ ପରମ୍ପରା ଅନୁଯାୟୀ ନୀତିକାନ୍ତି କରାଯାଉଛି । ନିଜ ନିଜ ଘରେ ରହି ଟେଲିଭିଜନ ମାଧ୍ୟମରେ ମା’ଙ୍କ ଦର୍ଶନ କରିବାକୁ ନିବେଦନ କରିଛି ଜିଲ୍ଲା ପ୍ରଶାସନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.