ଆଜି ନୀଳାଦ୍ରି ବିଜେ: ଜନ୍ମବେଦୀରୁ ଲୀଳାଖେଳା ସାରି ନୀଳକନ୍ଦରକୁ ଫେରିବେ ନୀଳାଦ୍ରିନାଥ

ଆଜି ଅଭିମାନିନୀ ମହାଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ କରିବେ ମହାପ୍ରଭୁ

ପୁରୀ(କେନ୍ଯୁଜ୍): ଆଜି ନୀଳାଦ୍ରି ବିଜେ । ଜନ୍ମବେଦୀରୁ ଲୀଳାଖେଳା ସରିବା ପରେ ଆଜି ନୀଳକନ୍ଦରକୁ ଫେରିବେ ନୀଳାଦ୍ରିନାଥ । ଗୋଟି ପହଣ୍ଡିରେ ରଥରୁ ଓହ୍ଲାଇ ଶ୍ରୀମନ୍ଦିର ଯିବେ ଚତୁର୍ଦ୍ଧାମୂର୍ତ୍ତି । ଏଥିପାଇଁ ନୀତିକାନ୍ତି ଚୂଡାନ୍ତ ହୋଇଛି। ଅପରାହ୍ନ ୪ଟା ପରେ ପହଣ୍ଡି ଆରମ୍ଭ ହୋଇ ରାତି ୧୦ଟାରେ ଶେଷ ହେବ। ରଥଯାତ୍ରାଠାରୁ ଆରମ୍ଭ କରି ବାହୁଡା ଯାତ୍ରା ପର୍ଯ୍ୟନ୍ତ ସମସ୍ତ ନୀତିକାନ୍ତି ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହୋଇଥିବାରୁ ଆଜି ବି ନୀତି ସଅଳ ହେବ ବୋଲି ଅନୁମାନ କରାଯାଉଛି।

ତେବେ ଆଜି ଅଭିମାନିନୀ ମହାଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ କରିବେ ମହାପ୍ରଭୁ । ସେପଟେ ପହଣ୍ଡି ଶେଷ ପରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରୁନ୍ଧା ହେବା ସହ ଦଇତାପତି ସର୍ବାଙ୍ଗ, ଶ୍ରୀମୁଖ ଖଣ୍ଡୁଆ, ବଡସିଂହାର ବେଶ, ବଡସିଂହାର ଭୋଗ କରାଯାଇ ପହୁଡ କରାଯିବ। ନୀଳାଦ୍ରି ବିଜେ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଆସନ୍ତାକାଲି ପର୍ଯ୍ୟନ୍ତ ସହରରେ କର୍ଫ୍ୟୁ ବଳବତ୍ତର ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.