ଆଜି ନୀତି ଆୟୋଗ ଗଭର୍ଣ୍ଣିଂ କାଉନ୍‌ସିଲ ବୈଠକ, ଓଡ଼ିଶା ପୁଣି ଉଠାଇପାରେ ସ୍ୱତନ୍ତ୍ର ରାଜ୍ୟ ସହ ଫୋକସ ଷ୍ଟେଟ୍‌ ପ୍ରସଙ୍ଗ

ନୂଆଦିଲ୍ଲୀ : ଆଜି ନୀତି ଆୟୋଗ ଗଭର୍ଣ୍ଣିଂ କାଉନ୍‌ସିଲ ବୈଠକ । ଏହି ବୈଠକରେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା, ଫୋକସ ଷ୍ଟେଟ୍‌ ସହ ଓଡ଼ିଶାର ସ୍ୱାର୍ଥ ସଂପର୍କିତ ବିଭିନ୍ନ ପ୍ରସଙ୍ଗ ଉଠାଇପାରେ ଓଡ଼ିଶା। ଆଜି ବସିବାକୁ ଥିବା ବୈଠକରେ ଚାଷଚାଷୀ, ଆକାଂକ୍ଷୀ ଜିଲ୍ଲା, ମାଓ ଉପଦ୍ରୁତ ଜିଲ୍ଲା ପ୍ରମୁଖ ପ୍ରସଙ୍ଗ ରହିବ। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବାକୁ ଥିବା ଆୟୋଗର ପରିଚାଳନା ପରିଷଦ ବୈଠକରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

naveenନୀତି ଆୟୋଗର ପଞ୍ଚମ ଗଭର୍ଣ୍ଣିଂ କାଉନ୍‌ସିଲ ବୈଠକ। ଏଥିଲାଗି ପ୍ରସ୍ତୁତ ହୋଇ ସାରିଛି ପଞ୍ଚସୂତ୍ରୀ ଏଜେଣ୍ଡା। ବର୍ଷା ଜଳ ଅମଳ, ମରୁଡି ସ୍ଥିତି ଓ ରିଲିଫ ବ୍ୟବସ୍ଥା, ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମର ସଫଳତା ଓ ଚ୍ୟାଲେଞ୍ଜ, କୃଷି କ୍ଷେତ୍ରରେ ସଂସ୍କାର ଓ ମାଓ ଉପଦ୍ରୁତ ଜିଲ୍ଲାଗୁଡିକରେ ସୁରକ୍ଷା ପ୍ରସଙ୍ଗ। ପ୍ରମୁଖ ଫୋକସ ରହିଛି ଚାଷ ଓ ଚାଷୀ। ଦେଶରେ ୨୨. ୫ ପ୍ରତିଷତ ଚାଷୀ ଦାରିଦ୍ର‌୍ୟ ସୀମାରେଖ ତଳେ ଅଛନ୍ତି। ସରକାର ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ଦୁଇ ଗୁଣା କରିବାକୁ ଚାହୁଁଛନ୍ତି। ଅଧିକାଂଶ ଚାଷୀ ନିଜ ଉତ୍ପାତିତ ସାମଗ୍ରୀର ବଜାରକୁ ନେଇ ସଚେତନ ନୁହନ୍ତି। ତେଣୁ ମଧ୍ୟସ୍ଥି ଫାଇଦା ଉଠାଉଛନ୍ତି। ଉତ୍ପାଦନ ପରେ ଚାଷୀଙ୍କୁ କଣ ସୁବିଧା ଯୋଗାଇ ଦିଆଯାଇ ପାରିବ। ଉତ୍ପାଦିତ କୃଷି ସମାଗ୍ରୀକୁ ଚାଷୀ କିପରି ସଂରକ୍ଷଣ କରାଯାଇ ପାରିବେ, କିପରି ନେବା ଆଣିବା କରିପାରିବେ, ପ୍ରକ୍ରିୟାକରଣ, ମାର୍କେଟିଂ ଆଦି କିପରି କରି ପାରିବେ ତାହା ବଡ଼ ପ୍ରଶ୍ନ ହୋଇ ରହିଛି।

ବିଭିନ୍ନ ରାଜ୍ୟରେ ଏଗ୍ରିକଲଚରାଲ ପ୍ରଡ୍ୟୁସ ମାର୍କେଟିଂ କମିଟି ରହିଛି। କିନ୍ତୁ ଏଥିରୁ ସୁଫଳ ମିଳୁ ନାହିଁ। ୨୦୧୭ରେ କେନ୍ଦ୍ର ସରକାର ମାର୍କେଟିଂକୁ ନେଇ ଏକ ମୋଡେଲ ଆକ୍ଟ ପ୍ରସ୍ତୁତ କରିଥିଲେ। ଚାଷୀ କିପରି ସିଧା ବଜାରରେ ପ୍ରବେଶ କରି ପାରିବ, କିପରି ଇ ମାର୍କେଟିଂ କରି ପାରିବ ସେ ନେଇ ଉଲ୍ଲେଖ ଥିଲା। ଏ ପ୍ରସଙ୍ଗରେ କାଲି ନୀତି ଆୟୋଗ ବୈଠକରେ ଆଲୋଚନା ହୋଇପାରେ। ଏହାସହ ଖାଦ୍ୟ, ସାର, ଔଷଧ ଓ ଇନ୍ଧନ ଆଦି ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣକୁ ନେଇ ଅନେକ ସମସ୍ୟା ରହିଛି। ତେଣୁ କାଲିର ବୈଠକରେ କୃଷି ସଂସ୍କାର, ବିଶେଷ କରି ଏଗ୍ରିକଲଚରାଲ ପ୍ରଡ୍ୟୁସ ମାର୍କେଟିଂ କମିଟି ଓ ଏସେନ୍‌ସିଆଲ କମଡିଟିସ୍‌ ଆକ୍ଟ ଉପରେ ଆଲୋଚନା ହେବ। ଦକ୍ଷିଣ ଭାରତରେ ପ୍ରାକ୍‌ ମୌସୁମୀ ବର୍ଷା କମ ରହିଛି। ତେଣୁ ମରୁଡି ଆଶଙ୍କା, ତାର ମୁକାବିଲା ଓ ବର୍ଷା ଜଳ ପରିଚାଳନା ନେଇ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ।

niti-aayogଦେଶର କିଛି ପଛୁଆ ଜିଲ୍ଲାକୁ ନେଇ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ଚାଲୁ ରହିଛି। ଓଡ଼ିଶାରୁ ୧୦ ଜିଲ୍ଲା ସହ ଦେଶରେ ୧୧୫ ଜିଲ୍ଲା ଏଥିରେ ରହିଛି। ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ କେତେ ସଫଳ ହୋଇଛି ଆଗକୁ କଣ ଚ୍ୟାଲେଞ୍ଜ ରହିଛି, ସେ ବିଷୟରେ ମଧ୍ୟ ସମୀକ୍ଷା ହେବ। ଓଡ଼ିଶା ସମେତ ଛତିଶଗଡ଼, ଝାଡ଼ଖଣ୍ଡ, ଆନ୍ଧ୍ର, ମହାରାଷ୍ଟ୍ର ଏପରି ରାଜ୍ୟର ଅନେକ ଜିଲ୍ଲା ମାଓ ପ୍ରବଣ। ସେହି ଜିଲ୍ଲାଗୁଡିକର ସୁରକ୍ଷା ପ୍ରସଙ୍ଗରେ ମଧ୍ୟ ଆଲୋଚନା ହେବା ନେଇ କାର୍ଯ୍ୟକ୍ରମ ରହିଛି। କାଲିର ବୈଠକରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗଠାରୁ ଆରମ୍ଭ କରି ରାଜ୍ୟର ସ୍ୱାର୍ଥ ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗ ଓଡ଼ିଶା ଉଠାଇବ। ନୀତି ଆୟୋଗ ପରିଚାଳନା ପରିଷଦରେ ପ୍ରଧାନମନ୍ତ୍ରୀ ଅଧ୍ୟକ୍ଷ ଥିବା ବେଳେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ସଦସ୍ୟ ଅଛନ୍ତି। ମୋଦିଙ୍କ ଦ୍ୱିତୀୟ ପାଳିରେ ଏହା ପ୍ରଥମ ବୈଠକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.