କଟକ: ଆସନ୍ତାକାଲି ହାଇକୋର୍ଟର ଫୁଲ୍‌ ବେଞ୍ଚରେ ଅଦାଲତ ଅବମାନନା ମାମଲାର ହେବ ଶୁଣାଣି

କଟକ(କେନ୍ୟୁଜ୍): ବାର- ବେଞ୍ଚ-ବିବାଦ । ମାମଲା ଏବେ ଉଗ୍ରରୂପ ନେବାରେ ଲାଗିଛି । ଓଡିଶା ହାଇକୋର୍ଟ ଇତିହାସରେ ପ୍ରଥମ ଥର ପାଇଁ ଗତ ୧୫ ତାରିଖରେ ୧୪ ଜଣିଆ ବେଞ୍ଚ ବସି ବାର ବିରୋଧରେ ଅଦାଲତ ଅବମାନନା ମାମଲାର ଶୁଣାଣି କରିଥିଲେ। ୧୪ ଜଣିଆ ଖଣ୍ଡପୀଠ ୬୮ଟି ବାର ଆସୋସିଏସନ ସମେତ ବାର କାଉନସିଲ ଅଫ ଇଣ୍ଡିଆ, ରାଜ୍ୟ ଆଇନଜୀବୀ ପରିଷଦ, ମୁଖ୍ୟ ଶାସନ ସଚିବ, ଆଇନ ସଚିବ, ଗୃହ ସଚିବଙ୍କୁ ନୋଟିସ ଜାରି କରିଥିଲେ। ସୋମବାର ସୁଦ୍ଧା ଜବାବ ରଖିବାକୁ ନିର୍ଦ୍ଦେଶ ଦିଆଯାଇ ଥିବାବେଳେ କାଲିର ଶୁଣାଣି ଉପରେ ସମସ୍ତଙ୍କର ନଜର ରହିଛି। ଅନ୍ୟପଟେ ବାର ଆସୋସିଏସନଗୁଡିକ ପକ୍ଷରୁ ବରିଷ୍ଠ ଆଇନଜୀବୀମାନେ ହାଜର ହୋଇ ପକ୍ଷ ରଖିବେ ବୋଲି ହାଇକୋର୍ଟ ବାର ଆସୋସିଏସନ ସଭାପତି କହିଛନ୍ତି।

ଏହାସହ ପଢନ୍ତୁ: ମହାକାଶରୁ ଦେଖାଯାଏ ଆଫ୍ରିକା ମରୁଭୂମିର ଏହି ରହସ୍ୟମୟ ଆକୃତି, କ’ଣ ରହିଛି ଏହା ପଛର ସତ୍ୟତା, ଜାଣନ୍ତୁ?

ହାଇକୋର୍ଟରେ ୧ ଲକ୍ଷ ୭୨ ହଜାର ମାମଲା ବିଚାରଧିନ ଥିବାବେଳେ ଓଡିଶା ଆଡମିନିଷ୍ଟ୍ରେଟିଭ ଟ୍ରିବ୍ୟୁନାଲ ବନ୍ଦ ହେବା ପରେ ଆଉ ୭୨ ହଜାର ମାମଲା ହାଇକୋର୍ଟକୁ ଆସିଛି। ଏତେ ସଂଖ୍ୟକ ମାମଲା ପାଇଁ ବିଚାରପତି ନଥିବା କହିଛି ବାର ଆସୋସିଏସନ। ଅନୁମୋଦିତ ୨୭ଟି ବିଚାରପତିଙ୍କ ମଧ୍ୟରୁ ଏବେ ୧୪ ଜଣ ଥିବାବେଳେ ଆଉ ଅଧିକ ୨୦ ଜଣଙ୍କୁ ନିଯୁକ୍ତି ଦାବି ହୋଇଛି। ଏହା ସହ କଲେଜିୟମ ପରିବର୍ତ୍ତେ ନ୍ୟାସନାଲ ଜୁଡିସିଆଲ ଆପଏଣ୍ଟମେଣ୍ଟ କମିଶନ ଗଠନ କରି ବିଚାରପତି ନିଯୁକ୍ତି ହେଉ ବୋଲି ଦାବି କରାଯାଇଛି । ହାଇକୋର୍ଟ ବାର ଆସୋସିଏସନର ରିଜୋଲୁସନକୁ ନେଇ ଅଦାଲତ ଅବମାନନା ମାମଲା ହୋଇଥିବାରୁ ଏହା କେବଳ ସଭାପତି ଓ ସମ୍ପାଦକଙ୍କ ନିଷ୍ପତ୍ତି ନୁହେଁ, ସମସ୍ତ ଆଇନଜୀବୀଙ୍କ ନିଷ୍ପତ୍ତି । ତେଣୁ ସମସ୍ତ ଆଇନଜୀବୀଙ୍କ ବିରୋଧରେ ମାମଲା ହେଉ ବୋଲି କହିଛନ୍ତି ଆଇନଜୀବୀ ।
ଏହି ମାମଲାକୁ ନେଇ ଆସନ୍ତାକାଲି ହାଇକୋର୍ଟରେ ଶୁଣାଣି ଥିବାବେଳେ ୨୨ ତାରିଖରେ ସୁପ୍ରିମକୋର୍ଟରେ ମାମଲା ଶୁଣାଣି ହେବାର ରହିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.