ମୟୁରଭଞ୍ଜ: ଗୁଣ୍ଡୁରିଆ ଠାରେ ଆଦିମ ଜନଜାତି ଆଦିବାସୀ ସମ୍ପ୍ରଦାୟ ପକ୍ଷରୁ ସହିଦ ଦିବସ ପାଳିତ

ରାଇରଙ୍ଗପୁର(କେନ୍ୟୁଜ୍): ମୟୂରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ଗୁଣ୍ଡୁରିଆ ଠାରେ ଆଦିମ ଜନଜାତି ଆଦିବାସୀ ସମ୍ପ୍ରଦାୟ ପକ୍ଷରୁ ସହିଦ ଦିବସ ପାଳିତ ହୋଇଯାଇଛି । ସହିଦ ଆଦିବାସୀ ମାନଙ୍କ ସ୍ମୃତିଚାରଣ କରିବା ପାଇଁ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ପାଳନ କରାଯାଇଛି ଏହି ସହିଦ ଦିବସ । ଏହି ଅବସରରେ ରାଜ୍ୟ ତଥା ପଡୋଶୀ ଝାଡ଼ଖଣ୍ଡ ରାଜ୍ୟରୁ ମଧ୍ୟ ବହୁ ସଂଖ୍ୟାରେ ଆଦିବାସୀ ସମ୍ପ୍ରଦାୟର ଲୋକେ ଯୋଗ ଦେଇଥିଲେ । ସହିଦ ପୀଠକୁ ଯାଇ ସେଠାରେ ପୂଜାର୍ଚ୍ଚନା, ଶ୍ରଦ୍ଧାଞ୍ଜଳି ଅର୍ପଣ ସହ ସହିଦମାନଙ୍କ ସ୍ମୃତିଚାରଣ କରିଥିଲେ । ପ୍ରତେକ ବର୍ଷ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ମଧ୍ୟ ଏହି ସହୀଦ ପିଠକୁ ଆସିଥାନ୍ତି । କିନ୍ତୁ ଚଳିତ ବର୍ଷ କରୋନା କଟକଣା ପାଇଁ ଆସିପାରିନଥିବା ବେଳେ ତାଙ୍କ ଭଉଣୀ ଅଞ୍ଜନୀ ସୋରେନ ମାରାଣ୍ଡି ସହୀଦ ପିଠକୁ ପୂଜାର୍ଚ୍ଚନା ଓ ଦର୍ଶନ କରିବା ପାଇଁ ଆସିଥିଲେ ! ତାଙ୍କ ସହ ଜେଏମଏମର ରାଜ୍ୟ ସଭାପତି ମହେଶ ଚନ୍ଦ୍ର ହେମ୍ବ୍ରମ ଯୋଗଦେଇ ସହିଦ ପୀଠର ବିକାଶ ନେଇ ଦାବି ଉଠାଇଥିଲେ ।   ତେବେ କାହିଁକି ପ୍ରତ୍ୟେକ ବର୍ଷ ୬ ଫେବୃଆରୀ ଦିନ ମୟୂରଭଞ୍ଜର ଆଦିବାସୀ ସମ୍ପ୍ରଦାୟର ଲୋକେ ସହିଦ ଦିବସ ପାଳନ କରିଥାନ୍ତି ଆସନ୍ତୁ ଜାଣିବା ।

ମୟୂରଭଞ୍ଜ ଗଡ଼ଜାତ ରାଜ୍ୟର ମିଶ୍ରଣକୁ ବିରୋଧ କରି ନିଜ ହକ୍ ଓ ଅଧିକାର ପାଇଁ ଆଦିବାସୀ ମହାସଭା ତରଫରୁ ୧୯୪୯ ମସିହା ଫେବୃଆରୀ ୬ ତାରିଖରେ ଗୁଣ୍ଡୁରିଆ ଠାରେ ଏକ ବିଶାଳ ଶୋଭାର ଆୟୋଜନ କରାଯାଇଥିଲା । ଆଦିବାସୀ ସମ୍ପ୍ରଦାୟର ଲୋକେ ଓଡ଼ିଶାରେ ମୟୂରଭଞ୍ଜର ମିଶ୍ରଣକୁ ବିରୋଧ କରି ସ୍ବତନ୍ତ୍ର ” ଦିଶୋମ ରାଜ୍ୟ” ଘୋଷଣା କରିବାକୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଡ଼. ହରେକୃଷ୍ଣ ମହତାବ ସରକାରଙ୍କ ନିକଟରେ ଦାବି କରିଥିଲେ । ଓଡିଶା ସହିତ ନ ମିଶିବା ନେଇ ଆଦିବାସୀ ମହାସଭାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜୈପାଲ ସିଂ ଓ ସମ୍ପାଦକ ସୁନାରାମ ସୋରେନଙ୍କ ନେତୃତ୍ୱରେ ମୟୂରଭଞ୍ଜ ଜିଲ୍ଲାର କୋହ୍ଲ, ସାନ୍ତାଳ, ଭୂମିଜ, ଧରୁଆ, ହୋ, ବାଥୁଡି, ଭୂୟାଁ, ଲୋଧା, ଖଡିଆ ଏବଂ ଅନ୍ୟାନ୍ୟ ଜନଜାତି ବର୍ଗର ଲୋକେ ଆନ୍ଦୋଳନକୁ ତୀବ୍ରତର କରିଥିଲେ । ଏ ନେଇ ଗୁଣ୍ଡୁରିଆ ଠାରେ ଏକ ବିଶାଳ ଶୋଭାର ଆୟୋଜନ କରାଯାଇ ଅସଂଖ୍ୟ ଆଦିବାସୀ ସମ୍ପ୍ରଦାୟର ଲୋକ ଯୋଗ ଦେଇଥିଲେ ।

ତେବେ କୌଣସି କାରଣ ବଶତଃ ତତ୍କାଳୀନ ପ୍ରଶାସନ ତରଫରୁ ନିରୀହ ଆଦିବାସୀଙ୍କ ଉପରେ ଗୁଳି ବର୍ଷଣ କରିଥିଲା ପୋଲିସ । ଏହି ଗୁଳିକାଣ୍ଡରେ ପ୍ରାୟ ଶତାଧିକ ଲୋକ ମୃତ୍ୟୁ ବରଣ କରିଥିଲେ । ଦୀର୍ଘ ୭୩ ବର୍ଷ ହେଲା ପୋଲିସ ଗୁଳିରେ ଆଖି ବୁଜିଥିବା ଆଦିବାସୀ ମାନଙ୍କ ଘଟଣା ଆଜି ବି ମନରୁ ଲିଭି ପାରୁନି । ଏହାକୁ ମନପକାଇ ଆଦିବାସୀ ସମ୍ପ୍ରଦାୟର ଲୋକେ ଗୁଳିକାଣ୍ଡ ସ୍ଥଳ ଗୁଣ୍ଡୁରିଆ ଠାରେ ଏକତ୍ରିତ ହୋଇ ଏକ ଶୋଭା ଯାତ୍ରାରେ ବାହାରି ସହିଦ ମାନଙ୍କୁ ସ୍ମୃତିଚାରଣ କରିଛନ୍ତି ।

Leave A Reply

Your email address will not be published.