ଥାନା ବାବୁଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧକରି ମୋହନାରେ ଆଦିବାସୀ ମେଳି: ପ୍ରତିଶୃତି ପରେ ଶାନ୍ତ ପଡିଲେ

ମୋହନା(କେନ୍ୟୁଜ୍): ଗଜପତି ଜ଼ିଲ୍ଲା ମୋହନାରେ ଆଦିବାସୀଙ୍କ ବିରାଟ ପ୍ରତିବାଦ ଶୋଭାଯାତ୍ରା । ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ କରି ମୋହନା ଆଦିବାସୀ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ଆଜି ମୋହନା ଥାନା ଘେରାଉ କରାଯାଇଛି। ୨୦ ଦଫା ସମ୍ବଳିତ ଦାବି ପତ୍ର ରେ ଅଭିଯୋଗ ରହିଛି ଯେ ଥାନା ଅଧିକାରୀ ସୁଜିତ ନାୟକ ମୋହନା ଥାନା ସାନଖଣୀ ଗ୍ରାମର ଏକ ଗୋରୁ ଚୋରି ମାମଲା ରେ ଅଭିଯୁକ୍ତ ମାନଙ୍କୁ ସୁରକ୍ଷା ଦେବାସହ ଗୋରୁ ଚୋରି ହୋଇଥିବା ବ୍ୟକ୍ତିଙ୍କ ନାମରେ ମିଥ୍ୟା ମାମଲା ରୁଜୁ କରିବା ସହ ଶାରୀରିକ ଏବଂ ମାନସିକ ନିର୍ଯ୍ୟାତନା ଦେଉଛନ୍ତି । ଏହା ସହ ଏକ ନିର୍ଦ୍ଧିଷ୍ଟ ସମ୍ପ୍ରଦାୟର ଲୋକଙ୍କୁ ଅଜାଚିତ ସୁରକ୍ଷା ଯୋଗାଉଛନ୍ତି। ଅଞ୍ଚଳରେ ଗଞ୍ଜେଇ ମାମଲା ବୃଦ୍ଧି ଏବଂ ଗଞ୍ଜେଇ ଚାଷ ବୃଦ୍ଧି ପଛରେ ଥାନା ଅଧିକାରୀଙ୍କ ପ୍ରଚ୍ଛଦ ହାତ ରହିଛି ଏଭଳିକି ମୋହନା ଥାନା ଗଞ୍ଜେଇ ବେପାରୀଙ୍କ ଅଡ୍ଡା ସ୍ଥଳି ପାଲଟିଛି।

ଗଞ୍ଜେଇ ବେପାରୀଙ୍କ ସହ ମଧୁ ଚନ୍ଦ୍ରିକା କରି କିଛି କର୍ମଚାରୀ ତଥା ହୋମଗାର୍ଡ କୋଟି କୋଟି ଟଙ୍କା ଆୟ କରୁଥିବା ଭଳି ଗୁରୁତର ଅଭିଯୋଗ ଆଣିଛନ୍ତି ଆଦିବାସୀ ମାନେ ।  5T ଅଧୀନରେ ଗୃହବିଭାଗ ସମ୍ପୃକ୍ତ ଥିବା ବେଳେ ମୋହନା ଥାନାରେ ତାହା କାର୍ଯ୍ୟକାରୀ ହେଉନାହିଁ।  ଥାନାବାବୁଙ୍କ ଦବଙ୍ଗ ଗିରି ଯୋଗୁଁ ନ୍ୟାୟ ପାଇବାରୁ ଅଞ୍ଚଳର ଆଦିବାସୀ ଜନସାଧାରଣ ସମ୍ପୂର୍ଣ ଭାବେ ବଞ୍ଚିତ ହେଉଛନ୍ତି। ଥାନା ପରିସରରେ ଲୋକଙ୍କୁ ଅତି କଦର୍ଯ୍ୟ ବ୍ୟବହାର କରାଯିବା ସହ ଉପଯୁକ୍ତ ନ୍ୟାୟ ପ୍ରଦାନ କରାଯିବା ବଦଳରେ ଦୋଷୀଙ୍କୁ ଓଲଟା ସୁରକ୍ଷା ଦିଆଯାଉଛି ।ଏଭଳି ଅନେକ ଅଭିଯୋଗ ଥାନା ଅଧିକାରୀ ଙ୍କ ନାମରେ ଆଣିଛି ଆଦିବାସୀ ଅଧିକାର ସୁରକ୍ଷା ମଞ୍ଚ।

ଏହାର ପ୍ରତିବାଦ କରି ବିଭିନ୍ନ ସ୍ଥାନରୁ ଶତାଧିକ ଆଦିବାସୀ ଜନସାଧାରଣ ଏକ ବିରାଟ ଶୋଭାଯାତ୍ରାରେ ସ୍ଥାନୀୟ ହାଇସ୍କୁଲ ଛକରୁ ବାହାରି ଥାନାଧିକାରୀଙ୍କ ବିରୋଧରେ ନାରାବାଜୀ କରିବା ସହ ସହର ପରିକ୍ରମା କରି ଥାନା ସମ୍ମୁଖରେ ପହଞ୍ଚିଥିଲେ ।  ପରେ ସେଠାରେ ଏକ ସାଧାରଣ ସଭାର ଆୟୋଜନ କରାଯିବା ସହ ଥାନା ଅଧିକାରୀଙ୍କ କାର୍ଯ୍ୟକୁ ବିରୋଧ କରିଥିଲେ ଆଦିବାସୀ ମାନେ ।  ନିଜ ପଦବୀର ଅପବ୍ୟବହାର କରି ଆଦିବାସୀ ଜନସାଧାରଣଙ୍କୁ ହଇରାଣ କରୁଥିବା ଥାନାବାବୁଙ୍କୁ ଅତିଶୀଘ୍ର ବହିଷ୍କାର ଦାବି କରିଛିନ୍ତି ସୁରକ୍ଷା ମଞ୍ଚର ସଦସ୍ୟ ମାନେ । ଯଦି ଥାନା ବାବୁଙ୍କ ନାମରେ ହୋଇଥିବା ଅଭିଯୋଗ ସତ ତା ହେଲେ ଏହା ଅତି ସାଙ୍ଘାତିକ। ଏନେଇ ପ୍ରସ୍ତୁତ କୋଡିଏ ଦଫା ସମ୍ବଳିତ ଦାବି ପତ୍ର ଗଜପତି ଆରକ୍ଷୀ ଅଧିକ୍ଷକଙ୍କୁ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଦିଲ୍ଲୀପ କୁମାର ନାୟକଙ୍କୁ ପ୍ରଦାନ କରାଯାଇଛି ।  ଦିନ ୧୧ ଟା ସମୟରୁ ଆରମ୍ଭ ହୋଇଥିବା ଏହି ପ୍ରତିବାଦ ଶୋଭାଯାତ୍ରା ଅପରାହ୍ନ ୩ଟା ପର୍ଯ୍ୟନ୍ତ ଚାଲିଥିଲା ।

ପରେ  ଗଜପତି ଆରକ୍ଷୀ ଅଧିକ୍ଷକ ଜୟରାମ ଶତପଥୀ ଉତ୍ୟକ୍ତ ଲୋକଙ୍କୁ ଅତିଶୀଘ୍ର ଥାନା ଅଧିକାରୀଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ତଦନ୍ତ କରି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଭିଡିଓ ବାର୍ତ୍ତା ମାଧ୍ୟମରେ ପ୍ରତିଶୃତି ଦେବାପରେ ପରିସ୍ଥିତି ଶାନ୍ତ ପଡିଥିଲା ଏବଂ ଲୋକେ ଥାନା ସମ୍ମୁଖରୁ ଉଠିଥିଲେ।  ତେଵେ ଆଗକୁ ଥାନା ଅଧିକାରୀଙ୍କ ଭାଗ୍ୟ କଣ ହେବ ତାହା ପୋଲିସର ତଦନ୍ତ ଉପରେ ହିଁ ନିର୍ଭର କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.