ଛିଡିଲାନି ବନ୍ଧୁତାର ଡୋରି, ଏକାସାଥିରେ ଗୋଟିଏ ସମୟରେ ଚାଲିଗଲେ ଦୁଇ ବନ୍ଧୁ

ଟିକେ ଭଲକି ଦେଖନ୍ତୁ ଏ ଛବିକୁ । କେତେ ସୁନ୍ଦର ଚେହେରା, କେତେ ସୁନ୍ଦର ରୂପ ଆଉ କେତେ ସୁନ୍ଦର ହସ । କିନ୍ତୁ ସାଙ୍ଗଙ୍କ ମେଳରେ ଥିବା ଏ ଛବିରେ ଆଉ ଦେଖିବାକୁ ମିଳିବନି ହିମାଂଶୁ ଆଉ ନରେଶଙ୍କୁ ।

ସୁବର୍ଣ୍ଣପୁର (କେନ୍ୟୁଜ) : ଏକା ସାଥିରେ ରହୁଥିଲେ,ଏକାଠି ଖାଉଥିଲେ ଆଉ ଏକାଠି ପାଠ ବି ପଢୁଥିଲେ । ଖାଲି ସେତିକି ନୁହେଁ ଦୁଇବନ୍ଧୁ ଏକା ସାଙ୍ଗରେ ବେଦାନ୍ତ କମ୍ପାନୀରେ ଚାକିରୀ ବି ପାଇଥିଲେ । ହେଲେ କିଏ ଜାଣିଥିଲା ଦୁଇବନ୍ଧୁ ଦିନେ ସାଥି ହୋଇ ଆରପାରିକୁ ଚାଲିଯିବେ ବୋଲି । ବନ୍ଧୁର ବନ୍ଧୁତା ଏତେ ଗଭୀର ଥିଲା ଯେ ସାଥି ହୋଇ ଚାଲିଗଲେ ଅଫେରା ରାଇଜକୁ ।

ବୁଧବାର ସକାଳୁ ସକାଳୁ ସୁବର୍ଣ୍ଣପୁର ଜିଲ୍ଲା ସୁବଳୟାର ଗୌରାଙ୍ଗ ମହାପାତ୍ରଙ୍କ ବଡପୁଅ ବିମଳେନ୍ଦୁ ପାଖକୁ ପୁଇଁନ୍ତଳା ଥାନାରୁ ଫୋନ ଆସିଲା । ଖବର ଆସିଲା ଏକ ଦୁର୍ଘଟଣାର । ସୋନପୁର-ବଲାଙ୍ଗୀର ରାସ୍ତାର ଭଦ୍ରାପାଲି ଛକ ନିକଟରେ ଘଟିଛି ଛାତିଥରା ଦୁର୍ଘଟଣା । ବାଇକ ଓ ସରକାରୀ ବସ ଦୁର୍ଘଟଣାରେ ଦୁଇ ଯୁବକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଆଉ ସେହି ବଡ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଦୁଇଜଣ ଯୁବକଙ୍କ ମଧ୍ୟରୁ ଜଣେ ସୁବଳୟା ହିମାଂଶୁ ଶେଖର ମହାପାତ୍ର ଆଉ ଅନ୍ୟ ଜଣକ ହେଲେ ଡୁଙ୍ଗୁରିପାଲି ଅଂଚଳର ନରେଶ ।

ଫୋନରେ ଏହି ଖବରଟି ଶୁଣିଲା ପରେ ପୁରା ପରିବାର ସ୍ତବ୍ଦ ହୋଇଯାଇଥିଲେ । କାରଣ ଭୋର ୪.୩୦ ସମୟରୁ ହିଁ ହିମାଂଶୁ ତାର ବନ୍ଧୁ ନରେଶ ସହ ନିଜ କର୍ମସ୍ଥଳୀ ଲାଂଜିଗଡର ବେଦାନ୍ତ ଅଭିମୁଖେ ବାହାରିଥିଲେ । ନୂଆ ନୂଆ ଚାକିରୀ ପାଇଛନ୍ତି, ଟିକେ ଲେଟ୍‌ ହେଲେ ଇମ୍ପ୍ରେସନ୍‌ ଖରାପ ହେବ । ସେଥିପାଇଁ ବାଇକ୍‌ ଧରି ବାହାରିପଡିଥିଲେ । କିନ୍ତୁ ରାସ୍ତା ତ ପଡିଥିଲା ଆଗକୁ ହେଲେ ଜୀବନ ରହିଗଲା ଅଧା ବାଟରେ । ଗତକାଲି ହୋଲି ପାଇଁ ଛୁଟି ଥିବାରୁ ହିମାଂଶୁ ତାର ଅତିପ୍ରୀୟ ବନ୍ଧୁ ନରେଶକୁ ସାଙ୍ଗରେ ନେଇ ସୁବଳୟାକୁ ଆସି ବୁଧବାର ସକାଳୁ ଲାଂଜିଗଡ ଅଭିମୁଖେ ବାହାରିଥିଲେ ହିମାଂଶୁ ।

ଦୁହେଁ ଥିଲେ ପରମ ବନ୍ଧୁ । ଏକାଠି ରହି ପାଠ ପଢିଥିଲେ ଏକା ସାଙ୍ଗରେ ଉଭୟ ବନ୍ଧୁ ବେଦାନ୍ତରେ ଲାଂଜିଗଡରେ ଚାକିରୀ ବି ପାଇଥିଲେ । ଏଣୁ ସେଠାରେ ମଧ୍ୟ ଦୁଇବନ୍ଧୁ ଏକାଠି ରହି ଚାକିରୀ କରୁଥିଲେ । ହୋଲି ପୁର୍ବଦିନ ସେଠାରେ ଦୁଇବନ୍ଧୁ ସାଙ୍ଗହୋଇ ହୋଲି ଖେଳିଥିଲେ । ଗାଁରେ ଥିବା ଭାଇ ଭଉଣୀମାନଙ୍କୁ କହିଥିଲେ କାଲି ଛୁଟିରେ ଯାଉଛି ସମସ୍ତେ ମିଶି ହୋଲି ଖେଳିବା । ସୁବଳୟାକୁ ଆସି ସମସ୍ତଙ୍କ ସହ ମିଶି ଦୁଇବନ୍ଧୁ ହୋଲି ତ ଖେଳିଲେ କିନ୍ତୁ ତାହା ସେମାନଙ୍କ ପାଇଁ ହୋଇଥିଲା ଶେଷ ହୋଲି । କାରଣ ହୋଲି ଖେଳି ଗନ୍ତବ୍ୟ ସ୍ଥଳକୁ ଫେରିବା ବାଟରେ ହିଁ ଆରପାରିକୁ ଚାଲିଗଲେ ଦୁହେଁ ।

ବୋଧହୁଏ ଭଗବାନଙ୍କ ଏହାହିଁ ଲେଖାଥିଲା । ସବୁଦିନ ପାଇଁ ଉଭୟ ବନ୍ଧୁ ବାପା,ମାଁଙ୍କ କୋଳ ଖାଲିକରି ଚାଲିଗଲେ ହିମାଂଶୁ ଆଉ ନରେଶ । ଦୁର୍ଘଟଣା ପରେ ବଲାଙ୍ଗୀର ମେଡିକାଲରେ ଉଭୟଙ୍କ ପୋଷ୍ଟମଟମ ପରେ ପରିବାର ବର୍ଗଙ୍କୁ ଶବ ହସ୍ତାନ୍ତର କରାଯାଇଥିଲା । ବୁଧବାର ସନ୍ଧ୍ୟାରେ ସୁବଳୟାରେ ହିମାଂଶୁ ଏବଂ ଡୁଙ୍ଗୁରିପାଲିରେ ନରେଶଙ୍କ ଜୁଇ ଜଳିଛି । ହିମାଂଶୁଙ୍କ ଭଳି ଏକ ସରଳ ନିସ୍କପଟ ଯୁବକଙ୍କୁ ହରାଇ ଏବେ ଝୁରି ହେଉଛନ୍ତି ପରିବାର ଓ ଗ୍ରାମବାସୀ ।

ଏବେ ଆରପାରିରେ ଦୁଇବନ୍ଧୁ । ଏଭଳି ଏକ ମର୍ମନ୍ତୁଦ ଦୁର୍ଘଟଣାରେ ସମସ୍ତଙ୍କୁ ଛାଡି ଆରପାରିକୁ ଏମିତି ଅକସ୍ମାତ୍‌ ଚାଲିଯିବା ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । କିନ୍ତ ସମସ୍ତଙ୍କ ମହୁଁରେ ଏବେ ଗୋଟି ଶବ୍ଦ ଏମାନେ ଥିଲେ ସାଥି ଜନ୍ମ ଜନ୍ମର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.