ଗୁଣିଗାରେଡି ସନ୍ଦେହରେ ବୃଦ୍ଧାଙ୍କୁ ହତ୍ୟା ଘଟଣା, ନିଜେ ପୋଲିସ୍‌ ପାଖକୁ ଯାଇ ଆତ୍ମସମର୍ପଣ କଲେ ନାବାଳକ ଭାଇ ଭଉଣୀ

ଘଟଗାଁ (କେ ନ୍ୟୁଜ୍‌) : ଅଦିବାସୀ ଅଧ୍ୟୁଷିତ ଅଂଚଳ କେନ୍ଦୁଝର ଜିଲ୍ଲା । ଜଙ୍ଗଲ ଖଣିଖାଦାନ ଭରା ଏହି ଜିଲ୍ଲାରେ ବସବାସ କରୁଥିବା ଅନେକ ଲୋକ ଏବେବି କୁସଂସ୍କାର ଓ ଅନ୍ଧ ବିଶ୍ୱାସ ଭିତରେ ବୁଡି ରହୁଛନ୍ତି । ତାର ପ୍ରଭାବ କେବଳ ବଡ଼ ମଣିଷଙ୍କ ଉପରେ ପଡ଼ିନି, ପିଲାମାନେ ମଧ୍ୟ ଏହାର ଶିକାର ହୋଇଛନ୍ତି । ଯାହା ଫଳ ସ୍ୱରୁପ ଅକାରଣରେ ଅନେକ ନିରୀହ ଜୀବନ ଚାଲି ଯାଇଉଛି । ଏଭଳି ଏକ ଘଟଣା ଘଟି ଯାଇଛି ଘଟଗାଁ ବ୍ଲକ ଅନ୍ତର୍ଗତ ଭୋଳବେଡା ଗାଁରେ । ଗୁଣିଗାରେଡି ସନ୍ଦେହରେ ଜଣେ ବୃଦ୍ଧାଙ୍କୁ ଆତି ନିର୍ମମ ଭାବେ ହତ୍ୟା କରିଛନ୍ତି ଦୁଇଜଣ । ଆଉ ସେମାନେ ହେଉଛନ୍ତି ଜଣେ ନାବାଳକ ଓ ଜଣେ ନାବାଳିକା ।

ଗତ ବୁଧବାର ଦିନ ରାତିରେ ଘଟଗାଁ ଥାନା ଅନ୍ତର୍ଗତ ଭୋଳବେଡା ଗାଁର କୁନି ମୁଣ୍ଡା ଘରେ ଏକା ଶୋଇଥିବା ବେଳେ ଜଣେ ନାବାଳକ ଓ ଜଣେ ନାବାଳିକା ତାଙ୍କ ଘରକୁ ଆସି ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଥିଲେ । ଆଶ୍ଚର୍ଯ୍ୟର କଥା ହେଉଛି ହତ୍ୟା କରିବା ପରେ ଦୁଇ ଜଣ ଯାକ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ।

ଯାହା ଜଣାପଡ଼ିଛି, ନାବାଳକମାନେ ନିଜ ପରିବାର ଲୋକଙ୍କ କ୍ରମାଗତ ଭାବେ ଦେହ ଖରାପ ପାଇଁ କୁନି ମୁଣ୍ଡା ଦାୟୀ ବୋଲି ସନ୍ଦେହ କରି ଆସୁଥିଲେ । କୁନି ଗୁଣିଗାରେଡି କରି ତାଙ୍କ ଘର ଲୋକଙ୍କୁ ଅସୁବିଧାରେ ପକାଉଥିବା ଭାବୁଥିଲେ । ଏଣୁ କୁନି ମୁଣ୍ଡାକୁ ମାରିଦେଲେ ସବୁ ସମସ୍ୟାର ସମାଧାନ ହୋଇଯିବ ବୋଲି ଉଭୟ ଭାବିଥିଲେ । ତେଣୁ ଯୋଜନା ମୁତାବକ ବୁଧବାର ରାତିରେ କୁନି ମୁଣ୍ଡା ଶୋଇବା ପରେ ତାଙ୍କ ଘରକୁ ଯାଇ ଉଭୟ ଏକ ଧାରୁଆ ଟାଙ୍ଗିଆରେ ତାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ । ଏହି ଘଟଣା ଘଟିବା ପରେ ଘଟଗାଁ ପୋଲିସ ଓ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିବା ସହ ଏକ ମାମଲା ରୁଜୁ କରିଥିଲା । ତଦନ୍ତ ପରେ ଉଭୟ ନାବାଳକ ଓ ନାବାଳିକାକୁ ଜୁଭେନାଲ କୋର୍ଟ ଚାଲାଣ କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.