ହସୁଥିବା ଖେଳୁଥିବା ଦୁଇ ଭାଇଭଉଣୀ ହଠାତ୍‌ ହୋଇଗଲେ ଅକମର୍ଣ୍ୟ

ବରଗଡ (କେନ୍ୟୁଜ) : ଈଶ୍ୱରଙ୍କ ଲୀଳା ବଡ଼ ବିଚିତ୍ର। କାହାକୁ ଯେ କେମିତି ସୁଖ ଆଉ ଦୁଃଖ ଦିଅନ୍ତି, ତାହା କେବଳ ତାଙ୍କୁ ହିଁ ଜଣା। ଏହି ଦୁଇ ପୁଅ ଝିଅ ଅନ୍ୟ ପିଲାଙ୍କ ଭଳି ଖେଳୁଥିଲେ ବୁଲୁଥିଲେ, ପାଠ ବି ପଢ଼ୁଥିଲେ। କିନ୍ତୁ ଜୀବନରେ ଏମିତି ଏକ ଦିନ ଆସିବ ଆଉ ଏମିତି ଭୋଗିବାକୁ ପଡିବ ଏକଥା କେବେ କେହି କଳ୍ପନା ବି କରିନଥିଲେ। ବରଗଡ଼ ଜିଲ୍ଲା ବରପାଲି ବ୍ଲକ କୁମ୍ଭାରୀ ଗାଁ ବନ୍ଦପଡା ଠାରେ ରୁହନ୍ତି ଗୌରଚରଣ ସାହୁ। ବୟସ ୭୫ ବର୍ଷ। ପରିବାର କହିଲେ ସ୍ତ୍ରୀ ଅମ୍ବିକା ସାହୁ ଆଉ ଦୁଇପୁଅ ଝିଅ । ଏମାନେ ଦିନେ ଖେଳ କୁଦ କରି ଘର ବାହାର କମ୍ପାଉଥିଲେ । ସ୍କୁଲରେ ପାଠ ବି ପଢ଼ୁଥିଲେ ।

ହେଲେ ହଠାତ ଏହି ହସଖୁସିର ପରିବାରକୁ ଲାଗିଗଲା ଗ୍ରହଣ । ଜଣକ ପରେ ଜଣେ ଉଭୟ ପିଲା ଅଜଣା ରୋଗରେ ଆକ୍ରାନ୍ତ ହେଲେ । ଆଉ ବିକଳାଙ୍ଗ ହୋଇଗଲେ । ଅବସ୍ଥା ଏମିତି ଯେ ଏମାନଙ୍କୁ ସାମାନ୍ୟ ପରିସ୍ରା କିମ୍ବା ଶୌଚ କରିବା ପାଇଁ ମଧ୍ୟ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ବୋହିକି ନେବା ଆଣିବା କରିବାକୁ ପଡୁଛି। ଯଦି କେହି ନାହାନ୍ତି ତେବେ ଘୁସୁରୀ ଘୁସୁରୀ କିଛି ଦୂର ଚାଲି ଯାଆନ୍ତି ଏମାନେ । ଝିଅ ଦଶମ ଶ୍ରେଣୀରେ ପଢୁଥିବା ବେଳେ ସ୍କୁଲରେ ଅଚାନକ ଅଚେତ ହୋଇ ପଡ଼ିଗଲା । ତାପରଠାରୁ ଅକର୍ମଣ୍ୟ । ତାର ଠିକ୍‌ ଦୁଇ ବର୍ଷ ପରେ ପୁଅଟି ଅଷ୍ଟମ ଶ୍ରେଣୀରେ ପଢୁଥିବା ବେଳେ ଏହି ଅଜଣା ରୋଗର ଶିକାର ହେଲା ।

ପୁଅ ଝିଅଙ୍କ ଚିକତ୍ସା ବାବଦକୁ ଜମି ବାଡ଼ି, ସୁନା ରୁପା, ଏପରିକି ଘରର ବାସନ ମଧ୍ୟ ବିକ୍ରି ସରିଲାଣି। ହେଲେ ସେମାନଙ୍କ ସ୍ୱାସ୍ଥ୍ୟରେ ଆଦୌ ସୁଧାର ଆସି ନାହିଁ । ଦୁଇ ପିଲାଙ୍କ ଚିକିତ୍ସା ପାଇଁ ସୁଦୂର ବାଙ୍ଗାଲୋର, ଦିଲ୍ଲୀ ଏମ୍ସ ହସ୍ପିଟାଲକୁ ନେଇଯାଇଥିବା ବେଳେ କଟକ, ବୁର୍ଲା ସବୁ ଠାରେ ଦେଖାଇ ସରିଲାଣି । ହେଲେ କେବଳ ମିଳିଛି ନିରାଶା । ବାପା ମାଆ ଦୁହେଁ ପିଲାଙ୍କ ଚିକିତ୍ସା ପାଇଁ ସବୁ କିଛି ବିକ୍ରି କରି ଏବେ ନିଃସ୍ୱ ଓ ଅସହାୟ ହୋଇପଡ଼ିଛନ୍ତି। ଏବେ କେବଳ ଜୀବନ ବଞ୍ଚାଇବା ପାଇଁ ଚାଲିଛି ସଂଘର୍ଷ। ସକାଳ ହେଲେ କେମିତି ପେଟରେ ଦାନା ପଡ଼ିବା ସେହି ଚିନ୍ତା ଘାରୁଛି ବାପା ମା’ଙ୍କୁ । ସରକାର ଦେଉଥିବା ୩୫ କେଜି ଚାଉଳରେ ୨୦ଦିନ ଚଳି ଯାଆନ୍ତି । ବାକି ଦିନମାନଙ୍କରେ ଭାତ ମୁଠାଏ ପାଇଁ ବେଶ ହଟହଟା ହେବାକୁ ପଡୁଛି ବୃଦ୍ଧବାପା-ମାଆଙ୍କୁ । ଏପରିକି ବେଳେ ବେଳେ ପେଟରେ ଓଦା କନା ଦେଇ ଭୋକ ଉପାସରେ ଶୋଇ ଯାଆନ୍ତି ।

ସରକାରଙ୍କ କିଛି ଭତ୍ତା ମଧ୍ୟ ମିଳୁଛି ହେଲେ ଏହି ଅର୍ଥ ଠାରୁ ଢେର ଅଧିକ ହୋଇଯାଉଛି ଔଷଧ ବାବଦକୁ ଖର୍ଚ୍ଚ । ତେଣୁ ଅନ୍ୟ ଘରେ କୁଲି, ମଜୁରୀ କରି କିଛି ରୋଜଗାର କରି ଚଳି ଯାଆନ୍ତି । ତେଇଶି ବର୍ଷର ଝିଅ ଆଉ କୋଡ଼ିଏ ବର୍ଷର ପୁଅ । ଏମାନେ ବାପା ମା’ଙ୍କ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ । ତେଣୁ କେହି ଜଣେ ଘରେ ରହି ସେମାନଙ୍କ ଦେଖାଶୁଣା କଲେ ଅନ୍ୟ ଜଣେ ଯାଏ କାମକୁ । ଆଉ ଏବେ ସେମାନଙ୍କ ପାଇଁ କୋରନା ସାଜିଛି କାଳ । ସବୁ ରାସ୍ତା ଯେମିତି ବନ୍ଦ ହୋଇଯାଇଛି ଏହି ପରିବାଂର ପାଇଁ । ତେଣୁ ନିଜ ଅଧାଗଢ଼ା କୁଡ଼ିଆ ଘରେ କେବଳ ଭଗବାନ ଭରସାରେ ପଡ଼ି ରହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.