ଶବ ଗୋଟିଏ ଦାବିଦାର ଦୁଇ ଜଣ ମହିଳା, ଦୁଇ ଜଣ ଯାକ ବିଧବା ହେବାକୁ ରାଜି
ଭୁବନେଶ୍ୱର (କେନ୍ୟୁଜ୍) : ଶବ ଗୋଟିଏ ହେଲେ ଦାବିଦାର ଦୁଇଜଣ । ଦୁଇଜଣ ମହିଳା ଦାବି କରୁଥିଲେ ଏଇ ମୋ ସ୍ୱାମୀ, ମୋତେ ତାଙ୍କ ଶବକୁ ଦିଆଯାଉ । ଯାହାକୁ ନେଇ ପୋଲିସ୍ର ଅକଲ ବି ଗୁଡୁମ ହୋଇଗଲା କିଛି ସମୟ ପାଇଁ । ଜଣେ ମହିଳା ମୃତଦେହ ଚିହ୍ନଟ କରି ତାଙ୍କ ସ୍ୱାମୀ ଯୋଗେନ୍ଦ୍ର ଆଚାର୍ଯ୍ୟ ବୋଲି କହୁଥିବା ବେଳେ ଆଉ ଜଣେ ମହିଳା କହୁଥିଲେ ଇଏ ମୋ ସ୍ୱାମୀ ପ୍ରଦୀପ ସାହୁ । ଆସନ୍ତୁ ଜାଣିବା ପୂରା ଘଟଣା ।
ଏକ ସାଇକେଲ ଚୋରି ମାମଲାରେ ଜଣେ ବ୍ୟକ୍ତିଙ୍କୁ ଭୁବନେଶ୍ୱର ବଡ଼ଗଡ଼ ପୋଲିସ୍ ଗିରଫ କରିଥିଲା । ପରେ ହାଜତ ଭିତରେ ତାଙ୍କର ମୃତ୍ୟୁ ହୋଇ ଯାଇଛି । ଜଣେ ମହିଳା କାନ୍ଦି କାନ୍ଦି ଅଭିଯୋଗ କରୁଥାନ୍ତି କି ମୋ ସ୍ୱାମୀକୁ ପୋଲିସ୍ ମାଡ଼ ମାରିବା ଯୋଗୁଁ ସେ ମରିଗଲେ । ଅନ୍ୟପଟେ କିଛି ସମୟ ପରେ ଆଉ ଜଣେ ମହିଳା ଆସି ମୃତକଙ୍କୁ ତାଙ୍କ ସ୍ୱାମୀ ବୋଲି ଦାବି କଲେ । ତେବେ ବୁଝି ହେଉ ନଥିଲା ଜଣକ ପାଇଁ କାହିଁକି ଦୁଇଜଣ ବିଧବା ହେବାକୁ ଚାହୁଁଛନ୍ତି ? ଜଣେ କହୁଛନ୍ତି ଇଏ ମୋ ସ୍ୱାମୀ ଯୋଗେନ୍ଦ୍ର ଚୌଧୁରୀ ଓ ଆଉ ଜଣେ କହୁଛନ୍ତି ଇଏ ମୋ ସ୍ୱାମୀ ପ୍ରଦୀପ ସାହୁ । ଏହି ଘଟଣାକୁ ନେଇ ବେଶ୍ କିଛି ସମୟ ଟଣାଓଟରା ଚାଲିଲା । ଶେଷରେ ପୋଲିସ୍ ନିଜ ତରଫରୁ ଶବକୁ ନେଇ ଉଭୟ ପରିବାର ସହ ସତ୍ୟନଗର ମଶାଣିରେ ପହଞ୍ଚିଲା । ଆଉ ଦୁଇ ମହିଳାଙ୍କ ପୁଅକୁ ଡାକିଲା ମୁଖାଗ୍ନି ଦେବା ପାଇଁ । ସେଇଆ ହିଁ ହେଲା ।
ତେବେ ପୋଲିସ୍ ଠାରୁ ଯାହା ଜଣାପଡ଼ିଲା କି ମୃତକଙ୍କ ପ୍ରକୃତ ନାଁ ହେଉଛି ପ୍ରଦୀପ କୁମାର ସାହୁ । ତାଙ୍କ ଘର ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅନ୍ତର୍ଗତ ଭୁଷଣ୍ଡପୁରର ବାଲିପାଟପୁର ଠାରେ । ତେବେ ସେ ଜଣେ ପେସାଦାର ଚୋର । ତେଣୁ ନାଁ ବଦଳାଇ ପୋଲିସ୍କୁ ଧୋକା ଦେଉଥିଲା । ଗାଁରେ ତାର ପ୍ରଥମ ପତ୍ନୀ ଓ ପିଲାମାନେ ରହୁଥିବା ବେଳେ ଭୁବନେଶ୍ୱର ସୁନ୍ଦରପଦାରେ ଦ୍ୱିତୀୟ ପତ୍ନୀ ଓ ଚାରିଟି ସନ୍ତାନଙ୍କ ସହ ରହୁଥିଲା । ପୂର୍ବରୁ ମଧ୍ୟ ସାଇକେଲ ଚୋରି କେସ୍ରେ କେତେଥର ପୋଲିସ୍ ହାତରେ ଧରାପଡ଼ିଛି । ଏମିତିକି ସିସିଟିଭି ଭିଜୁଆଲରେ ମଧ୍ୟ ପ୍ରଦୀପକୁ ଦେଖା ଯାଇଥିବା ପୋଲିସ୍ ସୂଚନା ଦେଇଛି ।
ଗତ ରବିବାର ରାତିରେ ବଡ଼ଗଡ଼ ଅଞ୍ଚଳରେ ସାଇକେଲ ଚୋରି କରୁଥିବା ବେଳେ ପ୍ରଦୀପକୁ ପୋଲିସ୍ ଧରିଥିଲା । ହେଲେ ଗତକାଲି ସକାଳେ ତାର ମୃତ୍ୟୁ ହୋଇଛି ବୋଲି ପୋଲିସ୍ ପ୍ରଦୀପର ଦ୍ୱିତୀୟ ସ୍ତ୍ରୀ’ଙ୍କୁ ସୂଚନା ଦେଲା । ମୃତଦେହ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସପିଟାଲରେ ଥିବା ବେଳେ ଶବକୁ ନେଇ ଚାଲିଲା ଟଣାଓଟରା । ଏମିତିକି ପୋଲିସ୍ ବିରୋଧରେ ଅଭିଯୋଗ ଉଠିଲା । ହାଜତ ଭିତରେ କେମିତି ପ୍ରଦୀପର ମୃତ୍ୟୁ ହେଲା ସେ କଥା ସ୍ପଷ୍ଟ ହୋଇନାହିଁ । ତେବେ ଏହି ଘଟଣାରେ ପୋଲିସ୍ର କହିବା ହେଲା କି ସାଇକେଲ ଚୋରି ବେଳେ ଧରାପଡ଼ିବାରୁ ସେ ଦୌଡ଼ି ପଳାଉଥିଲା । ପୋଲିସ୍ ଗୋଡ଼ାଇବା ବେଳେ ସେ ତଳେ ପଡ଼ି ଯାଇ ଆହତ ହୋଇଥିଲା । ଥାନାକୁ ଆସିବା ପରେ ତାର ନିଶ୍ୱାସ ନେବାରେ କଷ୍ଟ ହେଲା । ତାକୁ ପ୍ରାଥମିକ ଚିକିତ୍ସା କରିବା ପରେ କ୍ୟାପିଟାଲ ହସପିଟାଲ ନିଆଯାଇଥିଲା । ହେଲେ ସେଠାରେ ପହଞ୍ଚିବା ପରେ ଡାକ୍ତର ପ୍ରଦୀପକୁ ମୃତ ଘୋଷଣା କରିଥିଲେ । ଯାହା ସୂଚନା ମିଳିଛି, ଉଭୟ ସ୍ତ୍ରୀ ତାଙ୍କ ପରିବାର ଭିତରେ ଅଲଗା ଶୁଦ୍ଧି ହେବାକୁ ସ୍ଥିର କରିଛନ୍ତି ।