ଭଦ୍ରକ ଧାମନଗରରୁ ଆଉ ଜଣେ ଅଚେତ ଯୁବତୀ ଉଦ୍ଧାର, ଡାକ୍ତରଖାନାରେ ଭର୍ତ୍ତି କରି ପଳାଇ ଗଲେ

ଭଦ୍ରକ (କେ ନ୍ୟୁଜ୍‌) : ଦୁଇ ଦିନ ତଳେ ଅଚେତ ଅବସ୍ଥାରେ ଉଦ୍ଧାର ହୋଇଥିବା ଜଣେ ଯୁବତୀର କଟକରେ ମୃତ୍ୟୁ ଘଟିଛି । ସେହି ଘଟଣା ମନରୁ ନଲିଭୁଣୁ ପୁଣି ଏକ ସମାନ ଘଟଣା ଏବେ ଭଦ୍ରକ ଧାମନଗର ବାସିନ୍ଦାଙ୍କ ନିଦ ହଜାଇ ଦେଇଛି । ଆଜି ପୁଣି ଜଣେ ଯୁବତୀ ମୁମୂର୍ଷୁ ଅବସ୍ଥାରେ ଧାମନଗର ଡାକ୍ତରଖାନାରେ ଭର୍ତ୍ତି କରି କିଛି ଯୁବକ ଫେରାର ହୋଇଯାଇଛନ୍ତି। ତେବେ ସ୍ଥାନୀୟ ଲୋକେ ଜଣକୁ ଧରି ପୋଲିସ୍‌ ଜିମା ଦେଇଛନ୍ତି । ଯଦିଓ ଯୁବକ ଜଣକ ନିଜକୁ ନିର୍ଦ୍ଦୋଷ ବୋଲି କହୁଛନ୍ତି ତଥାପି ପୋଲିସ୍‌ ତାଙ୍କୁ ଅଟକ ରଖି ପଚରା ଉଚରା କରୁଛି । ଏପଟେ ହୋସରେ ନଥିବା ଯୁବତୀ ଜଣକ କିଛି କହି ପାରୁନାହାନ୍ତି । ଖାଲି ବାଉଳି ହେଉଛନ୍ତି । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାକୁ ଦୃଷ୍ଟିରେ ରଖି ପୋଲିସ୍‌ ଓ ଡାକ୍ତର ସତର୍କ ରହିଛନ୍ତି ।

GIRL-2ସ୍ଥାନୀୟ ଲୋକଙ୍କ ଠାରୁ ଜଣାପଡ଼ିଛି ଯେ ପାଞ୍ଚ ଜଣ ଯୁବକ ସେହି ଯୁବତୀ ଜଣକୁ ଅଚେତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରି ପଳାଇ ଯାଉଥିଲେ । ଲୋକଙ୍କର ସନ୍ଦେହ ହେବାରୁ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ । ତେବେ ଅନ୍ୟମାନେ ଫେରାର ହୋଇଯାଇଥିବା ବେଳେ ଜଣକୁ ବାଇକ ସହ ଲୋକେ ଧରି ପକାଇଥିଲେ । ପୋଲିସ୍‌ ତାଙ୍କୁ ଅଟକ ରଖି ପଚରା ଉଚରା କରୁଛି । ଝିଅଟିର ଘର ଧାମନଗର ଦହିପୁର ମଲ୍ଲିକ ସାହିରେ ।
ଅଳ୍ପଦିନ ପୂର୍ବରୁ ଧାମନଗର ଅର୍ଜୁନପୁର ପୋଲ ନିକଟରେ ଅଚେତ ହୋଇ ପଡ଼ିଥିବା ଜଣେ ଯୁବତୀଙ୍କୁ ଠିକ୍‌ ଏହିଭଳି ଭାବେ କିଛି ଯୁବକ ଧାମନଗର ଡାକ୍ତରଖାନାରେ ଭର୍ତ୍ତି କରି ଚାଲି ଯାଇଥିଲ । ଦୁଇଦିନ ତଳେ କଟକ ଡାକ୍ତରଖାନାରେ ତାର ମୃତ୍ୟୁ ହୋଇଯାଇଛି । ଆଜିର ଘଟଣାରେ ଅଟକ ଯୁବକର ଏଥିରେ ସଂପୃକ୍ତି ଥିବା ସନ୍ଦେହ କରାଯାଉଥିବା ବେଳେ ଫେରାର ଥିବା ବାକି ଯୁବକଙ୍କୁ ପୋଲିସ୍‌ ଖୋଜୁଛି ।

Leave A Reply

Your email address will not be published.