ପଦ୍ମପୁର ଉପନିର୍ବାଚନ ପାଇଁ କିଏ ହେବେ ବିଜେଡି ପ୍ରାର୍ଥୀ? ଆଜି କିମ୍ବା ଆସନ୍ତାକାଲି ହେବ ଘୋଷଣା

ପଦ୍ମପୁର(କେନ୍ୟୁଜ୍): ପଦ୍ମପୁର ଉପନିର୍ବାଚନ ପାଇଁ କିଏ ହେବେ ବିଜେଡି ପ୍ରାର୍ଥୀ । ଆଜି କିମ୍ବା ଆସନ୍ତାକାଲି ପ୍ରାର୍ଥୀଙ୍କ ନାଁ ଘୋଷଣା କରିପାରେ ବିଜେଡି । ଦିବଂଗତ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ପରିବାରରେ ଟିକେଟ ଦାବିଦାରଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ବିଜୟ ରଞ୍ଜନ ସିଂ ବରିହାଙ୍କ ପତ୍ନୀ ତିଳୋତ୍ତମା ସିଂ ବରିବା ନା ତାଙ୍କ ଝିଅ ବର୍ଷାରାଣୀ ? କାହାକୁ ଦଳ ଦେବ ଟିକେଟ ଦେବ ?

ସେହିପରି ବିଜୟ ରଞ୍ଜନ ସିଂ ବରିହାଙ୍କ ବଡ଼ ଭାଇ ମନୋରଞ୍ଜନ ସିଂ ବରିହା ବି ଟିକେଟ ଆଶାୟୀ ଅଛନ୍ତି । ସେହିପରି ବିଜୟ ରଞ୍ଜନଙ୍କ ପରିବାର ବାହାରେ ବି ଆଶାୟୀଙ୍କ ତାଲିକା ଲମ୍ବୁଛି । ସୁପ୍ରିମୋ ସବୁ ଦିଗକୁ ବିଚାର କରି ଖୁବଶୀଘ୍ର ପ୍ରାର୍ଥୀ ଘୋଷଣା କରିବେ ବୋଲି ଦଳ କହିଛି । ପଦ୍ମପୁରରେ ବିଜେଡିର ତୁଙ୍ଗ ନେତାମାନେ ମାରାଥନ୍‌ ବୈଠକ କରି ବିଚାରବିମର୍ଶ ଚଳାଇଛନ୍ତି । ବିଭିନ୍ନ ଜୋନରେ ପହଞ୍ଚି ସାଙ୍ଗଠନିକ ସ୍ଥିତି ମଜଭୁତ କରିବାରେ ଲାଗିଛନ୍ତି ବିଜେଡିର ବହୁ ହେଭିୱେଟ୍‌ ନେତା ।

ଏପଟେ ପଦ୍ମପୁର ଲଢ଼େଇ ପାଇଁ ଯୋଦ୍ଧାଙ୍କ ନାଁ ଘୋଷଣା କରିଛି ବିଜେପି ଓ କଂଗ୍ରେସ । ପୁଣି ଥରେ ପ୍ରଦୀପ ପୁରୋହିତଙ୍କ ନାଁରେ ମୋହର ମାରିଛି ବିଜେପି । କଂଗ୍ରେସ ସତ୍ୟଭୂଷଣ ସାହୁଙ୍କ ଉପରେ ଭରସା କରିଛି । ୨୦୧୯ ବିଧାନସଭା ନିର୍ବାଚନରେ ପ୍ରଦୀପ ପୁରୋହିତ ଓ ସତ୍ୟଭୂଷଣ ସାହୁ ପଦ୍ମପୁରରୁ ପ୍ରାର୍ଥୀ ହୋଇଥିଲେ । ୨୦୧୪ ଓ ୨୦୧୯ ବିଧାନସଭା ନିର୍ବାଚନରେ ପଦ୍ମପୁରରେ ବିଜେଡି ଓ ବିଜେପି ମଧ୍ୟରେ ଲଢେଇ ଦେଖିବାକୁ ମିଳିଛି । ୫ ହଜାର ଭିତରେ ରହିଛି ଭୋଟ୍‌ ବିଜୟ ବ୍ୟବଧାନ । କଂଗ୍ରେସ ମଧ୍ୟ ନିଜର ଦବଦବା ଜାହିର କରି ଆସୁଛି । ଉପନିର୍ବାଚନରେ ସବୁ ଦଳ ନିଜ ପତିଆରା ଦେଖାଇବାକୁ ଗୋଟି ଚାଳନା ଆରମ୍ଭ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.