ଆଉ କାମ କରିବୁନି ଏହି ଅଞ୍ଚଳ ଛାଡି ଚାଲିଯିବୁ, ରୁଦ୍ଧ ସ୍ୱରରେ ମାଓବାଦୀଙ୍କୁ ଗୁହାରି କଲେ ଅପହୃତ ଇଞ୍ଜିନିୟରଙ୍କ ପତ୍ନୀ

ମାଲକାନଗିରି(କେନ୍ଯୁଜ୍): ଆମେ ଆଉ କାମ କରିବୁନି। ମାଓବାଦୀ ମୋ ସ୍ବାମୀଙ୍କୁ ଦୟାକରି ଛାଡି ଦିଅନ୍ତୁ। ଆମେ ଘରକୁ ଚାଲିଯିବୁ। ଏଭଳି ରୁଦ୍ଧ ସ୍ୱରରେ ମାଓ ସଙ୍ଗଠନକୁ ଗୁହାରି କରିଛନ୍ତି ଅପହୃତ ଇଞ୍ଜିନିୟରଙ୍କ ପତ୍ନୀ।

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ରାସ୍ତା କାମରେ ନିୟୋଜିତ ଗୁପ୍ତା କମ୍ପାନୀର ଇଞ୍ଜିନିୟର ଅଶୋକ ପାୱାର ଏବଂ ସହଯୋଗୀଙ୍କୁ ଗତ ଏଗାର ତାରିଖରେ ଅପହରଣ କରିଥିଲେ। ତେବେ ୪ଦିନ ବିତିଯାଇଥିଲେ ସୁଦ୍ଧା ବର୍ତ୍ତମାନ ପର୍ଯ୍ୟନ୍ତ ଇଞ୍ଜିନିୟରଙ୍କୁ ମାଓବାଦୀ ନିଜ କବ୍ଜାରେ ରଖିଛନ୍ତି ।

ନକ୍ସଲ ଆଜି ପ୍ରଜା କୋର୍ଟରେ ଇଂଜିନିୟର ଏବଂ ତାଙ୍କ ସହଯୋଗୀଙ୍କୁ ହଜାର କରାଇ ତାଙ୍କୁ ଚେତାବନୀ ଦେଇ ଛାଡ଼ିଦେବେ ବୋଲି ଜଣାପଡିଛି। ଇଂଜିନିୟରଙ୍କ ପତ୍ନୀ ନେହୁରା ହୋଇ କହିଛନ୍ତି ଯେ, ଏହି ଅଂଚଳ ଛାଡି ଚାଲିଯିବା ସହ କାମ ମଧ୍ୟ ଛାଡି ଚାଲିଯିବେ ।

ତେଣୁ ଇଞ୍ଜିନିୟରଙ୍କ ପତ୍ନୀ,  ପିଲାଙ୍କୁ ସାଙ୍ଗରେ ନେଇ ସ୍ଵାମୀଙ୍କୁ ମୁକ୍ତ କରିବା ପାଇଁ ମାଓବାଦୀଙ୍କୁ ଗୁହାରି କରିଛନ୍ତି। ତେବେ ପୂର୍ବରୁ ଅନୁରୂପ ଆଉ ଜଣେ ଇଞ୍ଜିନିୟରଙ୍କୁ ମାଓବାଦୀ ଅପହରଣ କରି ମୁକ୍ତ କରିଥିବା ବେଳେ, ଅଶୋକଙ୍କୁ ମଧ୍ୟ ମାଓବାଦୀ ମୁକ୍ତ କରିଦେବେ ବୋଲି ପତ୍ନୀ ଆଶା ବାନ୍ଧିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.