ବଢୁଛି ଗୋବିନ୍ଦ ସାହୁଙ୍କ ଡେଥ ସସପେନ୍‌ସ, ପକେଟରୁ ବାହାରିଥିବା ଲଫାପା ଖୋଲିବ କି ରହସ୍ୟ ?

କେନ୍ୟୁଜ୍(ବ୍ୟୁରୋ): ବଢୁଛି ଗୋବିନ୍ଦ ସାହୁଙ୍କ ଡେଥ ସସପେନ୍‌ସ । ଲଫାପା ଖୋଲିବ କି ରହସ୍ୟ ? ମୃତ୍ୟୁ ପରେ ଗୋବିନ୍ଦଙ୍କ ପକେଟ୍‌ରୁ ମିଳିଛି ଏକ ବନ୍ଦ ଲଫାପା । ଏଥିରେ ସୁଇସାଇଡ ନୋଟ୍‌ ଥିବା ଚର୍ଚ୍ଚା ହେଉଛି । କିନ୍ତୁ ବିଧିବଦ୍ଧ ଭାବେ କିଛି କୁହାଯାଇନାହିଁ । ଲଫାପାରେ କ’ଣ ଅଛି ? ଆତ୍ମହତ୍ୟାର କାରଣ ଲଫାପାରେ ଲେଖା ଅଛି କି ? ଗୋବିନ୍ଦ ସାହୁ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ଟିମ୍‌ ତଦନ୍ତ କରୁଛି । ଏହି ଲଫାପାକୁ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି । ଆତ୍ମହତ୍ୟା କରିବା ପାଇଁ ଗୋବିନ୍ଦଙ୍କୁ ବାଧ୍ୟ କରାଯାଇଥିବା ଅଭିଯୋଗ କରିଛନ୍ତି ତାଙ୍କ ପରିବାର ଓ ସମ୍ପର୍କୀୟ । ଘଟଣାରେ ସିବିଆଇ ତଦନ୍ତ ପାଇଁ ଦାବି କରିଛନ୍ତି ।

ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ କଣ୍ଟାବାଞ୍ଜି ସବ୍‌ ଜେଲରେ ଥିଲେ । ଗତକାଲି ଜେଲରେ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା । ମମିତାଙ୍କ ପରିବାର କହିଛନ୍ତି ଆମେ ଚାହୁଁଥିଲୁ ମୁଖ୍ୟ ଅଭିଯୁକ୍ତକୁ ଫାଶୀ ମିଳୁ । କୋର୍ଟ ଦଣ୍ଡ ଦେବା ପୂର୍ବରୁ ଭଗବାନ ତାକୁ ଦଣ୍ଡ ଦେଲେ ।

ଏପଟେ ଗୋବିନ୍ଦ ସାହୁ ମୃତ୍ୟୁ ଘଟଣାରେ ଆସିଲା ଜେଲ୍‌ ବିଭାଗର ତଦନ୍ତ ରିପୋର୍ଟ । ଜେଲ୍‌ ଏଡିଜି ଦୀପ୍ତେଶ ପଟ୍ଟନାୟକଙ୍କୁ ୪ ପୃଷ୍ଠା ସମ୍ବଳିତ ତଦନ୍ତ ରିପୋର୍ଟ ଦେଇଛନ୍ତି ସମ୍ବଲପୁର ରେଞ୍ଜ ଜେଲ୍‌ ଡିଆଇଜି ଅନସୂୟା ଜେନା। ତଦନ୍ତ ରିପୋର୍ଟରେ ଗୋବିନ୍ଦ ସାହୁଙ୍କ ମୃତ୍ୟୁର ବିଭିନ୍ନ ଦିଗକୁ ଦର୍ଶାଯାଇଛି । କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ କଣ୍ଟାବାଞ୍ଜି ସବ୍‌-ଜେଲର ଓ୍ଵାର୍ଡର ଅକ୍ଷୟ ମହାନ୍ତିଙ୍କୁ ନିଲମ୍ବନ କରାଯାଇଛି । ଝରକାରେ ଗାମୁଛା ଦେଇ ଆତ୍ମହତ୍ୟା କରିଛନ୍ତି ଗୋବିନ୍ଦ । ଆତ୍ମହତ୍ୟା ସମୟରେ ଜଣେ କଏଦୀ ଦେଖିଛନ୍ତି । ସେ ପାଟି କରି ଅନ୍ୟମାନଙ୍କୁ ଡାକିଥିଲେ । ଗତକାଲି କଣ୍ଟାବାଞ୍ଜି ଜେଲ୍‌ ଯାଇ ସରଜମିନ ତଦନ୍ତ କରିଥିଲେ ସମ୍ବଲପୁର ରେଞ୍ଜ ଜେଲ୍‌ ଡିଆଇଜି ଅନସୂୟା ଜେନା । ଗତକାଲି କୋର୍ଟରେ ହାଜର ହୋଇ ଥାଆନ୍ତେ ଗୋବିନ୍ଦ ସାହୁ । ତାପୂର୍ବରୁ ଜେଲରେ କାହିଁକି ଜୀବନ ହାରିଲେ ? ସନ୍ଦେହଜନକ ମୃତ୍ୟୁ ନାନା ପ୍ରଶ୍ନବାଚୀ ସୃଷ୍ଟି କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.