ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ୪ ଆହତ

ବ୍ରହ୍ମପୁର (କେନ୍ୟୁଜ): ଗୋଷ୍ଠୀ ସଂଘର୍ଷ । ୪ ଆହତ । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଭୀଷ୍ମଗିରିରେ ଦୁଇ ଗୋଷ୍ଠୀ ମଧ୍ୟରେ ବିଳମ୍ବିତ ରାତିରେ ସଂଘର୍ଷ ଘଟି ୪ ଜଣ ଆହତ ହୋଇଛନ୍ତି । ଗାଁରେ ଠାକୁରାଣୀ ଯାତ୍ରା ଚାଲିଥିବା ବେଳେ ପୂର୍ବ ଶତ୍ରୁତାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ହୋଇଥିଲା । ଏହାପରେ ମାରଣାସ୍ତ୍ର ରେ ଆକ୍ରମଣ ଓ ପ୍ରତି ଆକ୍ରମଣ ହୋଇଥିବା ସୂଚନା ମିଳିଛି । ସମସ୍ତ ଆହତଙ୍କୁ ପ୍ରଥମେ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ୨ ଜଣଙ୍କୁ ବ୍ରହ୍ମପର ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି । ଘଟଣାର ତଦନ୍ତ କରୁଛି ପୋଲିସ୍ ।

ସେହିପରି ଜୁନ ୬ ତାରିଖରେ ବଡ଼ଗଡ଼ ଥାନା ରୁଗୁମା ପଞ୍ଚାୟତ ଶୁଣ୍ଢିପଲ୍ଲୀ ଗାଁରେ ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଥିଲା । କୌଣସି କଥାକୁ ନେଇ ରାତିରେ ମିଟୁ ବିଶୋୟୀ ଓ କାଳୁ ନାୟକଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ କାଳୁ ନାୟକ ମିଟୁଙ୍କୁ ଠେଙ୍ଗାରେ ଆକ୍ରମଣ କରିଥିଲେ । ଆକ୍ରମଣ କରିବା ପରେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ କାଳୁ । ସ୍ଥାନୀୟ ଲୋକେ ମିଟୁଙ୍କୁ ଉଦ୍ଧାର କରି ଆସ୍କା ମେଡ଼ିକାଲରେ ଭର୍ତ୍ତି କରିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ବଡ଼ଗଡ଼ ପୋଲିସ ଘଟଣା ସ୍ଥଳରେ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ।

Leave A Reply

Your email address will not be published.