ଇଏ କି ନିୟମ : ଶାଶୁ ଓ ବଡ ନଣନ୍ଦଙ୍କ ସହ ଝଗଡା ହେବାରୁ ମହିଳାଙ୍କୁ ଜରିମାନା ସହ ସାମାଜିକ ବୈଠକରେ କରାଗଲା ଲଣ୍ଡା

କୁଚିଣ୍ଡା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ପରୁଆଭାଡି ଗ୍ରାମରେ ପାରିବାରିକ ଗଣ୍ଡଗୋଳ ପରେ ସାମାଜିକ ବୈଠକରେ ମହିଳାଙ୍କୁ ୬ ହଜାର ଟଙ୍କା ଜରିମାନା ସହ କରାଗଲା ଲଣ୍ଡା । ଖବର ମୁତାବକ, ପାରୁଆଭାଡି ଗ୍ରାମର ଜନୈକା ମହିଳାଙ୍କ ସହିତ ତାଙ୍କ ଶାଶୁ ଓ ବଡ ନଣନ୍ଦଙ୍କ ଗଣ୍ଡଗୋଳ ହୋଇଥିଲା। ଏଥିରେ ମହିଳା ଜଣକ କାହିଁକି ଏତେ ପାଟି କରୁଛ କହି ବଡ ନଣନ୍ଦଙ୍କ ମୁହଁକୁ ହାତରେ ବନ୍ଦ କରିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ଶାଶୁ ଓ ଦେଢଶାଶୁ ତାଙ୍କୁ ମାଡ ମାରିଥିଲେ।ପରେ ଏହାକୁ ନେଇ ଗ୍ରାମରେ ସାମାଜିକ ବୈଠକ ବସିଥିଲା।

ଏଥିରେ ସମାଜର ବଡପଣ୍ଡାମାନଙ୍କ ନିଷ୍ପତ୍ତି କ୍ରମେ ମହିଳାଙ୍କୁ ଲଣ୍ଡା କରିବା ସହିତ ୬ ହଜାର ଟଙ୍କା ଜରିମାନା କରାଯାଇଥିଲା। ମହିଳା ଜଣକ ଯେତେ କାକୁତି ମିନତି ହେଲେ ମଧ୍ୟ କେହି ଶୁଣିନଥିଲେ। ତାଙ୍କ ସ୍ବାମୀ ମଧ୍ୟ ଜରିମାନା ଟଙ୍କା ଅଧିକ ନିଅନ୍ତୁ କିନ୍ତୁ ଲଣ୍ଡା ନକରିବା ପାଇଁ ଅନୁରୋଧ କରିଥିଲେ ମଧ୍ୟ ତାଙ୍କ କଥାକୁ ଭୃକ୍ଷେପ ନକରି ସେଠାରେ ମହିଳାଙ୍କୁ ଲଣ୍ଡା କରାଯାଇଥିଲା। ଏବେ ମହିଳା ଜଣକ ଲୋକଲଜ୍ଜା ଯୋଗୁଁ ତାଙ୍କ ମା ଘରେ ରହୁଛନ୍ତି। ଏହାକୁ ନେଇ ମହିଳା ଜଣକ ଆଜି କୁଚିଣ୍ଡା ଥାନା ଆସି ୯ ଜଣକ ନାମରେ ଅଭିଯୋଗ କରିବା ପରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ହୋଇଛି।

ଏନେଇ କିସାନ ସମାଜର ରାଜ୍ୟ ଉପସଭାପତି ବୃନ୍ଦାବନ ମାଝୀ କିସାନ ସମାଜରେ ଏହି ପରି କୌଣସି ନିୟମ ନାହିଁ ବୋଲି କହିଛନ୍ତି। ଏହାସହିତ ମହିଳା ମାନଙ୍କୁ ଆମ ସମାଜରେ ସମ୍ମାନ ଦିଆଯାଏ। ଏହାସହ ଯଦି ସମାଜର ଯେଉଁ ବ୍ୟକ୍ତି ମାନେ ଏପରି କାର୍ଯ୍ୟ କରିଛନ୍ତି ସେମାନଙ୍କୁ ଆଇନ ଅନୁସାରେ ଦଣ୍ଡ ମିଳିବା ଉଚିତ ବୋଲି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.