Below header

ଗଞ୍ଜାମ: ଗାଧୋଇବା ବେଳେ ନଦୀରେ ଭାସିଗଲେ ମହିଳା, ଲଟାରେ ଲଟକି ଯାଇ ୨ ଦିନ ପରେ ଜୀବିତ ଅବସ୍ଥାରେ ହେଲେ ଉଦ୍ଧାର

ଗଞ୍ଜାମ (କେନ୍ୟୁଜ୍):  ୪୮ ଘଣ୍ଟା ପରେ ନଦୀରେ ଭାସି ଯାଇଥିବା ମହିଳା ଜୀବିତ ଅବସ୍ଥାରେ ଘରକୁ ଫେରିବା ଘଟଣା ଅବିଶ୍ୱାସ ଲାଗୁଥିଲେ ବି ସତ। ଏପରି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜ଼ିଲ୍ଲା ଦିଗପହଣ୍ଡି ଥାନା ମୌଲାଭଣଞ୍ଜା ଗାଁରେ। ସୂଚନା ପ୍ରକାରେ, ସାନଖେମୁଣ୍ଡି ବ୍ଲକ ମୌଲାଭଣଞ୍ଜାର ରୀତା ଗୌଡ଼ ନାମ୍ନୀ ଜଣେ ମହିଳା ମଙ୍ଗଳବାର ସକାଳୁ ଗାଁ ନିକଟରେ ବହି ଯାଇଥିବା ଘୋଡ଼ାହାଡ଼ ନଦୀକୁ ଗାଧୋଇବାକୁ ଯାଇ ଗୋଡ଼ ଖସି ଭାସି ଯାଇଥିଲେ। ଏହାପରେ ଦମକଳ ବାହିନୀକୁ ଖବର ଦିଆଯାଇଥିଲା । ମଙ୍ଗଳବାର ଓ ବୁଧବାର ନଦୀରେ  ଖୋଜାଖୋଜି ପରେ ମଧ୍ୟ ପାଇନଥିଲେ। ତେବେ ଆଜି ସକାଳୁ ନଦୀଠାରୁ ଚାରି କିଲୋମିଟର ଦୂର ଆମ୍ବଗାଁ ନଦୀତଟରୁ ମିଳିଥିଲେ ରୀତା ।

ରୀତା କହିଛନ୍ତି, ନଦୀରେ ଭାସିଯିବା ପରେ ଆମ୍ବଗାଁ ନଦୀର ଏକ ଲଟାରେ ଲାଗିଗଲେ। କିନ୍ତୁ କଥା କହିବା ପାଇଁ ଶକ୍ତି ନଥିବାରୁ ଦୁଇଦିନ ଦୁଇ ରାତି ସେହି ଲଟାରେ କାଟିଥିଲେ।  ଆଜି ସକାଳୁ ବଡ଼ କଷ୍ଟରେ ବାହାରକୁ ଆସି ଜଣେ ଲୋକଙ୍କ ସହିତ ତାଙ୍କର ଭେଟ ହୋଇଥିଲା। ତାଙ୍କୁ ସବୁକଥା କହିବା ପରେ ବ୍ୟକ୍ତି ଜଣକ ତାଙ୍କ ଘର ଲୋକଙ୍କ ନିକଟକୁ ଜଣାଇଥିଲେ। ଘର ଲୋକ ଠିକଣା ସ୍ଥାନକୁ  ଯାଇ ରୀତାଙ୍କୁ ଘରକୁ  ନେଇ ଆସିଥିଲେ।

 

ghodahad river 1

ଘରକୁ ଫେରିବା ପରେ ଗାଁ ପଡୋଶୀ ଓ ବନ୍ଧୁଙ୍କ ଗହଳି ହୋଇଛି ଘରେ,ବାପା ଓ ମାଆ ଆତ୍ମ ବିଭୋର ହୋଇ ପଡିଛନ୍ତି l ଖବର ମିଳିବାପରେ ଝିଅକୁ ଆଣିଥିବା କହିଛନ୍ତି ବାପା। ଝିଅ ପୁଣି ପୁନର୍ଜନ୍ମ ପାଇଥିବା ବେଳେ ଦୁଇ ଦିନ ଦୁଇରାତି ଭଗବାନ ତାକୁ ସହାୟ ହୋଇଥିବା କହିଛନ୍ତି ମାଆ।  ୨୦୧୫ ମସିହାରେ ଛତ୍ରପୁରରେ ରୀତାର ବାହାଘର ହୋଇଥିଲା, ୨୦୨୦ ମସିହାରେ ସ୍ୱାମୀ ମରିଯିବା ପରେ ବାପାଙ୍କ ନିକଟରେ ରହିଛନ୍ତି । ତେବେ ନଦୀରେ ଭାସିଯାଇ ପୁଣି ଘରକୁ ଫେରି ଆସିବା ନିଶ୍ଚୟ ଭଗବାନଙ୍କ ଆଶୀର୍ବାଦ ବୋଲି କହିଛନ୍ତି ସରପଞ୍ଚଙ୍କ ପ୍ରତିନିଧି । ୪୮ ଘଣ୍ଟା ପରେ ଝିଅକୁ ଖୋଜି ପାଇନଥିବା ଗ୍ରାମବାସୀ ଓ ଦମକଳ କର୍ମଚାରୀ ରୀତାଙ୍କ ଆଶ୍ଚର୍ଯ୍ୟଜନକ ଭାବେ ଫେରିବାକୁ ନେଇ ବିସ୍ମିତ ହୋଇ ପଡ଼ିଥିବା ବେଳେ ଭଗବାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ପରିବାର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.