କରୋନା ପାଇଁ ଜାହେରାରେ ପୂଜା: ପ୍ରଥମ ଲହାରୀରୁ ସୁରକ୍ଷିତ ପରେ ଦ୍ଵିତୀୟ ଲହରୀ ପାଇଁ ଗ୍ରାମବାସୀଙ୍କ ପୂଜାର୍ଚ୍ଚନା

ରାଇରଙ୍ଗପୁର: ୨୦୨୦ ମସିହାରେ ବିଶ୍ୱ ବ୍ୟାପି କରୋନା ମହାମାରୀ ଓଡିଶାକୁ ଛୁଇଁବା ପରେ କରୋନା ଦାଉରୁ ଗାଁର ରକ୍ଷା ନିମନ୍ତେ ଜାହେରାରେ ପୂଜାର୍ଚ୍ଚନା ଓ ମାନସିକ ରଖିଥିଲେ ସାନ୍ତାଳୀ ସମ୍ପ୍ରଦାୟର ଲୋକେ । ମୟୁରଭଂଜ ଜିଲ୍ଲା ବହଳଦା ବ୍ଲକ ଗିଦିଘାଟି ଗ୍ରାମବାସୀ ଗତବର୍ଷ କରୋନା କାଳ ସମୟରେ ଗାଁର ସୁରକ୍ଷା ପାଇଁ ଜାହିରାରେ ପୂଜାର୍ଚ୍ଚନା କରିଥିଲେ ।

ସାନ୍ତାଳୀ ରୀତିନୀତିରେ ପୂଜାର୍ଚ୍ଚନା ପରେ ମାନସିକ ରଖିଥିଲେ ଗ୍ରାମବାସୀ। ପାଖାପାଖି ଗ୍ରାମକୁ କରୋନା ମାଡି ସାରିଥିବା ବେଳେ ଗିଦିଘାଟି ଗ୍ରାମକୁ ଛୁଇଁପାରିନଥିଲା। କରୋନାରୁ ରକ୍ଷା ନେଇ ପୂଜା କରି ଏକ ବର୍ଷ ହୋଇଯାଇଥିବା ବେଳେ ମାନସିକ ପୂରଣ ନେଇ ଜାହେରାରେ ପୂଜାର୍ଚ୍ଚନା ନେଇ ପୁଣି ଏକତ୍ରିତ ହୋଇଥିଲେ ଗିଦିଘାଟି ଗ୍ରାମବାସୀ ।

ନାଏକେ ବାବାଙ୍କୁ ଘରୁ ଶୋଭାଯାତ୍ରାରେ ନେଇ ଜାହେରାରେ ପ୍ରବେଶ କରିଥିଲେ । ମାନସିକ ମୁତାବକ ସମସ୍ତ ପୂଜା ଜିନିଷପତ୍ର ନେଇ ଜାହେରାରେ ଏକତ୍ରିତ ହୋଇ ପୂଜାର୍ଚ୍ଚନା କରାଯାଇଥିଲା। ଇଷ୍ଟ ଦେବତା ମାରାଙ୍ଗ ବୁରୁ ଓ ଜାହେର ଆୟଙ୍କ ନିକଟରେ ମାନସିକ ପୂରଣ ନିମନ୍ତେ ପୂଜା ସହିତ କରୋନାର ଦ୍ୱିତୀୟ ଲହରୀରେ ମଧ୍ୟ ଯେଭଳି କରୋନା ନ ଆସୁ ଓ ଭାରତ ବର୍ଷରୁ କରୋନା ଶେଷ ହୋଇଯାଉ ସେନେଇ ଆଦିବାସୀ ପରମ୍ପରା ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଛି।

ନିଜର ଇଷ୍ଟ ଦେବତାଙ୍କ ଉପରେ ଆଦିବାସୀଙ୍କ ଅଗାଢ଼ ବିଶ୍ୱାସ ରହିଥିବାରୁ ଯେକୌଣସି ଅସୁବିଧାର ସମ୍ମୁଖୀନ ହେଲେ ସେମାନେ ଜାହେରାରେ ପୂଜାର୍ଚ୍ଚନା କରିଥାନ୍ତି। ମାନସିକ ମୁତାବକ ଦ୍ଵିତୀୟ ଲହରୀରୁ ଗ୍ରାମବାସୀ ସୁରକ୍ଷିତ ରହିଲେ ଆସନ୍ତା ବର୍ଷ ଠିକ ଏହି ସମୟରେ ମାନସିକ ସୁଝିବା ନେଇ ଏକତ୍ରିତ ହୋଇ ପୁଜାର୍ଚନା କରିବେ ବୋଲି ଗ୍ରାମର ନାୟକେ ବାବା (ଗ୍ରାମ ପୂଜକ) ପ୍ରକାଶ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.