ଆସୁଛି ବଡ଼ ବର୍ଷା! ୨୪ ଘଣ୍ଟାରେ ପ୍ରବଳ ବର୍ଷା ପାଇଁ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଆଗାମୀ ୭୨ ଘଣ୍ଟା ମଧ୍ୟରେ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟିର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି।

କେନ୍ୟୁଜ୍(ବ୍ୟୁରୋ): ଆସୁଛି ଲଘୁଚାପ । ଆସୁଛି ବଡ଼ ବର୍ଷା । ପାଞ୍ଚଦିନ ଯାଏ ପ୍ରବଳ ବର୍ଷିବ। ୭୨ ଘଣ୍ଟା ମଧ୍ୟରେ ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟିର ସମ୍ଭାବନା ରହିଛି । ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ବବର୍ତ୍ତୀ ମିଆଁମାର ଉପକୂଳ ବାୟୁମଣ୍ଡଳରେ ୩.୧ରୁ ୭.୬ କିମି ମଧ୍ୟରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ଆଗାମୀ ୭୨ ଘଣ୍ଟା ମଧ୍ୟରେ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟିର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି। ୨୪ ଘଣ୍ଟା ରେ ପ୍ରବଳ ବର୍ଷା ପାଇଁ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ ଗଜପତି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏସବୁ ଜିଲ୍ଲାରେ ୭ରୁ ୧୧ ସେଣ୍ଟିମିଟର ବର୍ଷା ହୋଇପାରେ । ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଆସନ୍ତା ୧୩ରୁ ୧୫ ତାରିଖ ଯାଏ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି ।

 ଅନ୍ୟପଟେ ପଛକୁ ପଛ ୨ଟି ଲଘୁଚାପ ସୃଷ୍ଟି ହୋଇପାରେ ବୋଲି କିଛି ପାଣିପାଗ ବିଜ୍ଞାନୀ ପୂର୍ବାନୁମାନ କରିଛନ୍ତି । ଏହାର ପ୍ରଭାବରେ ରାଜ୍ୟରେ ସପ୍ତାହେ ଧରି ବର୍ଷା ଲାଗି ରହିପାରେ । ପାଣିପାଗ ବିଜ୍ଞାନୀ ଆକଳନ କରୁଛନ୍ତି,ଉତ୍ତର ବଙ୍ଗୋପସାଗରରେ ୧୩ ତାରିଖରେ ଗୋଟିଏ ଓ ୧୯ ତାରିଖରେ ଆଉ ଗୋଟିଏ ଲଘୁଚାପ ଦାନା ବାନ୍ଧିପାରେ ।

 ଲଘୁଚାପ ବର୍ଷା ରାଜ୍ୟରେ ନିଅଣ୍ଟିଆ ସ୍ଥିତିକୁ ଭରଣା କରିବାର ଆଶା ରହିଛି । ମୌସୁମୀ ଋତୁରେ ଏଯାଏ ୧୨ ପ୍ରତିଶତ କମ୍ ବର୍ଷା ହୋଇଛି । ଜୁନ ୧ରୁ ଏଯାଏ ୧୦ ଜିଲ୍ଲାରେ ନିଅଣ୍ଚିଆ ବର୍ଷା ହୋଇଥିବା ବେଳେ ବାକି ୨୦ ଜିଲ୍ଲାରେ ସ୍ବାଭାବିକ ବୃଷ୍ଟିପାତ ହୋଇଥିବା ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।