ଏସିଆ କପ୍: କୋହଲି ଓ ରାହୁଲଙ୍କ ରନ ବର୍ଷା, କଲେ ଶତକ ଭାଙ୍ଗିଲେ ରେକର୍ଡ଼, ପାକିସ୍ତାନକୁ ୩୫୭ ରନର ଟାର୍ଗେଟ ଦେଲା ଭାରତ

ରିଜର୍ଭ ଡେରେ ରନ ବର୍ଷା କଲେ ବିରାଟ କୋହଲି ଏବଂ କେଏଲ ରାହୁଲ । ପାକିସ୍ତାନକୁ ସୁପର-୪ ମ୍ୟାଚରେ ୩୫୭ ରନର ଲକ୍ଷ୍ୟ ଦେଇଛି ଭାରତ । ଏହି ମ୍ୟାଚରେ କେଏଲ ରାହୁଲ ଜବରଦସ୍ତ କମବ୍ୟାକ୍‌ କରିଛନ୍ତି ।

କଲମ୍ବୋ : କଲମ୍ବୋର ପ୍ରେମଦାସ ଷ୍ଟାଡିୟମରେ ପାକିସ୍ତାନ ବୋଲିଂ ଆକ୍ରମଣକୁ ମାଡ଼ି ମକଚି ଦେଲେ କୋହଲି ଓ ରହୁଲ । ଛଅ ମାସ ଧରି ଆହତ ରହିବା ପରେ ଦଳକୁ ଫେରି କେଏଲ୍‌ ରାହୁଲ ଦମଦାର ଶତକ ହାସଲ କରିଥିବା ବେଳେ କିଙ୍ଗ କୋହଲି ନିଜ ଦିନିକିଆ ଶତକ ଖାତାରେ ଯୋଡ଼ିଛନ୍ତି ଆଉ ଏକ ସେଞ୍ଚୁରୀ । ଦୁହେଁ ଗତକାଲି ଠାରୁ ଅପରାଜିତ ରହି ତୃତୀୟ ଓ୍ଵିକେଟ୍‌ରେ ୨୩୩ ରନ୍‌ ଯୋଡ଼ିଛନ୍ତି । ଠିକଣା ସମୟରେ ଭାରତ ଦେଖାଇଛି ଦମ୍‌ । ଆଉ ପାକିସ୍ତାନକୁ ଦେଇଛି ୩୫୭ ରନ୍‌ର ଲକ୍ଷ୍ୟ ।

kohli

ଗତକାଲି ବର୍ଷା ଯୋଗୁଁ ମ୍ୟାଚ ୨୪.୧ ଓଭର ଖେଳ ପରେ ସ୍ଥଗିତ ରହିଥିଲା । ଆଜି ରିଜର୍ଭ ଡେ’ରେ ବିଳମ୍ବରେ ହେଉ ପଛେ ପୁଣି ଖେଳ ଆରମ୍ଭ ହୋଇଥଲା । କାଲି ବାକି ରହିଥିବା ଓଭର ଏବଂ ରନରୁ ଖେଳିଥିଲା ଭାରତ । ବର୍ଷା ଯୋଗୁ କାଲି ମ୍ୟାଚ୍ ଅଧାରୁ ବନ୍ଦ ହେବା ବେଳେ ରାହୁଲ ୧୭ ରନ କରିଥିଲେ । ହେଲେ ଦୃଢ଼ତାର ସହ ବ୍ୟାଟିଂ କରି କମ୍‌ବ୍ୟାକ କରିଥିଲେ ଚମତ୍କାର ଶତକ ସହ ।ଏହି କମବ୍ୟାକ ମ୍ୟାଚରେ ରାହୁଲ ୧୧୧ ରନ କରିଥିବା ବେଳେ କୋହଲି ମଧ୍ୟ ୧୨୨ ରନ କରିଛନ୍ତି ।
ଆଇପିଏଲ୍ ସମୟରେ ଆହତ ହୋଇ ପ୍ରଥମଥର ପଡ଼ିଆକୁ ଫେରିଥିବା କେଏଲ୍ ରାହୁଲ ଜବରଦସ୍ତ କମବ୍ୟାକ୍ କରିଛନ୍ତି । ଦୀର୍ଘ ୬ ମାସ ପରେ ରାହୁଲ ଟିମକୁ ଫେରି ଶତକ ମାରିଛନ୍ତି । ରବିବାର ପରି ସୋମବାର ମଧ୍ୟ ବର୍ଷା ଯୋଗୁଁ ମ୍ୟାଚ ପ୍ରଭାବିତ ହୋଇଥିଲା । ମ୍ୟାଚ ଅପରାହ୍ଣ ୩ଟା ସମୟରେ ଆରମ୍ଭ ହେବାର କାର୍ଯ୍ୟକ୍ରମ ଥିବା ବେଳେ ପ୍ରାୟ ଦେଢ ଘଣ୍ଟା ବିଳମ୍ବରେ ଖେଳ ଆରମ୍ଭ ହୋଇଥିଲା ।

RAHUL
image source_bcci twitter

ପାକିସ୍ତାନକୁ ଓ୍ଵିକେଟ୍‌ ଦେଲେ ନାହିଁ

ଭାରତ ଗତକାଲିର ଅପରାଜିତ ଇନିଂସ ୧୪୭/୨ରୁ ଆଗକୁ ଖେଳିଥିଲା । ଦୁଇ ବ୍ୟାଟର୍ ବିରାଟ କୋହଲି ଓ କେଏଲ ରାହୁଲ ଲଢୁଆ ବ୍ୟାଟିଂ ଜାରି ରଖିଲେ । ପାକ୍‌ ବୋଲରଙ୍କୁ କୌଣସି ସୁଯୋଗ ଦେଲେ ନାହିଁ ସେମାନଙ୍କ ଉପରେ ପ୍ରଭାବ ପକାଇବା ପାଇଁ । କୋହଲି ୯ ଚୌକା ଓ ୩ଟି ଛକା ସହାୟତାରେ ୯୪ ବଲ୍‌୍‌ରେ ୧୨୨ ରନ୍‌ କରିଛନ୍ତି । ଦୀର୍ଘ ଛଅ ମାସ ପରେ ଫେରିଥିବା ରାହୁଲ ୧୨ ଚୌମା ଓ ୨ଟି ଛକା ମାରି ୧୦୬ ବଲ୍‌୍‌ରେ ୧୧୧ ସ୍କୋର କରିଛନ୍ତି । ପାକିସ୍ତାନ ଦଳ ତାର ୬ ଜଣ ପ୍ରମୁଖ ବୋଲରଙ୍କୁ ଆକ୍ରମଣରେ ଲଗାଇଥିଲେ ମଧ୍ୟ କୌଣସି ସଫଳତା ପାଇନଥିଲା । ଯେମିତି ନିଜ ଓ୍ଵିକେଟ୍‌ ନଦେବାକୁ ଜିଦ୍‌ ଧରିଥିଲେ କୋହଲି ଓ ରାହୁଲ ।
ଏହି ମ୍ୟାଚରେ ପାକିସ୍ତାନ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଭାରତର ଦୁଇ ଓପନର ଶୁବମନ ଗିଲ ଏବଂ ରୋହିତ ଶର୍ମା ଅର୍ଦ୍ଧଶତକ ମାରିଥିଲେ । ୨୪.୧ ଓଭରରେ ୧୪୭/୨ ରନ କରିଥିବା ବେଳେ ବର୍ଷା ହୋଇଥିଲା । ଫଳରେ ଖେଳକୁ ଅଧାରୁ ବନ୍ଦ କରି ଦିଆଯାଇଥିଲା । ଆଉ ରିଜର୍ଭ ଡେ ପାଇଁ ରଖାଯାଇଥିଲା ।

ରେକର୍ଡ଼ କଲେ କୋହଲି ଓ ରାହୁଲ

କୋହଲିଙ୍କର ଏହା ୪୭ତମ ଶତକ ଏବଂ ଏହି ଇନିଂସ ବେଳେ ସେ ଦିନିକିଆ କ୍ରିକେଟ୍‌ରେ ୧୩ ହଜାର ରନ୍‌ ପୂରଣ କରିଛନ୍ତି । ସେ ୨୬୭ ଇନିଂସରେ ୧୩ ହଜାର ରନ୍‌ ସ୍କୋର କରି ସଚିନ ତେନ୍ଦୁଲକରଙ୍କ ରେକର୍ଡ଼ ଭାଙ୍ଗିଛନ୍ତି । ତେନ୍ଦୁଲକର ୩୨୧ଟି ଇନିଂସରେ ଏହି ସଫଳତା ଲାଭ କରିଥିଲେ । ଅନ୍ୟପକ୍ଷରେ ରାହୁଲଙ୍କର ଏହା ହେଉଛି ଷଷ୍ଠ ଦିନିକିଆ ଶତକ । କୋହଲି ଓ ରାହୁଲଙ୍କ ଯୋଡ଼ି ପାକିସ୍ତାନ ବିପକ୍ଷରେ ତୃତୀୟ ଓ୍ଵିକେଟ୍‌ରେ ୨୩୩ ରନ୍‌ ଯୋଡ଼ି ସିଦ୍ଧୁ ଓ ତେନ୍ଦୁଲକରଙ୍କ ୧୯୯୬ ମସିହା ରେକର୍ଡ଼ (୨୩୧ ରନ୍‌ )କୁ ଭାଙ୍ଗିଛନ୍ତି । ରାହୁଲ ଓ କୋହଲି ୩୨ ଓଭରରେ ୨୩୩ ରନ୍‌ ସ୍କୋର କରିଛନ୍ତି ।

india score

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.