Below header

ବିଦ୍ୟୁତ୍ ଖୁଣ୍ଟରେ ଲାଗିବ ଟେଲିକମ୍ ଆଣ୍ଟିନା, ପାୱାର ଗ୍ରିଡ୍‌କୁ ସିଇଆର୍‌ସି ଦେଲା ଅନୁମତି

ନୂଆଦିଲ୍ଲୀ: ରାଷ୍ଟ୍ରାୟତ୍ତ ପାୱାର ଗ୍ରିଡ୍ ନିଗମର ଟାୱାର ଗୁଡ଼ିକରେ ଏଣିକି ଟେଲିକମ୍ କମ୍ପାନିମାନେ ସେମାନଙ୍କ ଆଣ୍ଟିନା ସ୍ଥାପନ କରିବ। କେନ୍ଦ୍ରୀୟ ବିଦ୍ୟୁତ୍ ନିୟାମକ କର୍ତ୍ତୃପକ୍ଷ (ସିଇଆରସି) ଏଥିପାଇଁ ପାୱାର ଗ୍ରିଡକୁ ଅନୁମତି ପ୍ରଦାନ କରିଛି। ଦେଶର ଅପହଞ୍ଚ ଇଲାକାରେ ମୋବାଇଲ ସେବା ପହଞ୍ଚାଇବା ସହିତ ସେବାର ମାନରେ ଉନ୍ନତି ଆଣିବା ଲାଗି ଏହି ନିଷ୍ପତ୍ତି ନିଆଯାଇଛି।

ଦେଶରେ ପାୱାର ଗ୍ରିଡ୍‌ର ପ୍ରାୟ ଦେଢ଼ ଲକ୍ଷ ଉଚ୍ଚ ଶକ୍ତି ସମ୍ପନ୍ନ ଟ୍ରାନ୍ସମିସନ ଟାୱାର ରହିଛି। ଏଗୁଡ଼ିକ ମଧ୍ୟରୁ ଅନେକ ଟାୱାର ଗ୍ରାମୀଣ ଏବଂ ଉପାନ୍ତ ଅଞ୍ଚଳ ଦେଇ ଯାଇଛି। ପାୱାର ଗ୍ରିଡରେ ବିଟିଏସ ସ୍ଥାପନ ହେଲେ ମୋବାଇଲ କମ୍ପାନିଙ୍କୁ ଆଉ ଡିଜେଲ ଜେନେରେଟର ସେଟ୍ ସ୍ଥାପନ କରିବାର ଆବଶ୍ୟକତା ରହିବ ନାହିଁ। ବିଟିଏସ ଟାୱାର ଗୁଡ଼ିକ ବିଦ୍ୟୁତ୍ ଖୁଣ୍ଟ ମଝିରେ ଥିବା ସ୍ଥାନରେ ୭ରୁ ୮ ମିଟର ଉପରେ ସ୍ଥାପନ ହେବ।

ଏହାଦ୍ବାରା ଟେଲିକମ୍ କମ୍ପାନି ଗୁଡ଼ିକର ସେବା ଉପାନ୍ତ ଅଞ୍ଚଳର ଲୋକଙ୍କ ପାଖରେ ପହଞ୍ଚିପାରିବ ଏବଂ ପାୱାର ଗ୍ରିଡ୍ ପାଇଁ ରୋଜଗାରର ଏକ ମାଧ୍ୟମ ପାଲଟିବ। ଏହାଦ୍ବାରା ଆଗାମୀ ଦିନରେ ବିଦ୍ୟୁତ୍ ଗ୍ରାହକଙ୍କ ଉପରେ ପଡ଼ୁଥିବା ଶୁଳ୍କ ବୋଝ ମଧ୍ୟ କିଛିମାତ୍ରାରେ ହାଲ୍‌କା ହେବାର ସମ୍ଭାବନା ରହିଛି। ଫଳରେ ଆଗାମୀ ଦିନରେ ପାୱାର ଗ୍ରିଡର ଟାୱାର ଗୁଡ଼ିକରେ ଟେଲିକମ୍ ଆଣ୍ଟିନା ଓ ଅନ୍ୟାନ୍ୟ ବିଜୁଳି ଯୋଗାଣକାରୀ ଉପକରଣ ଝୁଲାଯିବ। ଏ ବାବଦରେ ଟେଲିକମ୍ କମ୍ପାନି ଗୁଡ଼ିକ ଯେଉଁ ନିଟ୍ ରାଜସ୍ବ ସଂଗ୍ରହ କରିବେ ତାହାକୁ ଉଭୟ ସମାନ ଭାବରେ ନେବେ। ବର୍ଷକ ପରେ ରାଜସ୍ବ ଆବଣ୍ଟନ ଅନୁପାତର ସମୀକ୍ଷା କରାଯିବ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.