ବର୍ଷର ଶେଷ ମଧ୍ୟରେ ଚୀନ ଲଞ୍ଚ କରିପାରେ ନିଜର କ୍ରିପ୍ଟୋ କରେନ୍ସି,, ଫେସବୁକର ଲିବ୍ରାକୁ ଦେବ ଟକ୍କର
ସାରା ଦୁନିଆରେ ବର୍ତ୍ତମାନ ଭର୍ଚୁଆଲ କରେନ୍ସି ସହିତ ସିକ୍ୟୁରିଟି ଏବଂ ପରମ୍ପରାଗତ କରେନ୍ସିକୁ ନେଇ ଏକ ଦ୍ୱନ୍ଦ ସୃଷ୍ଟି ହୋଇଥିବା ସମୟରେ ଚଳିତ ବର୍ଷ ଶେଷ ମଧ୍ୟରେ ଚୀନ ନିଜର କ୍ରିପ୍ଟୋ କରେନ୍ସି ଲଞ୍ଚ କରିବାକୁ ଯାଉଛି । କୁହାଯାଉଛି କି ଚୀନର କ୍ରିପ୍ଟୋ କରେନ୍ସି ଦୁନିଆର ସବୁଠାରୁ ବଡ଼ ସୋସିଆଲ ମିଡ଼ିଆ ଫେସବୁକର କ୍ରିପ୍ଟୋ କରେନ୍ସି ଲିବ୍ରା ସହିତ ଟକ୍କର ଦେବାକୁ ଯାଉଛି ।
ସୂଚନା ଅନୁଯାୟୀ ପିପୁଲସ ବ୍ୟାଙ୍କ ଅଫ ଚାଇନା(PBOC) ଏହି ଡିଜିଟାଲ କରେନ୍ସି ଉପରେ କାମ କରୁଅଛି । ରିପୋର୍ଟରେ ଦାବି କରାଯାଇଛି କି ଚୀନର ଭର୍ଚୁଆଲ କରେନ୍ସି ଫେସବୁକର ଲିବ୍ରା କରେନ୍ସି ପୂର୍ବରୁ ବଜାରକୁ ଆସିବ । ଏହାସହିତ ଚୀନରେ ଏହାର ବ୍ୟବହାର ମଧ୍ୟ ଆରମ୍ଭ ହୋଇଗଲାଣି । ଯଦିଓ ଏହାର ନାମ ବିଷୟରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସୂଚନା ମିଳିପାରି ନାହିଁ ।
ସୂଚନା ମୁତାବକ ଚୀନର ଚାରୋଟି ବଡ଼ ସରକାରୀ ବ୍ୟାଙ୍କକୁ ପ୍ରଥମେ ଏହି କ୍ରିପ୍ଟୋ କରେନ୍ସି ଵ୍ୟଵହାର କରିବାର ଅନୁମତି ମିଳିବ । ସେଠାରେ ଏହା ମଧ୍ୟ କୁହାଯାଇଛି ଯେ ଆଗକୁ ଏହା ଅଲିବାବା, ଟେନସେଣ୍ଟ(ପବଜି କମ୍ପାନୀ), ୟୁନିୟନ- ପେ ଏବଂ ଏକ ଅଜଣା କମ୍ପାନୀକୁ ମଧ୍ୟ ଏହି ତାଲିକାରେ ସାମିଲ କରାଯିବ । ଖବର ଅନୁଯାୟୀ କ୍ରିପ୍ଟୋ କରେନ୍ସି ଉପରେ ଚୀନ 2014ରୁ କାମ କରୁଅଛି ।