ଏଲନ ମସ୍କ ଟ୍ଵିଟର ଅଫିସ୍‌ କରିଦେଲେ ବନ୍ଦ! ଶହ ଶହ କର୍ମଚାରୀ ଛାଡ଼ିଲେ ଚାକିରି

ଟ୍ୱିଟରର ବର୍ତ୍ତମାନ ସ୍ଥିତି ଠିକ୍‌ ନାହିଁ। ଟ୍ୱିଟରର ନୂଆ ମାଲିକ ତଥା ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ୍ ମସ୍କ କମ୍ପାନୀରେ ଅନେକ ପରିବର୍ତ୍ତନ କରିଛନ୍ତି। ଏବେ ଟ୍ୱିଟର କର୍ମଚାରୀମାନଙ୍କୁ କହିଛି ଯେ କମ୍ପାନୀର ସମସ୍ତ ଅଫିସ୍‌ ଅସ୍ଥାୟୀ ରୂପେ ବନ୍ଦ କରି ଦିଆଯାଇଛି। ଟ୍ୱିଟର ମୁଖ୍ୟ ମସ୍କ କହିଛନ୍ତି କି, ଯେଉଁ କର୍ମଚାରୀ କମ୍ପାନୀର ନୂଆ ନିୟମ ପାଳନ କରିବାକୁ ମନା କରୁଛନ୍ତି, ସେମାନେ କମ୍ପାନୀ ଛାଡି ପାରନ୍ତି। ଟ୍ୱିଟର ଏବେ ନିଜ କାର୍ଯ୍ୟାଳୟଗୁଡ଼ିକୁ ବନ୍ଦ କରି ଦେଇଛି ଏବଂ ବ୍ୟାଜ୍ ଆକ୍ସେସ୍‌କୁ ମଧ୍ୟ ୨୧ ନଭେମ୍ବର ପର୍ଯ୍ୟନ୍ତ ବନ୍ଦ କରାଯାଇଛି।

ମସ୍କଙ୍କ ନୂଆ ଆଦେଶ ପରେ ଶହ ଶହ କର୍ମଚାରୀ ଟ୍ୱିଟରରୁ ଇସ୍ତଫା ଦେଇଛନ୍ତି। ଏଲନ୍ ମସ୍କ ନିକଟରେ ଟ୍ୱିଟର କର୍ମଚାରୀମାନଙ୍କୁ ୧୨ ଘଣ୍ଟା କାମ, ଓ୍ଵାର୍କ ଫ୍ରମ୍‌ ହୋମ୍‌ ଶେଷ ହେବା ଭଳି କେତେକ ନିୟମକୁ ନେଇ ଇମେଲ୍ ପଠାଇଥିଲେ। ଏହି ଆଦେଶ ପରେ ବହୁ ସଂଖ୍ୟକ କର୍ମଚାରୀ ଟ୍ୱିଟର ଛାଡ଼ି ଦେଇଛନ୍ତି। ମସ୍କ ଇମେଲରେ ଏହା ମଧ୍ୟ କହିଥିଲେ କି, ଟ୍ୱିଟରକୁ ଆହୁରି ପରିଶ୍ରମ କରିବାର ଆବଶ୍ୟକତା ପଡ଼ିବ, ଯାହାର ଅର୍ଥ ହେଲା, ଏବେ କର୍ମଚାରୀମାନଙ୍କୁ ଦ୍ରୁତ ଗତିରେ ଅଧିକ ସମୟ ପର୍ଯ୍ୟନ୍ତ କାମ କରିବାକୁ ହେବ।

ଇମେଲରେ କୁହାଯାଇଥିଲା କି, ୧୭ ନଭେମ୍ବର ସୁଦ୍ଧା ସାଇନ୍ କରି ନ ଥିବା କର୍ମଚାରୀ ତିନି ମାସର ବାଧ୍ୟତାମୂଳକ ଦରମା ନେଇ କମ୍ପାନୀ ଛାଡି ପାରିବେ। ଅନେକ କର୍ମଚାରୀ କମ୍ପାନୀ ଛାଡ଼ିବା ନିଷ୍ପତ୍ତି ନେବାର ତୁରନ୍ତ ପରେ ଟ୍ୱିଟର ଆଉ ଏକ ଇମେଲ ପଠାଇଲା, ଯେଉଁଥିରେ କୁହାଯାଇଥିଲା କି, କମ୍ପାନୀ ଅସ୍ଥାୟୀ ରୂପେ ସମସ୍ତ କାର୍ଯ୍ୟାଳୟକୁ ବନ୍ଦ କରୁଛି ଏବଂ ୨୧ ନଭେମ୍ବର ପର୍ଯ୍ୟନ୍ତ ବ୍ୟାଜ୍ ଆକ୍ସେସ୍‌କୁ ମଧ୍ୟ ବନ୍ଦ କରି ଦେଇଛି।

କହି ରଖୁଛୁ, ମସ୍କ ଟ୍ୱିଟର ଅଧିଗ୍ରହଣ କରିବା ପୂର୍ବରୁ କମ୍ପାନୀରେ ପାଖାପାଖି ୭୫୦୦ କର୍ମଚାରୀ ଥିଲେ, କିନ୍ତୁ ବଡ଼ ଧରଣର ଛଟେଇ ପରେ ଏବେ ପାଖାପାଖି ୫୦ ପ୍ରତିଶତ ଓ୍ଵାର୍କଫୋର୍ସ କମି ଯାଇଛି। ଏହା ବ୍ୟତୀତ ବହୁ ସଂଖ୍ୟକ କର୍ମଚାରୀ କମ୍ପାନୀ ଛାଡିବା ସହିତ ଓ୍ଵାର୍କଫୋର୍ସ ଆହୁରି ହ୍ରାସ ପାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.