ଇନ୍ଷ୍ଟାଗ୍ରାମ୍ରେ ଯୁବପିଢ଼ିଙ୍କ ପାଇଁ ଆସିଲା ନୂଆ ଫିଚର, ଏବେ ଆଉ ଅଧିକ ସମୟ ଯାଏଁ ବ୍ୟବହାର କରିପାରିବେନି ଆପ୍

ଇନ୍ଷ୍ଟାଗ୍ରାମ୍ ନିଜ ପ୍ଲାଟଫର୍ମରେ ଛୋଟ ପିଲା ଓ ଯୁବକଙ୍କ ପାଇଁ ସୁରକ୍ଷିତ ଜାଗା ତିଆରି କରିବାକୁ ଚାହୁଁଛି। ମେଟା କମ୍ପାନୀ ପକ୍ଷରୁ ଇଣ୍ଟରନେଟ୍ ଦିବସ ୨୦୨୨ ପୂର୍ବରୁ ଭାରତରେ ‘ଟେକ୍ ଏ ବ୍ରେକ୍’ ଫିଚର ଆରମ୍ଭ କରିଥିଲା। ଏହି ଫିଚର ଭାରତ ସମେତ ଅନ୍ୟ ଦେଶରେ ବି ଆରମ୍ଭ ହୋଇଛି। ନାଁରୁ ହିଁ ବୁଝାପଡ଼ୁଛି ଯେ ‘ଟେକ୍ ଏ ବ୍ରେକ୍’ ଫିଚର ୟୁଜର୍ସଙ୍କୁ ଇନ୍ଷ୍ଟାଗ୍ରାମ୍ ବ୍ରେକ୍ ନେବା ପାଇଁ କହିବ ଓ ପରାମର୍ଶ ଦେବ ଯେ ଆପ୍ରୁ ବ୍ରେକ୍ ନେବାକୁ ରିମାଇଣ୍ଡର ସେଟ୍ କରନ୍ତୁ। ଯେଉଁମାନେ ଇନ୍ଷ୍ଟାଗ୍ରାମ୍ରେ ଅଧିକ ସମୟ କାଟୁଛନ୍ତି, ସେମାନଙ୍କ ପାଇଁ ଏହି ଫିଚର ବେଶ୍ ଉପଯୋଗୀ ହେବ।
ୟୁଜର୍ସ ଅଧିକ ସମୟ ଇନ୍ଷ୍ଟାଗ୍ରାମ୍ ବ୍ୟବହାର କଲେ ‘ଟେକ୍ ଏ ବ୍ରେକ୍’ ଫିଚର ପପ୍ ଅପ୍ ହେବ। ୟୁଜର୍ସଙ୍କୁ ଇନ୍ଷ୍ଟାଗ୍ରାମ୍ରୁ ବ୍ରେକ୍ ନେବାକୁ କୁହାଯିବ। ଏଥିସହ ଭବିଷ୍ୟତରେ ଅଧିକ ବ୍ରେକ୍ ନେବା ପାଇଁ ରିମାଇଣ୍ଡର ସେଟ୍ କରିବାକୁ ପରାମର୍ଶ ଦିଆଯିବ। ଏଣୁ ସମସ୍ତେ ଏହି ଫିଚର ବିଷୟରେ ଜାଣିବା ନିହତି ଜରୁରୀ। ଇନ୍ଷ୍ଟାଗ୍ରାମ୍ ପକ୍ଷରୁ ସମସ୍ତଙ୍କୁ ରିମାଇଣ୍ଡର ପଠାଯିବ ଯେ ସେମାନେ ଟେକ୍ ଏ ବ୍ରେକ୍ ରିମାଇଣ୍ଡର ଚାଲୁ କରି ଦିଅନ୍ତୁ।
ଇନ୍ଷ୍ଟାଗ୍ରାମ୍ରେ ନଭେମ୍ବରରୁ ଏହି ଫିଚର ଆରମ୍ଭ ହୋଇଛି। ଏ ନେଇ କମ୍ପାନୀର ମୁଖ୍ୟ ଆଡମ୍ ମୋସେରୀ କହିଛନ୍ତି, ଟେକ୍ ବ୍ରେକ୍ ଫିଚର ଲୋକଙ୍କୁ ଅନ୍ୟ ବିଷୟରେ ଦେଖାଇବାରେ ସାହାଯ୍ୟ କରିବ। ଫଳରେ ଲୋକମାନେ ନିଜର ବହୁ ମୂଲ୍ୟ ସମୟକୁ ଅନ୍ୟ କେଉଁଠାରେ ନଷ୍ଟ କରିବେ ନାହିଁ।
ସୂଚନାଯୋଗ୍ୟ ଯେ ଇନ୍ଷ୍ଟାଗ୍ରାମ୍ରେ ଆଜି କାଲି ଅଧିକ ଯୁବପିଢ଼ି ଅଧିକ ସମୟ ବିତାଉଛନ୍ତି। ଏ ନେଇ କମ୍ପାନୀରେ ଲଗାତାର ଆଲୋଚନା ଚାଲିଛି। ଆମେରିକାରେ ଏ ନେଇ କମ୍ପାନୀକୁ ଲଗାତାର ବିରୋଧର ସାମ୍ନା କରିବାକୁ ପଡ଼ୁଛି। ଲୋକଙ୍କ କହିବାନୁସାରେ, ଇନ୍ଷ୍ଟାଗ୍ରାମ୍ ଯୋଗୁ ଅନେକ ଯୁବକ ବେକାର ହୋଇଯାଉଛନ୍ତି। ଏସବୁକୁ ଦୃଷ୍ଟିରେ ରଖି କମ୍ପାନୀ ଏହି ନୂଆ ଫିଚରକୁ ଲଞ୍ଚ୍ କରିଛି।