ପାନ କାର୍ଡକୁ ଆଧାର ସହ ଲିଙ୍କ୍‌ କରାଇନାହାଁନ୍ତି କି, ତେବେ ଅଟକି ଯାଇପାରେ ଟଙ୍କା ଓ ଦେବାକୁ ପଡିପାରେ ଜରିମାନା

ଆମ ପାଖରେ ମହଜୁଦ ଥିବା ଅନେକ ଦସ୍ତାବିଜ ଆମ ପାଇଁ ବହୁତ ଜରୁରୀ ହୋଇଥାଏ। ଏହିସବୁରେ ଦୁଇଟି ଦସ୍ତାବିଜ ରହିଛି ପାନ କାର୍ଡ ଏବଂ ଆଧାର କାର୍ଡ। ଆର୍ଥିକ ଲେଣଦେଣ ହେଉ କିମ୍ବା ବ୍ୟାଙ୍କରେ ଖାତା ଖୋଲିବା ହେଉ, ସିମ କାର୍ଡ ନେବା ହେଉ, ପିଏଫ ପାଇଁ ଆପ୍ଲାଏ କରିବାକୁ ହେଉ କିମ୍ବା ସରକାରୀ ଏବଂ ବେସରକାରୀ ସୁବିଧାର ଲାଭ ଉଠାଇବା ଭଳି ଅନେକ କାମରେ ପାନ ଏବଂ ଆଧାର କାର୍ଡ ଆବଶ୍ୟକତା ପଡିଥାଏ। ତେବେ ଏହି ସବୁ ଭିତରେ ସରକାର ପାନ କାର୍ଡକୁ ଆଧାର କାର୍ଡ ସହ ଲିଙ୍କ୍‌ କରିବା ପାଇଁ ବାଧ୍ୟତାମୂଳକ କରିଦେଇଛନ୍ତି। ଯାହାର ଶେଷ ତାରିଖ ୩୧ ମାର୍ଚ୍ଚ ୨୦୨୨ ରଖାଯାଇଛି।

ଏଥିପାଇଁ ଏହି ସମୟ ସୀମା ଭିତରେ ନିଜ ପାନକୁ ଆଧାର କାର୍ଡ ଠାରୁ ଲିଙ୍କ କରାଇବାକୁ ହେବ। କିନ୍ତୁ ଅନେକ ଲୋକ ଏବେବି ଏହାକୁ ହାଲୁକା ଭାବରେ ନେଉଛନ୍ତି। ଯଦି ଆପଣ ମଧ୍ୟ ଏମିତି ଭାବୁଛନ୍ତି ଯେ ପାନ ଆଧାର ସଂଯୋଗ ନକଲେ କଣ ଏମିତି ହୋଇଯିବ? ତେବେ ଆଜି ଆମେ ଆପଣଙ୍କୁ ଏହାର ଅନେକ କ୍ଷତି ବିଷୟରେ କହିବାକୁ ଯାଉଛୁ ଯେଉଁଥିରେ ଆପଣଙ୍କୁ ଜରିମାନା ବି ଦେବାକୁ ପଡିପାରେ। ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।

ପାନ କାର୍ଡ ନିଷ୍କ୍ରୀୟ ହୋଇପାରେ

ଅର୍ଥ ମନ୍ତ୍ରାଳୟଙ୍କ ମୁତାବକ ଯଦି ଆପଣ ନିର୍ଦ୍ଧିଷ୍ଟ ସମୟ ସୀମା ଭିତରେ ନିଜ ପାନ କାର୍ଡକୁ ଆଧାର ସହିତ ଲିଙ୍କ୍‌ କରୁନାହାଁନ୍ତି ତାହେଲେ ଆପଣଙ୍କ ପାନ କାର୍ଡକୁ ନିଷ୍କ୍ରୀୟ ଘୋଷିତ କରିଦିଆଯିବ।

ଟ୍ରାନଜାକସନ୍‌ ଅଟକି ଯାଇପାରେ

ସେହିପରି ସେବି ମୁତାବକ ଯଦି ଆପଣଙ୍କ ପାନ କାର୍ଡ ନିଷ୍କ୍ରୀୟ ହୋଇଯାଏ ତାହେଲେ ଏହା କାମ କରିବା ବନ୍ଦ କରିଦେବ। ଯାହାଦ୍ୱାରା ଆପଣଙ୍କ ଟ୍ରାନଜାକସନ୍‌ ମଧ୍ୟ ଅଟକି ଯିବ। ଏମିତିରେ ଆପଣ ଏହାର ବ୍ୟବହାର ଆର୍ଥିକ ଲେଣଦେଣରେ କରିପାରିବାନାହିଁ। କିମ୍ବା ଅନ୍ୟ ପ୍ରକାର କାମ କରୁଛନ୍ତି ତାହେଲେ ଆପଣଙ୍କ ଉପରେ ଜରିମାନା ମଧ୍ୟ ଲଗାଯାଇପାରେ।

ଏତେ ଟଙ୍କା ଭରିବାକୁ ପଡିପାରେ ଜରିମାନା

ପାନ କାର୍ଡ ନିଷ୍କ୍ରୀୟ ହେବା ଦ୍ୱାରା ଆପଣ ଏହାର ବ୍ୟବହାର ସବୁ ପ୍ରକାର କାମରେ ମଧ୍ୟ ବ୍ୟବହାର କରିପାରିବେନାହିଁ। ଏମିତିରେ ଆପଣଙ୍କୁ ଅନେକ ପ୍ରକାର ଅସୁବିଧାକୁ ସାମ୍ନା କରିବାକୁ ପଡିପାରେ। ଆପଣଙ୍କ କାମ ତ ଅଟକିଯିବ, ଏହାବ୍ୟତୀତ ଆପଣଙ୍କ ଉପରେ ୧୦ ହଜାର ଟଙ୍କା ଜରିମାନା ମଧ୍ୟ ଲାଗିଯାଇପାରେ।

ଯଦି ଆପଣ ନିଷ୍କ୍ରୀୟ ପାନ କାର୍ଡରେ ଲେଣଦେଣ କରୁଛନ୍ତି ତାହେଲେ ଇନକମ୍‌ ଟ୍ୟାକ୍ସ ଆକ୍ଟ ଧାରା ୨୭୨ବି ଅନୁଯାୟୀ ଆପଣଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ୧୦ ହଜାର ଟଙ୍କା ଜରିମାନା ଲଗାଯାଇପାରେ। କିନ୍ତୁ ଡ୍ରାଇଭିଙ୍ଗ୍‌ ଲାଇସେନ୍ସ ବନାଇବା ଏବଂ ବ୍ୟାଙ୍କ ଖାତା ଖୋଲିବା ପାଇଁ ଏହାର ବ୍ୟବହାର କରିବା ଦ୍ୱାରା କୌଣସି ଜରିମାନା ଲାଗିବନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.