ପାଟକୁରା ଆସନରେ ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ଵାଲଙ୍କୁ ନେଇ କଳ୍ପନା ଜଳ୍ପନା, ସଭାପତିଙ୍କୁ ଭେଟିଲେ ପତ୍ନୀ ଓ ପୁଅ
ଭୁବନେଶ୍ୱର (କେ ନ୍ୟୁଜ୍) : ରାଜ୍ୟ ରାଜନୀତିରେ ଏବେ କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ବିଧାନସଭା ଆସନ ଉପରେ ଏବେ ସମସ୍ତଙ୍କର ନଜର । କାରଣ ଏଠାରେ ଦୁଇ ଜଣ ଭେଟେରାନ୍ ନେତା ମଇଦାନକୁ ଓହ୍ଲାଇଛନ୍ତି । ବିଜେଡି ଟିକେଟ୍ ଦେଇଛି ପୁରୁଖା ନେତା ବେଦପ୍ରକାଶ ଅଗ୍ରଓ୍ଵାଲଙ୍କୁ । ସେପଟେ ଅଭିମାନ କରି ଦଳ ଛାଡ଼ିଥିବା ବିଜୟ ମହାପାତ୍ରଙ୍କୁ ବୁଝାଇ ଶୁଝାଇ ତାଙ୍କ ମାନ ଭଞ୍ଜନ କରି ପୁଣି ବିଜେପି ଦଳକୁ ଆଣିବା ପରେ ପ୍ରାର୍ଥୀ କରିଛି । ତେବେ ବର୍ତ୍ତମାନ ବେଦପ୍ରକାଶ ଅସୁସ୍ଥ ଥିବା ସୂଚନା ମିଳିଛି । ତେଣୁ ତାଙ୍କ ପ୍ରାର୍ଥିତ୍ୱକୁ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଛି । ସେ ଏପର୍ଯ୍ୟନ୍ତ ଟିକେଟ୍ ନେଇ ନାହାନ୍ତି ।
କିଛି ସମୟ ପୂର୍ବରୁ ବେଦୁ ବାବୁଙ୍କ ପତ୍ନୀ ଏବଂ ପୁଅ ନବୀନ ନିବାସ ଆସି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟି ଫେରି ଯାଇଛନ୍ତି । ଯଦିଓ ଗଣମାଧ୍ୟମ ଆଗରେ ସେମାନେ ମୁହଁ ଖୋଲି ନାହାନ୍ତି, ତଥାପି ବେଦପ୍ରକାଶଙ୍କ ସ୍ଥାନରେ ପୁଅ କିମ୍ବା ପତ୍ନୀଙ୍କୁ ଟିକେଟ୍ ଦେବା ଲାଗି ନିବେଦନ କରାଯାଇଥିବା ଚର୍ଚ୍ଚା ଚାଲିଛି ।
ଏପଟେ ଆଉ କିଛି ସମୟ ପରେ ବାକିଥିବା ଢେଙ୍କାନାଳ ଓ କେନ୍ଦୁଝର ଲୋକସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା କରିବେ ନବୀନ । ସେହିପରି ବାକିଥିବା ୧୦ଟି ବିଧାନସଭା ଆସନର ପ୍ରାର୍ଥିତ୍ୱକୁ ନେଇ ମଧ୍ୟ ସସ୍ପେନ୍ସ ଜାରି ରହିଛି । ତେଣୁ ନବୀନ ନିବାସରେ ଏବେବି ଆଶାୟୀ ପ୍ରାର୍ଥୀ, ସମର୍ଥକ ଓ ବିଜେଡି କର୍ମୀ ଏବଂ ନେତାଙ୍କ ଭିଡ଼ ଲାଗି ରହିଛି ।