ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲକୁ ଆଉ ଗୋଟିଏ ଦିନ ,ବିଶାଳ ଶୋଭାଯାତ୍ରାରେ ଯାଇ ଲୋକପ୍ରିୟତାର ପ୍ରମାଣ ଦେଇଛନ୍ତି ଅନେକ ହେଭିୱେଟ
ଭୁବନେଶ୍ବର : ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆସନ୍ତାକାଲି ପ୍ରାର୍ଥୀପତ୍ର ଦାଖଲର ଶେଷଦିନ। ଆଜି ଅନେକ ହେଭିୱେଟ ନେତା ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କେନ୍ଦ୍ରାପଡ଼ାର ଆଳି ଆସନର ବିଜେଡି ବିଧାୟକ ପ୍ରାର୍ଥୀ ପ୍ରତାପ ଦେବ ନିଜର ଶତାଧିକ ସମର୍ଥକଙ୍କ ସହ ଶୋଭାଯାତ୍ରାରେ ଯାଇ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ନବୀନଙ୍କ ନିର୍ମଳ ଭାବମୂର୍ତ୍ତି ଓ ବିକାଶ ଧାରା ତାଙ୍କୁ ବିପୁଳ ଭୋଟରେ ବିଜୟ ଦେବ ବୋଲି କହିଛନ୍ତି ପ୍ରତାପ। ସାଲେପୁର ଆସନ ପାଇଁ ବିଜେପି ବିଧାୟକ ପ୍ରାର୍ଥୀ ପ୍ରକାଶ ବେହେରା ମଧ୍ୟ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଯାଜପୁରର ବଡ଼ଚଣା ଆସନ ପାଇଁ ବିଶାଳ ଶୋଭାଯାତ୍ରାରେ ବାହାରି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ବିଜେଡି ପ୍ରାର୍ଥୀ ଅମର ପ୍ରସାଦ ଶତପଥୀ । ଭଣ୍ଡାରୀପୋଖରୀ ବିଧାନସଭା ଆସନରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଦାଖଲ କରିଛନ୍ତି ମନୋନୟନ ପତ୍ର ।
ଯାଜପୁର ଲୋକସଭା ଆସନ ପାଇଁ ବିଜେଡିର ଶର୍ମିଷ୍ଠା ସେଠୀ ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ମୟୂରଭଞ୍ଜ ଲୋକସଭା ଆସନ ପାଇଁ ବିଜେଡିର ଦେବାଶିଷ ମାର୍ଣ୍ଡି ବିଶାଳ ଶୋଭାଯାତ୍ରାରେ ଯାଇ ଦାଖଲ କରିଛନ୍ତି ନାମାଙ୍କନ ପତ୍ର। ବାଲେଶ୍ୱର ଲୋକସଭା ଆସନ ପାଇଁ ତିନି ଦଳର ପ୍ରମୁଖ ହେଭିୱେଟ ନେତା ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ବିଜେଡି ପ୍ରାର୍ଥୀ ରବିନ୍ଦ୍ର ଜେନା ବିଶାଳ ରୋଡ ସୋରେ ଯାଇ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ସେହିପରି ବିଜେପିର ପ୍ରତାପ ଷଡ଼ଙ୍ଗୀ ଓ କଂଗ୍ରେସର ନବଜ୍ୟୋତି ପଟ୍ଟନାୟକ ମଧ୍ୟ ଦାଖଲ କରିଛନ୍ତି ପ୍ରାର୍ଥୀପତ୍ର।
ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଥମିବାକୁ ଯାଉଥିବା ବେଳେ ଅନ୍ୟ ତିନି ପର୍ୟ୍ୟାୟର ନିର୍ବାଚନ ପାଇଁ ମାହୋଲ ସରଗରମ। ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ନେତା ନିଜର ଭାଗ୍ୟ ପରୀକ୍ଷା ପାଇଁ ଭୋଟରଙ୍କୁ କରିଛନ୍ତି ଭରସା ।