ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଜମୁଛି ପ୍ରଚାର, କମ୍ପୁଛି ନିର୍ବାଚନ ମଣ୍ଡଳୀ

ଭୁବନେଶ୍ବର : ପ୍ରବଳ ଖରାକୁ ବଳି ପଡ଼ିଲାଣି ନିର୍ବାଚନ ଉଷ୍ଣତା । ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଜମୁଛି ପ୍ରଚାର। କମ୍ପୁଛି ନିର୍ବାଚନ ମଣ୍ଡଳୀ। ମାରାଥନ୍‌ କ୍ୟାମ୍ପେନିଂ ଚଳାଇଛନ୍ତି ସମ୍ବଲପୁର ବିଜେଡି ବିଧାୟିକା ପ୍ରାର୍ଥୀ ରାସେଶ୍ୱରୀ ପାଣିଗ୍ରାହୀ । ଘରକୁ ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି। କାମାକ୍ଷାନଗରରେ ବି ଜୋରଦାର ଚାଲିଛି କ୍ୟାମ୍ପେନ। ଗାଁକୁ ଗାଁ ବୁଲି ଭୋଟରଙ୍କ ସମର୍ଥନ ହାସଲ ପାଇଁ ସଭା କରୁଛନ୍ତି ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଫୁଲ ମଲ୍ଲିକ । ଆଳି ନିର୍ବାଚନ ମଣ୍ଡଳୀରେ ରାଜନୈତିକ ବାତାବରଣ ଜମୁଛି । ନିର୍ବାଚନ ସଭା ଓ ଶୋଭାଯାତ୍ରା ମାଧ୍ୟମରେ ପ୍ରଚାର କରୁଛନ୍ତି ବିଜେଡି ବିଧାୟକ ପ୍ରାର୍ଥୀ ପ୍ରତାପ ଦେବ। କେନ୍ଦ୍ରାପଡ଼ା ଆସନରେ ଭୋଟରଙ୍କ ସମର୍ଥନ ଲୋଡ଼ିଛନ୍ତି କଂଗ୍ରେସ ବିଧାୟକ ପ୍ରାର୍ଥୀ ଗଣେଶ୍ୱର ବେହେରା । ସେହିପରି ରାଜନଗର ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ଅଂଶୁମାନ ମହାନ୍ତି ମଧ୍ୟ ପ୍ରଚାରକୁ ଜୋରଦାର କରିଛନ୍ତି ।

ଚୌଦ୍ୱାର-କଟକ ଆସନରେ ବିଜେଡି ବିଧାୟକ ପ୍ରାର୍ଥୀ ସୌଭିକଙ୍କ ସହ ପ୍ରଚାରରେ କରୁଛନ୍ତି ତାଙ୍କ ବାପା ପ୍ରଭାତ ବିଶ୍ୱାଳ। ଜଟଣୀ ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ବିଭୂତି ବଳବନ୍ତରାୟଙ୍କ ଜୋରଦାର ପ୍ରଚାର। ହାତରେ ଆଉ ମାତ୍ର ଅଳ୍ପ ଦିନ ଥିବାରୁ ରାତିରେ ବି ପ୍ରଚାର ଅଭିଯାନକୁ ଓହ୍ଲାଇଛନ୍ତି। ସତ୍ୟବାଦୀ ନିର୍ବାଚନ ମଣ୍ଡଳୀରେ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ବିଜେଡିର ପୁରୀ ସାଂସଦ ପ୍ରାର୍ଥୀ ପିନାକୀ ମିଶ୍ର ଓ ସତ୍ୟବାଦୀ ବିଧାୟକ ପ୍ରାର୍ଥୀ ଉମାକାନ୍ତ ସାମନ୍ତରାୟ। ବାଲେଶ୍ୱର ଜିଲ୍ଲା ବସ୍ତା ନିର୍ବାଚନ ମଣ୍ଡଳୀରେ ଚଳଚ୍ଚିତ୍ର ତାରକାଙ୍କୁ ନେଇ ରୋଡ ସୋ କରିଛନ୍ତି ବିଜେଡି ସାଂସଦ ପ୍ରାର୍ଥୀ ରବୀନ୍ଦ୍ର ଜେନା ଏବଂ ବସ୍ତା ବିଧାନସଭା ପ୍ରାର୍ଥୀ ନିତ୍ୟାନନ୍ଦ ସାହୁ।

ଯାଜପୁରରେ ଜମୁଛି ପ୍ରଚାର । ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଘରକୁ ଘର ବୁଲି ପ୍ରଚାର କରିଛନ୍ତି। ନବୀନ ସରକାରଙ୍କ ସଫଳତାକୁ ଲୋକଙ୍କ ପାଖରେ ପହଞ୍ଚାଇ ଭୋଟ ଭିକ୍ଷା କରୁଛନ୍ତି ପ୍ରଣବ । ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ରୋଡ ସୋରେ ଭୋଟ ଭିକ୍ଷା କରିଛନ୍ତି ବିଜେଡି ସାଂସଦ ପ୍ରାର୍ଥୀ ଶର୍ମିଷ୍ଠା ସେଠୀ ଓ ବିଧାୟକ ପ୍ରାର୍ଥୀ ପ୍ରଣବ ବଳବନ୍ତରାୟ। ସେହିପରି ଧାମନଗରରେ ବିଜେପି ବିଧାୟକ ପ୍ରାର୍ଥୀ ବିଷ୍ଣୁ ସେଠୀ ବିଭିନ୍ନ ପଞ୍ଚାୟତ ବୁଲି ପ୍ରଚାର ଚଳାଇଛନ୍ତି ।

ନିର୍ବାଚନ ପ୍ରଚାରରେ ଉଠୁଛି ପଡୁଛି ନିର୍ବାଚନ ମଣ୍ଡଳୀ । ସହରବଜାର ରାସ୍ତାଘାଟ ସବୁଠି ନିର୍ବାଚନକୁ ନେଇ ଚର୍ଚ୍ଚା ଲାଗି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.