Below header

ଗଣତନ୍ତ୍ର ମହାପର୍ବର ପ୍ରଥମ ପର୍ଯ୍ୟାୟ ନିର୍ବାଚନ , ଓଡିଶା ସମେତ ୨୦ଟି ରାଜ୍ୟର ୯୧ଟି ଲୋକସଭା ଆସନ ପାଇଁ ହେଉଛି ମତଦାନ

କେନ୍ୟୁଜ୍ : ଗଣତନ୍ତ୍ର ମହାପର୍ବର ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ପ୍ରଥମ ପର୍ଯ୍ୟାୟରେ ଓ଼ଡିଶା ସମେତ ୨୦ଟି ରାଜ୍ୟର ୯୧ଟି ଲୋକସଭା ଆସନ ପାଇଁ ହେଉଛି ମତଦାନ । ଓଡ଼ିଶାର ୪ଟି ଲୋକସଭା ସହ ୨୮ଟି ବିଧାନସଭା ଆସନରେ ଭୋଟିଂ ହେଉଛି । କିଛି ସମୟ ତଳେ ଆରମ୍ଭ ହୋଇଛି ଭୋଟ ଗ୍ରହଣ । ଭୋଟରମାନେ ଧାଡ଼ିରେ ଠିଆ ହୋଇ ମତଦାନ କରିବାକୁ ଆଗ୍ରହ ଦେଖାଉଛନ୍ତି । ଏଥର ରାଜ୍ୟର ସମସ୍ତ ନିର୍ବାଚନ ମଣ୍ଡଳୀରେ ଇଭିଏମ ସହ ଭିଭିପାଟ ମେସିନର ବ୍ୟବହାର କରାଯାଉଛି ।

ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ମାଓ ପ୍ରବଣ ଅଞ୍ଚଳରେ ନିର୍ବାଚନ ହେଉଥିବାରୁ ଗ୍ରହଣ କରାଯାଇଛି ବ୍ୟାପକ ସୁରକ୍ଷା ବ୍ୟବସ୍ଥା । ସୁରକ୍ଷା ଦୃଷ୍ଟିରୁ ବିଚ୍ଛିନ୍ନାଞ୍ଚଳକୁ ହେଲିକପ୍ଟର ଯୋଗେ ଯାଇଛନ୍ତି ପୋଲିଂ ପାର୍ଟି । କଡ଼ା ସୁରକ୍ଷା ଭିତରେ ଇଭିଏମ୍‌, ଭିଭିପିଏଟି ପଠାଯାଇଛି । ପଇଁତରା ମାରୁଛନ୍ତି ସୁରକ୍ଷା ବାହିନୀ । ସର୍ଚ୍ଚ ଅପରେସନ୍‌ ଚଳାଇଛନ୍ତି ଏସ୍‌ଓଜି, ଡିଭିଏଫ୍‌ ଓ ବିଏସଏଫ୍‌ ଯବାନ । ଯାଞ୍ଚକୁ ବି କଡ଼ାକଡ଼ି କରାଯାଇଛି । ନବରଙ୍ଗପୁର ସଂସଦୀୟ କ୍ଷେତ୍ର ନକ୍ସଲ ପ୍ରଭାବିତ ଇଲାକାରେ ଆସୁଥିବାରୁ ସବୁ ନିର୍ବାଚନ ମଣ୍ଡଳୀରେ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି । ରାଜ୍ୟରେ ପ୍ରଥମ ପର‌୍ୟ୍ୟାୟ ନିର୍ବାଚନ ପାଇଁ ୭ହଜାର ୨୩୩ଟି ପୋଲିଂ ଷ୍ଟେସନ କରାଯାଇଛି । ଭୋଟ ଦେଉଛନ୍ତି ୬୦ ଲକ୍ଷ ୩ ହଜାର ୭୦୭ ଭୋଟର । ପ୍ରଥମ ଥର ଲାଗି ଓଡ଼ିଶାରେ ବ୍ରେଲି ବାଲଟ ପେପର ବ୍ୟବହାର କରାଯାଉଛି । ନିର୍ବାଚନ ପାଇଁ ୪୭ହଜାର ୮୦୫ ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ୨୩୭୫ଟି ସମ୍ବେଦନଶୀଳ ମତଦାନ କେନ୍ଦ୍ର ରହିଛି । ମାଓଉପଦ୍ରୁତ ଅଂଚଳରେ ସକାଳ ୭ରୁ ଅପରାହ୍ନ ୪ଟା ଯାଏ ମତଦାନ ହେବ । ବାକି ସ୍ଥାନରେ ସଂଧ୍ୟା ୬ଟା ଯାଏ ଭୋଟିଂ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.