ଦେଶର ୯ଟି ରାଜ୍ୟର ୭୨ ଲୋକସଭା ଆସନରେ ପଡ଼ିଲା ଭୋଟ୍‌ ! ଲାଗିଛି ବିଜେପିର ବାଜି, ଚ୍ୟାଲେଞ୍ଜ ଦେଉଛି କଂଗ୍ରେସ

ଚତୁର୍ଥ ପର୍ଯ୍ୟାୟରେ ୯ଟି ରାଜ୍ୟର ୭୨ଟି ଆସନ ପାଇଁ ହେଲା ଭୋଟିଂ। ଏଥିରେ ରହିଛି ରାଜସ୍ଥାନର ୨୫ ଆସନ। ସେଥିରୁ ଆଜି ୧୩ଟି ଆସନ ପାଇଁ ଭୋଟିଂ ହୋଇଛି। ୨୦୧୪ରେ ଏଠାରୁ ବିଜେପି ୨୫ରୁ ୨୫ ଆସନ ଜିତିଥିଲା। କିନ୍ତୁ ୨୦୧୮ ବିଧାନସଭା ନିର୍ବାଚନରେ ହାରିଥିଲା ବିଜେପି। ଏଠାକାର ଗଣିତ କହୁଛିି, ଯେଉଁ ଦଳ ବିଧାନସଭାରେ ଭଲ କରେ ଲୋକସଭା ନିର୍ବାଚନରେ ସେହି ଦଳ ଭଲ ପ୍ରଦର୍ଶନ କରେ। ବର୍ତ୍ତମାନର ୧୩ ଆସନରେ ୨୦୧୮ରେ ବିଜେପି କଂଗ୍ରେସଠାରୁ ୨.୫ ପ୍ରତିଶତ ଅଧିକ ଭୋଟ୍‌ ପାଇଥିଲା। ସେ ଗଣିତ ମୁତାବକ ଏଠାରେ ବିଜେପି ଆଜିର ୧୩ଟି ଆସନରୁ ୧୦ଟିରେ ଜିତିପାରେ। କଂଗ୍ରେସକୁ ମିଳିବ ତିନିଟି ଆସନ। କିନ୍ତୁ ବଳକା ୧୨ ଆସନରେ ହେବାକୁ ଥିବା ଭୋଟିଂରେ କଂଗ୍ରେସ ୩.୮ ପ୍ରତିଶତ ଭୋଟ ପାଇଥିଲା। ଅର୍ଥାତ ୨୦୧୮ ଗଣିତ ମୁତାବକ କଂଗ୍ରେସକୁ ୯ଟି ଓ ବିଜେପିକୁ ୩ଟି ଆସନ ମିଳିବ। ୨୦୧୮ ନିର୍ବାଚନରେ ୧୩ ଜଣ ସ୍ୱାଧୀନ ପ୍ରାର୍ଥୀ ବିଧାୟକ ହୋଇଥିଲେ । ସେମାନେ ଏବେ କଂଗ୍ରେସରେ । ତେଣୁ ତାହା ମଧ୍ୟ କଂଗ୍ରେସ ସପକ୍ଷରେ ଯାଇପାରେ ବୋଲି ଚର୍ଚ୍ଚା ହେଉଛି।

ଆଜି ରାଜସ୍ଥାନରେ ମତଦାନ କରିଥିଲେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଦରା ରାଜେ ସିନ୍ଧିଆ । ରାଜସ୍ଥାନ ଯୋଧପୁରରେ ଅଶୋକ ଗେହଲଟଙ୍କ ପୁଅ ବୈଭବ ଗେହଲଟ ପ୍ରାର୍ଥୀ ଅଛନ୍ତି। ତାଙ୍କ ବିରୋଧରେ ପ୍ରାର୍ଥୀ ଅଛନ୍ତି ବିଜେପିର କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ। ରାଜସ୍ଥାନର ବାରମେର ଆସନ ଭେଟେରାନ ଯଶୱନ୍ତ ସିଂହଙ୍କ ଆସନ ପାଇଁ ବେଶ ପରିଚିତ । ଏଠାରୁ ସେ ୯ ଥର ଜିତିଥିଲେ। ଏଥର ବିଜେପି ପ୍ରାର୍ଥୀ ଅଛନ୍ତି କୈଳସ ଚୌଧୁରୀ । କଂଗ୍ରେସରୁ ପ୍ରାର୍ଥୀ ଅଛନ୍ତି ଯଶୱନ୍ତଙ୍କ ପୁଅ ମାଧବେନ୍ଦ୍ର ସିଂହ। ସେହିପରି ରାଜ୍ୟର ଝାଲୱାରରୁ ପ୍ରାର୍ଥୀ ଅଛନ୍ତି ବସୁନ୍ଧରାଙ୍କ ପୁଅ ଦୁଶ୍ୟନ୍ତ ସିଂହ। ତାଙ୍କ ବିପକ୍ଷରେ ଅଛନ୍ତି କଂଗ୍ରେସର ପ୍ରମୋଦ ଶର୍ମା ।

ମଧ୍ୟପ୍ରଦେଶରେ ଆଜି ୬ଟି ଆସନ ପାଇଁ ମତଦାନ ହୋଇଥିଲା । ରାଜ୍ୟରେ ୨୯ଟି ଆସନ ରହିଛି । ୨୦୧୪ରେ ଏଠାରୁ ବିଜେପି ୨୭ଟି ଓ କଂଗ୍ରେସ ୨ଟିରେ ଜିତିଥିଲା। କିନ୍ତୁ ୨୦୧୮ ବିଧାନସଭା ନିର୍ବାଚନରେ ହାରିଥିଲା ବିଜେପି। ଗତ ବର୍ଷର ଗଣିତ ମୁତାବକ ଏଥର ମଧ୍ୟପ୍ରଦେଶରେ କଂଗ୍ରେସ ୧୨ଟି ଆସନ ଜିତିପାରେ। ମଧ୍ୟପ୍ରଦେଶରେ ପ୍ରମୁଖ ଆସନ ଛିନ୍ଦୱାରା। ଏହି ଆସନରୁ ୯ ଥର ଜିତିଛନ୍ତି ମୁଖ୍ୟମନ୍ତ୍ରୀ କମଲ ନାଥ। ଏବେ ଏଠାରୁ ପ୍ରାର୍ଥୀ ଅଛନ୍ତି କମଲନାତଙ୍କ ପୁଅ ନକୁଲ ନାଥ।

ସେହିପରି ଝାଡ଼ଖଣ୍ଡରେ ମଧ୍ୟ ଆଜି ନିର୍ବାଚନ ଆରମ୍ଭ ହୋଇଛି। ଆଜି ୩ଟି ଆସନ ପାଇଁ ମତଦାନ ହୋଇଥିଲା। ଝାଡ଼ଖଣ୍ଡରେ ଥିବା ୧୪ଟି ଆସନରୁ ୨୦୧୪ରେ ବିଜେପି ୧୨ଟି ଜିତିଥିଲା। ଏଥର କିନ୍ତୁ ଚିତ୍ର ଭିନ୍ନ। ଏଥର କଂଗ୍ରେସ, ଜେଏମ୍‌ଏମ୍‌, ଆରଜେଡି, ଝାଡ଼ଖଣ୍ଡ ବିକାଶ ମୋର୍ଚ୍ଚା ମଧ୍ୟରେ ମେଣ୍ଟ ହୋଇଛି। ପୂର୍ବାନୁମାନ କରାଯାଉଛି ଏଠାରେ କଂଗ୍ରେସ ମେଣ୍ଟ ୧୧ଟି ସିଟ୍‌ରେ ଭଲ କରିବ। ବିହାରରେ ମଧ୍ୟ ଆଜି ୫ଟି ଆସନ ପାଇଁ ମତଦାନ ହୋଇଥିଲା । ଫୋକସରେ ଥିଲା ବେଗୁସରାଇ। ସିପିଆଇ ପ୍ରାର୍ଥୀ ତଥା ପୂର୍ବତନ ଜେଏନ୍‌ୟୁ ସଭାପତି କହ୍ନେୟା କୁମାର ମଧ୍ୟ ମତଦାନ କରିଥିଲେ। ସେହିପରି ଗିରିରାଜ ସିଂହ ମଧ୍ୟ ଆଜି ମତଦାନ କରିଥିଲେ।

ଚତୁର୍ଥ ପର୍ଯ୍ୟାୟରେ ଏନ୍‌ଡିଏର ବାଜି ଲାଗିଛି। ଏହି ପର୍ଯ୍ୟାୟରେ ମହାରାଷ୍ଟ୍ର ସହ ହିନ୍ଦି ହାର୍ଟଲାଣ୍ଡରେ ଭୋଟିଂ ହେଲା। ଏଠାରେ ହୋଇଥିବା ୭୨ଟି ଆସନ ମଧ୍ୟରୁ ୨୦୧୪ରେ ୫୬ଟି ଜିତିଥିଲା ଏନ୍‌ଡିଏ। କେବଳ ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଉତ୍ତରପ୍ରଦେଶ ଏହି ୪ଟି ରାଜ୍ୟର ଆଜି ୪୯ଟି ଆସନ ପାଇଁ ମତଦାନ ହୋଇଥିଲା। ଏଥିରୁ ୨୦୧୪ରେ କନୌଜ ଓ ଛିନ୍ଦୱାରାକୁ ଛାଡିଦେଲ ୪୭ଟି ଆସନ ଜିତିଥିଲା ଏନ୍‌ଡିଏ । ତେଣୁ ଏହି ପର୍ଯ୍ୟାୟରେ ଏନ୍‌ଡିଏ ପାଇଁ ବଡ଼ ବାଜି ଲାଗିଛି । ଚତୁର୍ଥ ପର୍ଯ୍ୟାୟ ସରିବା ସହ ଦେଶରେ ୫୪୩ ଲୋକସଭା ଆସନରୁ ୩୭୪ ଆସନରେ ଭୋଟିଂ ସରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.