ତୃତୀୟ ପର୍ଯ୍ୟାୟ ପାଇଁ ଜୋରଦାର ପ୍ରଚାର କରୁଛନ୍ତି ନବୀନ , ବିଜେପି ନେତାଙ୍କ ସ୍ୱାର୍ଥ ପାଇଁ ଓଡ଼ିଶା ତାର ହକରୁ ବଞ୍ଚିତ ବୋଲି କହିଛନ୍ତି

କେନ୍ୟୁଜ୍ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାରାଥନ ପ୍ରଚାର । ତୃତୀୟ ପର୍ଯ୍ୟାୟ ପାଇଁ ପ୍ରଚାର କରୁଛନ୍ତି ନବୀନ । ଅନୁଗୁଳ, ଢେଙ୍କାନାଳ ଓ କଟକ ଜିଲ୍ଲାରେ ପ୍ରଚାର କରୁଛନ୍ତି । ଢେଙ୍କାନାଳର ପରଜଙ୍ଗ ଓ ଅନୁଗୁଳର ବନ୍ତଳା ନିର୍ବାଚନ ସଭାରେ ଜୋରଦାର ବର୍ଷିଛନ୍ତି ନବୀନ। ବିଜେପି ନେତାଙ୍କ ସ୍ୱାର୍ଥ ପାଇଁ ଓଡ଼ିଶାକୁ ତାର ହକରୁ ବଞ୍ଚିତ କରାଯାଉଥିବା ସେ କହିଛନ୍ତି। କାଳିଆ ଯୋଜନାରେ ୪୦ଲକ୍ଷ ଚାଷୀ ଉପକୃତ ହୋଇସାରିଲେଣି। କିନ୍ତୁ କେନ୍ଦ୍ରର ବିଜେପି ସରକାର ଏହି ଯୋଜନାକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛି। ସେ ଥିବା ପର୍ଯ୍ୟନ୍ତ କାଳିଆ ଯୋଜନାକୁ କେହି ବନ୍ଦ କରିପାରିବେନାହିଁ ବୋଲି କହିଛନ୍ତି ନବୀନ। ସରକାର ଆସିବାର ପ୍ରଥମ ଦିନରେ ସବୁ ଚାଷୀଙ୍କୁ ଦୁଇଟି କିସ୍ତିର ୧୦ହଜାର ଟଙ୍କା ମିଳିବ। ମିଶନ ଶକ୍ତି ମହିଳାମାନଙ୍କ ପାଇଁ ୫ହଜାର କୋଟିର ବ୍ୟବସାୟ ମିଳିବ। ମହିଳାମାନେ ହେଉଛନ୍ତି ବିକାଶର ଡବଲ ଇଞ୍ଜିନ। ନିର୍ବାଚନ ହେଲେ ବିଜେପିର ବଡ଼ବଡ଼ ନେତା ଓଡ଼ିଶା ଆସୁଛନ୍ତି। କିନ୍ତୁ କୋଇଲା ରୟାଲଟି ସଂଶୋଧନ କରୁନାହାନ୍ତି। ପାଞ୍ଚବର୍ଷରେ ପାଞ୍ଚମିନିଟର କାମ ବି ହୋଇପାରିନି। କୋଇଲା ରୟାଲଟିରୁ କେନ୍ଦ୍ର କୋଟି କୋଟି ଟଙ୍କା ପାଉଥିବା ବେଳେ ଢେଙ୍କାନାଳ ଓ ଅନୁଗୁଳ କେବଳ ପ୍ରଦୂଷଣ ଆଉ ଧୂଳି ପାଉଛି। ଏମସିଏଲ, ଏନଟିପିସି ହଜାର ହଜାର କୋଟି ଟଙ୍କା ଲାଭ କରୁଛନ୍ତି। କିନ୍ତୁ ସ୍ଥାନୀୟ ଅଞ୍ଚଳର ବିକାଶ ପାଇଁ କିଛି କରୁନାହାନ୍ତି। ବିଜେପି ନେତା କଣ୍ଟ୍ରାକ୍ଟରମାନଙ୍କ ପାଇଁ କାମ କରୁଛନ୍ତି କି ବୋଲି ପ୍ରଶ୍ନ କରିଛନ୍ତି ନବୀନ। ଜମି ହରାଇଥିବା ଲୋକଙ୍କୁ ନ୍ୟାୟ ମିଳୁନି। ଓଡ଼ିଆ କେନ୍ଦ୍ରମନ୍ତ୍ରୀ ମାନେ ଚୁପ କାହିଁକି ବୋଲି ପ୍ରଶ୍ନ କରିଛନ୍ତି ନବୀନ। ପରେ ହିନ୍ଦୋଳ ଠାରେ ସାଧାରଣ ସଭାରେ ଯୋଗ ଦେବେ ନବୀନ। ଏହା ପରେ ଢେଙ୍କାନାଳ ଗାନ୍ଧି ଷ୍ଟାଡିୟମ୍‌ରେ ଉପସ୍ଥିତ ଲୋକଙ୍କୁ ଉଦ୍‌ବୋଧନ ଦେଇ କଟକ ଜିଲ୍ଲା ଯିବେ ନବୀନ । ପ୍ରଥମେ ବଡମ୍ବାରେ ସାଧାରଣ ସଭା କରିବା ପରେ ବାଙ୍କୀରେ ମଧ୍ୟ ଏକ ସାଧାରଣ ସଭାରେ ଉଦ୍‌ବୋଧନ ଦେବେ ମୁଖ୍ୟମନ୍ତ୍ରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.