ଦ୍ୱିତୀୟ ପର୍ଯ୍ୟାୟରେ ୫ ଲୋକସଭା ଓ ୩୫ ବିଧାନସଭା ଆସନରେ ଭୋଟ୍‌, ଲଢୁଛନ୍ତି ବହୁ ହେଭିୱେଟ୍

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ଲଢୁଛନ୍ତି ବହୁ ହେଭିୱେଟ । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳି ଓ ବିଜେପୁର ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ୨୦୦୦ ମସିହାରୁ ହିଞ୍ଜିଳି ଆସନରୁ ନବୀନ ଲଗାତାର ବିଜୟ ବାନା ଉଡ଼ାଇ ଚାଲିଛନ୍ତି । ଏଥର ପ୍ରଥମ ଥର ପାଇଁ ଦୁଇଟି ଆସନରେ ଲଢୁଛନ୍ତି ନବୀନ। ସେହିପରି ବାଚସ୍ପତି ପ୍ରଦୀପ ଅମାତ ପୁଣି ବୌଦ୍ଧ ଆସନରୁ ମଇଦାନକୁ ଓହ୍ଲାଇଛନ୍ତି । ଏଠାରୁ ସେ ୪ ଥର ବିଧାୟକ ଭାବେ ଜିତିଛନ୍ତି। ସେପଟେ ଦ୍ୱିତୀୟ ପର‌୍ୟ୍ୟାୟ ନିର୍ବାଚନରେ ଭଟଲି ବିଧାନସଭା ଆସନରେ ଲଢୁଥିବା ମନ୍ତ୍ରୀ ସୁଶାନ୍ତ ସିଂ, ଅତାବିରାରୁ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । ଭଂଜନଗରରୁ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ସୋନପୁରରୁ ନିରଞ୍ଜନ ପୂଜାରୀ ମଧ୍ୟ ମଇଦାନରେ ଅଛନ୍ତି । ପୂର୍ବତନ ବାଚସ୍ପତି କିଶୋର ମହାନ୍ତି ବ୍ରଜରାଜନଗରରୁ ପ୍ରଥମ ଥର ଲଢୁଛନ୍ତି । ରାଉରକେଲାରୁ ପୂର୍ବତନ ମନ୍ତ୍ରୀ ଶାରଦା ନାୟକ, ରାଜଗାଙ୍ଗପୁରରୁ ପୂର୍ବତନ ମନ୍ତ୍ରୀ ମଙ୍ଗଳା କିଷାନ ଓ ପୂର୍ବତନ ମନ୍ତ୍ରୀ ପଦ୍ମନାଭ ବେହେରା ବୀରମହାରାଜପୁରରୁ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି ।

ବଲାଙ୍ଗୀର ବିଧାନସଭା ଆସନରେ ପୁଣି ଲଢୁଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର । ସେହିପରି ଟିଟିଲାଗଡ଼ ଆସନରୁ ପୂର୍ବତନ ବିରୋଧୀ ଦଳ ନେତା ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି । ଏଥର ମଧ୍ୟ ପାଟଣାଗଡ଼ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ବିଜେପି ବିଧାୟକ ଦଳ ନେତା କେ.ଭି ସିଂହଦେଓ ।

ଦ୍ୱିତୀୟ ପର୍ଯ୍ୟାୟରେ ୫ଟି ଲୋକସଭା ଆସନରେ ମତଦାନ ହେବ। ବରଗଡ଼ ସଂସଦୀୟ କ୍ଷେତ୍ରରୁ ବିଜେଡିରୁ ପ୍ରସନ୍ନ ଆଚାର‌୍ୟ୍ୟ, ବିଜେପିରୁ ସୁରେଶ ପୂଜାରୀ ଓ କଂଗ୍ରେସରୁ ପ୍ରଦୀପ ଦେବତା ପ୍ରାର୍ଥୀ ହୋଇଛନ୍ତି। ସେହିପରି କନ୍ଧମାଳ ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀ ଭାବେ ଲଢୁଛନ୍ତି ଡ. ଅଚ୍ୟୁତ ସାମନ୍ତ । ଏହି ଆସନରେ ବିଜେପିର ଖାରବେଳ ସ୍ୱାଇଁ ଓ କଂଗ୍ରେସର ମନୋଜ କୁମାର ଆଚାର‌୍ୟ୍ୟ ପ୍ରାର୍ଥୀ ହୋଇଛନ୍ତି । ଆସିକାରେ ବିଜେଡିରୁ ଲଢୁଛନ୍ତି ପ୍ରମିଳା ବିଷୋୟୀଙ୍କୁ। ବିଜେପିରୁ ଅନୀତା ପ୍ରିୟଦର୍ଶିନୀ ଓ କଂଗ୍ରେସ ସମର୍ଥନରେ ସିପିଆଇରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ରାମକୃଷ୍ଣ ପଣ୍ଡା। ବଲାଙ୍ଗୀର ଲୋକସଭା ଆସନରେ ପୁଣି ବିଜେଡି ଟିକେଟରେ ରଣାଙ୍ଗନାକୁ ଓହ୍ଲାଇଛନ୍ତି କଳିକେଶ ସିଂଦେଓ । ତାଙ୍କ ବିପକ୍ଷରେ ବିଜେପିରୁ ଅଛନ୍ତି ସଙ୍ଗୀତା ସିଂଦେଓ ଓ କଂଗ୍ରେସର ସମରେନ୍ଦ୍ର ମିଶ୍ର । ସୁନ୍ଦରଗଡ଼ ସଂସଦୀୟ କ୍ଷେତ୍ରରେ ବିଜେଡିର ସୁନୀତା ବିଶ୍ୱାଳ, ବିଜେପିର ଜୁଏଲ ଓରାମ, କଂଗ୍ରେସର ଜର୍ଜ ତିର୍କୀ ଲଢୁଛନ୍ତି ।

Leave A Reply

Your email address will not be published.