ବିଦେଶରେ କୋହଲି ସବୁଠୁ ସଫଳତମ ଭାରତୀୟ ଅଧିନାୟକ

ନୂଆଦିଲ୍ଲୀ; ନର୍ଥ ସାଉଣ୍ଡଠାରେ ୱେଷ୍ଟଇଣ୍ଡିଜକୁ ୩୧୮ ରନ୍‌ରେ ହରାଇ ଭାରତୀୟ ଦଳ ବୃହତ୍‌ ବିଜୟ ହାସଲ କରିଛି। ବିରାଟ କୋହଲିଙ୍କ ନେତୃତ୍ୱରେ ବିଦେଶ ମାଟିରେ ଭାରତର ଏହା ଥିଲା ୧୨ତମ ବିଜୟ। ଏଥିସହ ବିଦେଶରେ କୋହଲି ସବୁଠୁ ସଫଳତମ ଭାରତୀୟ ଅଧିନାୟକ ହୋଇପାରିଛନ୍ତି। ଏପର୍ଯ୍ୟନ୍ତ ତାଙ୍କ ନେତୃତ୍ୱରେ ଭାରତ ବିଦେଶରେ ୨୬ ମ୍ୟାଚ୍‌ ଖେଳିଛି। ଏହି ଧାରାରେ ସେ ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ପଛରେ ପକାଇ ଦେଇଛନ୍ତି। ଅଧିନାୟକ ଭାବେ ୪୯ ଟେଷ୍ଟ ଖେଳିଥିବା ଗାଙ୍ଗୁଲି ବିଦେଶରେ ୧୧ ମ୍ୟାଚ୍‌ ଜିତିଥିଲେ। ତାଙ୍କ ବ୍ୟତୀତ ବିଦେଶରେ ମହେନ୍ଦ୍ର ସିଂ ଧୋନୀ ୬ ଓ ରାହୁଲ ଡ୍ରାଭିଡ ୩ ବିଜୟ ହାସଲ କରିଥିଲେ।

ସୂଚନାଯୋଗ୍ୟ , ୱେଷ୍ଟଇଣ୍ଡିଜ୍‌କୁ ୩୧୮ ରନ୍‌ରେ ହରାଇ ଆଇସିସି ଟେଷ୍ଟ ଚାମ୍ପିଅନ୍‌ସିପ୍‌ରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଭାରତ । ୱେଷ୍ଟଇଣ୍ଡିଜ୍‌ ଆଗରେ ବିଜୟ ପାଇଁ ୪୧୯ ରନ୍‌ର ବିଶାଳ ଲକ୍ଷ ଦେଇଥିଲା ଭାରତ । ହେଲେ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ମାତ୍ର ୧୦୦ ରନ୍‌ରେ ସମସ୍ତ ଓ୍ଵିକେଟ୍‌ ହରାଇଥିଲା । ଜବରଦସ୍ତ ପ୍ରଦର୍ଶନ କରିଥିବା ବୁମ୍‌ରା ୫ ଓ୍ଵିକେଟ୍‌ ନେଇଥିଲେ । ସେହିପରି ଇଶାନ୍ତ ଶର୍ମା ୩ଟି ଓ ମହମ୍ମଦ ସାମି ୨ଟି ଓ୍ଵିକେଟ୍‌ ନେଇଥିଲେ । ଦୁଇଟି ଇନିଂସରେ ଚମତ୍କାର ବ୍ୟାଟିଂ କରିଥିଲେ ଅଜିଙ୍କ୍ୟ ରାହାଣେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.