ରଣନୀତି ବଦଳାଇବ ଟିମ୍‌ ଇଣ୍ଡିଆ, କାଲି ରାଜକୋଟରେ ଦ୍ୱିତୀୟ ଟି-୨୦ ତେବେ ବର୍ଷାକୁ ଡର

ରାଜକୋଟ : ଆସନ୍ତାକାଲି ରାଜକୋଟରେ ଖେଳାଯିବ ଭାରତ ଓ ବାଂଲାଦେଶ ମଧ୍ୟର ଦ୍ୱିତୀୟ ଟି-୨୦ କ୍ରିକେଟ୍‌ ମ୍ୟାଚ୍‌ । ପ୍ରଥମ ମ୍ୟାଚ୍‌ରେ ଭାରତ ହାରି ଯାଇଥିଲା । ତେଣୁ ଏହି ମ୍ୟାଚ୍‌ ଘରୋଇ ଦଳ ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ । ତେବେ ଆସୁଥିବା ବାତ୍ୟା ବୁଲ୍‌ବୁଲ୍‌ ପ୍ରଭାବରେ ଆସନ୍ତାକାଲି ଏଠାରେ ବର୍ଷାର ସମ୍ଭାବନା ରହିଛି । ତେଣୁ ଖେଳ ସମ୍ଭବ ହେବ କି ନାହିଁ ସେକଥା କେବଳ ପାଗ ଉପରେ ନିର୍ଭର କରିବ ।


ତଥାପି ଭାରତୀୟ କ୍ରିକେଟ୍‌ ଦଳ ମ୍ୟାଚ୍‌ ପାଇଁ ପ୍ରସ୍ତୁତି ଓ ରଣନୀତିରେ ଲାଗିଛି। ଅଧିନାୟକ ରୋହିତ ଶର୍ମା ପେସ୍‌ ବୋଲିଂ ବିଭାଗରେ କିଛିଟା ପରିବର୍ତ୍ତନ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି । ଖଲିଲଙ୍କ ସ୍ଥାନରେ ଶାର୍ଦ୍ଦୁଲ ଠାକୁରଙ୍କୁ ଖେଳାଯାଇ ପାରେ । ଅବଶ୍ୟ ଖଲିଲ ପ୍ରଥମ ମ୍ୟାଚ୍‌ରେ ଭଲ ବୋଲିଂ କରିନଥିଲେ । ତେବେ ରୋହିତ ଆଜି କହିଛନ୍ତି ଯେ ପୂର୍ବ ମ୍ୟାଚ୍‌ରେ ଦିଲ୍ଲୀର ପିଚ୍‌ ହିସାବରେ ବୋଲର୍‌ ନିଆଯାଇଥିଲା । ଏଠାକାର ପିଚ୍‌ ହିସାବରେ ବୋଲର୍‌ ବଦଳାଯିବ । ରାଜକୋଟର ପିଚ୍‌କୁ ପ୍ରଶଂସା କରି ରୋହିତ କହିଛନ୍ତି ଏଠି ବୋଲର୍‌ଙ୍କୁ ସହାୟତା ମିଳିବ । ସେ ଆହୁରି କହିଛନ୍ତି ଯେ ଟି-୨୦ ଫର୍ମାଟ୍‌ ପାଇଁ ଆମେ ନୂଆ ଖେଳାଳିଙ୍କୁ ପରଖିବାର ସୁଯୋଗ ନେଉଛୁ । ପ୍ରଥମ ମ୍ୟାଚ୍‌ରେ ଯାହା ଭୁଲ କରିଥିଲୁ ତାକୁ ଆଉ ଦୋହରାଇବୁ ନାହିଁ । ଆଗାମୀ ଟି-୨୦ ବିଶ୍ୱକପ୍‌ ଲାଗି ଦଳର ବ୍ୟାକ୍‌ଅପ୍‌ ରଖିବା ହେଉଛି ଆମର ଲକ୍ଷ୍ୟ ବୋଲି ରୋହିତ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.