ରାସ୍ତା ମଝିରେ ପେଟେଣ୍ଟ ମେଡିସିନ୍ : ପ୍ରେମିକା ସହ କାରରେ ଯାଉଥିଲେ ସ୍ୱାମୀ, ଗାଡ଼ି ଅଟକାଇ ପତ୍ନୀ ଦେଲେ ଉତ୍ତମ ମଧ୍ୟମ; ଦେଖନ୍ତୁ ଭିଡିଓ

ସ୍ୱାମୀ ସ୍ତ୍ରୀଙ୍କୁ ଧୋକା ଦେବା ଘଟଣା ଏବେ ଏକ ସାଧାରଣ କଥା ପାଲଟିଛି। ଲୋକମାନେ ଆଜିକାଲି ବୈବାହିକ ଜୀବନରେ ଖୁସି ନଥିବାରୁ ବାହାରେ ଖୁସି ଖୋଜୁଛନ୍ତି। ଫଳସ୍ୱରୂପ ଜନ୍ମ ହେଉଛି ପରକୀୟା ପ୍ରୀତିର। ମାତ୍ର ଏହି ପ୍ରୀତି ଯଦି ସ୍ତ୍ରୀଙ୍କ ହାବୁଡ଼ରେ ପଡ଼ିଲା ତେବେ କଥା ସରିଲା ବୋଲି ଜାଣ। ତା’ ପରେ ଯେଉଁ ପରିସ୍ଥିତି ହେବ ସେ ବିଷୟରେ ଚିନ୍ତା କରିବାକୁ ବି ଭୟ ଲାଗୁଛି। ତେବେ ଏବେ ସେଭଳି ଏକ ଘଟଣା ଘଟିଛି ମୁମ୍ବାଇରେ। ମୁମ୍ବାଇରେ ଜଣେ ବ୍ୟକ୍ତିଙ୍କ ପରକୀୟା ପ୍ରୀତି ପଡ଼ିଛି ସ୍ତ୍ରୀଙ୍କ ହାବୁଡ଼ରେ। ସେ ପୁଣି ରାସ୍ତା ମଝିରେ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି।

ଶନିବାର ସନ୍ଧ୍ୟା ପ୍ରାୟ ୫ଟା ବେଳେ ଜଣେ ପୁରୁଷ ଜଣେ ମହିଳାଙ୍କ ସହ ଏକ କଳା ରଙ୍ଗର କାରରେ ଯାଉଥିଲେ। ମାତ୍ର ତାଙ୍କ କାରକୁ ଏକ ଧଳା କାର ଅଟକାଇଥିଲା। ଧଳା କାରରୁ ଜଣେ ମହିଳା ବାହାରି କଳା କାରକୁ ରୋକି ସେଥିରେ ବସିଥିବା ବ୍ୟକ୍ତିଙ୍କୁ ବାହାରକୁ ବାହାରିବାକୁ ଚିଲ୍ଲାଉଥିଲେ। କିନ୍ତୁ ବ୍ୟକ୍ତି ଜଣକ ବାହାରକୁ ବାହାରିନଥିଲେ। ସେ ବାହାରକୁ ନ ବାହାରିବାକୁ ମହିଳା କାରର ବନେଟ୍‌ ଉପରେ ଚଢ଼ି ତାଙ୍କୁ ପାଟି କରିବା ସହ କାରରୁ ବାହାରିବାକୁ ବାରମ୍ବାର କହୁଥିଲେ। ରାସ୍ତା ଉପରେ ମହିଳାଙ୍କ ଏଭଳି କାଣ୍ଡ ଦେଖି ପୋଲିସ ବି ଘଟଣାସ୍ଥଳକୁ ଚାଲି ଆସିଥିଲା।

ମାତ୍ର ପଚରାଉଚରା ପରେ ଜଣାପଡ଼ିଥିଲା ଯେ ମହିଳା ଜଣକ ହେଉଛନ୍ତି କାର ଭିତରେ ଥିବା ବ୍ୟକ୍ତିଙ୍କ ପତ୍ନୀ ଓ ବ୍ୟକ୍ତିଙ୍କ ସହ ଥିବା ମହିଳା ହେଉଛନ୍ତି ତାଙ୍କ ପ୍ରେମିକା। ପତ୍ନୀଙ୍କୁ ସ୍ୱାମୀଙ୍କ ପରକୀୟା ପ୍ରୀତି ବିଷୟରେ ଜଣାପଡ଼ିବା ପରେ ସେ ତାଙ୍କ ପିଛା କରିଥିଲେ ଓ ରାସ୍ତା ଉପରେ ରଙ୍ଗେ ହାତ୍‌ ଧରିଥିଲେ। ବ୍ୟକ୍ତି ଜଣକ ବାହାରକୁ ବାହାରିବା ପରେ ମହିଳା ତାଙ୍କୁ ଗୋଇଠା ମାରିଥିଲେ। ପରେ ଉଭୟେ କାର ଭିତରକୁ ଯାଇ କଥାବାର୍ତ୍ତା କରିଥିଲେ। ପରେ ମହିଳା ବାହାରି ଆସି ଉକ୍ତ ଯୁବତୀଙ୍କୁ ଗାଳି କରିଥିବା ଦେଖିବାକୁ ମିଳିଥିଲା।

ଏହି ଘଟଣାକୁ ଜଣେ ୟୁଜର ସୁଟିଂ କରି ଟ୍ଵିଟରରେ ସେୟାର କରିଛନ୍ତି। ଭିଡିଓଟି ସେୟାର ହେବା ପରେ ପ୍ରବଳ ସେୟାର ହେଉଥିବା ଦେଖିବାକୁ ମିଳିଛି। ଭିଡିଓ ଦେଖି ଜଣେ ୟୁଜର କହିଛନ୍ତି ପରକୀୟା ପ୍ରୀତିର କୁପରିଣତି ଏମିତି ହେବ ବୋଲି ମୁଁ ଭାବି ନଥିଲି।

Leave A Reply

Your email address will not be published.