ନୂଆଦିଲ୍ଲୀ: ବାଘ ହାଡ଼ରୁ ତିଆରି ହେଉଛି କେକ୍ ଓ ମଦ! ଆଶ୍ଚର୍ଯ୍ଯ ଲାଗୁଥିଲେ ବି ସତ। କେବଳ ଔଷଧୀୟ ଗୁଣକୁ ନେଇ ବାଘର ଶିକାର ହେଉଛି ବୋଲି ଭାବିବା ଭୁଲ୍। ବିଳାସପୂର୍ଣ୍ଣ ସାମଗ୍ରୀ ନିର୍ମାଣ ପାଇଁ ମଧ୍ୟ ବାଘର ଚୋରା କାରବାର ହେଉଛି। ଆଉ ଏଥିରେ ଚୀନ୍ ପ୍ରଥମ ସ୍ଥାନରେ ଥିବାବେଳେ ତା ପଛକୁ ରହିଛି ଭାରତ। ବନ୍ୟଜନ୍ତୁ ଶୀକାର ଏକ ଦଣ୍ଡନୀୟ ଅପରାଧ ହୋଇଥିଲେ ବି ଦିନକୁ ଦିନ ବଢିଚାଲିଛି ଏହାର ଚୋରା କାରବାର।
ମିଳିଥିବା ସୂଚନା ମୁତାବକ, ୨୦୦୭ରୁ ୨୦୧୮କୁ ନେଇ ପ୍ରସ୍ତୁତ ଜାତିସଂଘର ବନ୍ୟଜନ୍ତୁ ଅପରାଧ ରିପୋର୍ଟରୁ ଏହା ଜଣାପଡିଛି। ଏ ସମୟ ମଧ୍ୟରେ ଯେତେ ପରିମାଣର ବନ୍ୟଜନ୍ତୁ ସାମଗ୍ରୀ ଜବତ ହୋଇଛି । ସେଥିରୁ ଦୁଇ ତୃତୀୟାଂଶ କେବଳ ବାଘର ହାଡ଼। ଥାଇଲାଣ୍ଡ ଓ ଭାରତରୁ ହିଁ ଅଧିଂକାଶ ସାମଗ୍ରୀ ଜବତ ହୋଇଛି।
୧୫୫ଟି ମାମଲାରେ ଯେଉଁ ବାଘ ମାଫିଆଙ୍କୁ ଚିହ୍ନଟ ହୋଇଛି, ସେଥିରୁ ୧୮ ପ୍ରତିଶତ ଭାରତୀୟ ନାଗରିକ। ୨୯ ପ୍ରତିଶତ ରହିଛନ୍ତି ଚୀନ୍ର ନାଗରିକ । ବାଘ ହାଡ଼ରେ ଔଷଧୀୟ ଗୁଣ ପାଇଁ ଚୋରା କାରବାର ହୁଏ। ଏହା ସହ ବାଘ ହାଡକୁ ମଦରେ ମିଶାଇ ଟାଇଗର ମଦ ପ୍ରସ୍ତୁତ ହୁଏ। ହାଡକୁ ସିଝାଇ କେକ୍ ପ୍ରସ୍ତୁତିରେ ମଧ୍ୟ ବ୍ୟବହାର ହୁଏ।