କରୋନା ଭାଇରସ୍ର ସଂକ୍ରମଣ ଭୟ ଲୋକଙ୍କ ମନରେ ଏତେ ବଢ଼ିଯାଇଛି ଯେ ଲୋକମାନେ ନିଜ ପରିଜନଙ୍କୁ ଅନ୍ତିମ ସଂସ୍କାର କରିବାକୁ ବି ଡରୁଛନ୍ତି। ଏଭଳି ଏକ ମାମଲା ଦେଖିବାକୁ ମିଳିଛି ତେଲେଙ୍ଗାନାରେ। ତେଲେଙ୍ଗାନାର ସଙ୍ଗାରେଡ୍ଡିରେ ଗୋଟିଏ ପରିବାରର ଦୁଇ ଜଣଙ୍କ ମୃତ୍ୟୁ ଘଟିଥିଲା। ପରିବାର ଲୋକ ଉଭୟ ଶବକୁ ଘର ବାହାରେ ରଖିଥିଲେ। କିନ୍ତୁ ଅନ୍ତିମ ସଂସ୍କାର କରିବାକୁ ମନା କରିଦେଇଥିଲେ। ପରେ ପୋଲିସ ଓ ମ୍ୟୁନିସିପାଲଟିର କର୍ମକର୍ତ୍ତା ମିଶି ଉଭୟଙ୍କର ଅନ୍ତିମ ସଂସ୍କାର କରିଥିଲେ।
ଏନେଇ ପୋଲିସ କହିଛି ଯେ ଏକ ବଡ଼ ପରିବାରର ୭ ଜଣଙ୍କୁ କରୋନା ହୋଇଥିଲା। ସେମାନଙ୍କ ମଧ୍ୟରୁ ବୁଧବାର ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଗୁରୁବାର ଆଉ ଜଣେ ଆରପାରିକୁ ଚାଲିଯାଇଥିଲେ। ତେବେ ପରିବାରର ଦୁଇ ଜଣ କରୋନା ଯୋଗୁ ମୃତ୍ୟୁବରଣ କରିଥିବାରୁ ଅନ୍ୟ ସଦସ୍ୟମାନେ ଭୟରେ ସେମାନଙ୍କ ଶବ ସଂସ୍କାର କରିନଥିଲେ। ଏମିତିକି ଶବକୁ ଛୁଇଁବାକୁ ବି ମନା କରି ଦେଇଥିଲେ।
ପରିଜନଙ୍କୁ ଭୟ ଥିଲା ଯେ ଯଦି ସେ କରୋନା ଆକ୍ରାନ୍ତଙ୍କ ଶବ ଛୁଇଁବେ ସେ ବି ସଂକ୍ରମିତ ହୋଇଯିବେ। ଏହା ପରେ ପରିବାର ଲୋକେ କୌଣସି ପ୍ରକାରେ ଶବକୁ ବାହାରକୁ ବାହାର କରିଥିଲେ ଓ ରାସ୍ତା ଉପରେ ସେଭଳି ଛାଡ଼ି ଦେଇଚାଲିଯାଇଥିଲେ। ଦୀର୍ଘ ସମୟ ଧରି ଶବଟି ଏଭଳି ପଡ଼ି ରହିବା ପରେ ପଡ଼ୋଶୀମାନେ ପୋଲିସକୁ ଖବର ଦେଇଥିଲେ। ପରେ ପୋଲିସ ତାଙ୍କ ଘରେ ପହଞ୍ଚି ଅନ୍ତିମ ସଂସ୍କାର କରିବାକୁ କହିଥିଲା। ମାତ୍ର ସେମାନେ ମନା କରିବାରୁ ବାଧ୍ୟ ହୋଇ ପୋଲିସ, ନଗର ନିଗମ ଓ ଅନ୍ୟ ଅଧିକାରୀମାନେ ଶବର ଅନ୍ତିମ ସଂସ୍କାର କରିଥିଲେ।