ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟାରେ ଆଉ ୧୦୫୯ ଜୀବନ ନେଇଛି କରୋନା । ଏହାକୁ ମିଶାଇ ଦେଶରେ କରୋନା ଜନିତ ମୋଟ୍ ମୃତ୍ୟୁ ସଂଖ୍ୟା ୫୯ ହଜାର ୪୪୯କୁ ବୃଦ୍ଧି ପାଇଛି । ସେହିପରି ଗତ ୨୪ ଘଣ୍ଟା ଭିତରେ ଆଉ ୬୭ ହଜାର ୫୧୫ ନୂଆ କେସ୍ ସାମ୍ନାକୁ ଆସିବା ସହ ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩୨ ଲକ୍ଷ ପାର୍ କରିଛି । ମୋଟ ଭାବେ ଦେଖିବାକୁ ଗଲେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୨ ଲକ୍ଷ ୩୪ ହଜାର ୪୭୫ରେ ପହଞ୍ଚିଛି । ଏମଧ୍ୟରୁ ଆକ୍ଟିଭ୍ କେସ୍ ୭ ଲକ୍ଷ ୭ ହଜାର ୨୬୭ ରହିଥିବା ବେଳେ ସୁସ୍ଥ ହେଲେଣି ୨୪ ଲକ୍ଷ ୬୭ ହଜାର ୭୫୯ ଜଣ ଆକ୍ରାନ୍ତ । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି ହୋଇଥିବା ତଥ୍ୟ ଅନୁଯାୟୀ ଦେଶରେ ସୁସ୍ଥତା ହାର ବଢି ୭୬.୩୦ ପ୍ରତିଶତରେ ପହଁଚିଥିବା ବେଳେ ମୃତ୍ୟୁ ହାର ୧.୮୪ ପ୍ରତିଶତକୁ ହ୍ରାସ ପାଇଛି ।
ଯେବେକି ୨୧.୮୭ ପ୍ରତିଶତ ରୋଗୀଙ୍କର ଚିକିତ୍ସା ଚାଲିଛି । ଗତ ୨୪ ଘଣ୍ଟା ଭିତରେ ମୃତ୍ୟୁ ଘଟିଥିବା ୧୦୫୯ ଜଣଙ୍କ ମଧ୍ୟରୁ ମହାରାଷ୍ଟ୍ରରୁ ୩୨୯ ଜଣ ଥିବା ବେଳେ, କର୍ଣ୍ଣାଟକରୁ ୧୪୮ ଜଣ, ତାମିଲନାଡ଼ୁରୁ ୧୦୭ ଜଣ, ଆନ୍ଧ୍ର ପ୍ରଦେଶରୁ ୯୨ ଜଣ, ଉତ୍ତର ପ୍ରଦେଶରୁ ୭୨ ଜଣ, ପଶ୍ଚିମ ବଙ୍ଗରୁ ୫୮ ଜଣ, ପଞ୍ଜାବରୁ ୪୯ ଜଣ, ଗୁଜୁରାଟରୁ ୨୦, ମଧ୍ୟପ୍ରଦେଶରୁ ୧୯ ଜଣ ଅଛନ୍ତି ।
କୋଭିଡ୍-19 ଟିକାର ସମ୍ଭାବ୍ୟ ଉତ୍ପାଦନ ପାଇଁ ଭାରତ-ରୁଷିଆ ମଧ୍ୟରେ କଥାବାର୍ତ୍ତା ଜାରି ରହିଛିି । ମସ୍କୋର ଗାମେଲିଆ ପ୍ରତିଷ୍ଠାନ ଦ୍ୱାରା ପ୍ରସ୍ତୁତ ସ୍ଫୁଟିନିକ୍-ଭି ନେଇ କଥାବାର୍ତ୍ତା ଚାଲିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ସୂଚନା ଦେଇଛନ୍ତି । ଏନେଇ ରୁଷିଆ ସରକାରଙ୍କଠାରୁ ପ୍ରାରମ୍ଭିକ ସୂଚନା ମିଳିଥିବା ବେଳେ କିନ୍ତୁ ଏନେଇ ସବିଶେଷ ସୂଚନାକୁ ଅପେକ୍ଷା କରାଯାଇଛି । ରୁଷିଆ ଟିକା ବ୍ୟବହାର ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଗତ ଅଗଷ୍ଟ ୧୧ ତାରିଖରେ ଘୋଷଣା କରିଥିଲେ । ଏହା ପରେ ଭାରତ ସରକାର ଏଦିଗରେ ଯୋଗାଯୋଗରେ ଥିବା ସ୍ୱାସ୍ଥ୍ୟ ସଚିବ ସୂଚନା ଦେଇଛନ୍ତି । ଏପଟେ ଦେଶରେ ବର୍ତ୍ତମାନ ତିନିଟି ଭ୍ୟାକ୍ସିନ ହ୍ୟୁମାନ ଟ୍ରାଏଲର ବିଭିନ୍ନ ପର୍ଯ୍ୟାୟରେ ରହିଛି ।