UGC NET ପାଇଁ ଆବେଦନ ଆରମ୍ଭ, ମାର୍ଚ୍ଚ ୨ ଯାଏଁ କରିପାରିବେ ଆବେଦନ; ଦେଖନ୍ତୁ ନୋଟିଫିକେସନ୍
ୟୁଜିସି ନେଟ୍ ଡିସେମ୍ବର ୨୦୨୦(ମେ ୨୦୨୧) ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଥିବା ପ୍ରାର୍ଥୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର। ୟୁଜିସି ନେଟ୍ ଡିସେମ୍ବର ୨୦୨୦(ମେ ୨୦୨୧ ଚକ୍ର) ପାଇଁ ଅନ୍ଲାଇନ୍ ଆବେଦନ ପ୍ରକିୟା ୨ ଫେବ୍ରୁଆରୀ ୨୦୨୧ରୁ ଆରମ୍ଭ ହୋଇଛି। ଇଚ୍ଛୁକ ପ୍ରାର୍ଥୀ ଜାତୀୟ ପରୀକ୍ଷା ଏଜେନ୍ସି(ଏନ୍ଟିଏ)ର ୟୁଜିସି ନେଟ୍ ପରୀକ୍ଷା ପୋର୍ଟାଲ, ugcnet.nta.ac.in କୁ ଯାଇ ଆବେଦନ କରିପାରିବେ। ଅନ୍ଲାଇନ୍ ଆବେଦନ ପ୍ରକ୍ରିୟା ୨ ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ ଚାଲିବ।
ୟୁଜିସି ନେଟ୍ର ଡିସେମ୍ବର ୨୦୨୦ ସଂସ୍କରଣ ମେ ୨୦୨୧ରେ ଅନୁଷ୍ଠିତ ହେବ। ୨ରୁ ୭ ମେ, ୧୦ରୁ ୧୨ ମେ, ୧୪ ମେ ଓ ୧୭ ମେ ୨୦୨୧ରେ ଜାତୀୟ ପରୀକ୍ଷା ଏଜେନ୍ସି ଦ୍ୱାରା ପରୀକ୍ଷା ଆୟୋଜିତ ହେବ। ଏନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଡା.ରମେଶ ପୋଖରିଆଲ ନିଶଙ୍କ ମଙ୍ଗଳବାର ସୂଚନା ଦେଇଛନ୍ତି। ଏଥିସହ ଶିକ୍ଷା ମନ୍ତ୍ରୀ ୟୁଜିସି ନେଟ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହେବା ନେଇ ମଧ୍ୟ ସୂଚନା ଦେଇଛନ୍ତି।
ପ୍ରକାଶ ଯେ କରୋନା ଯୋଗୁ ବର୍ଷକୁ ଦୁଇଥର ଆୟୋଜିତ ହେଉଥିବା ନେଟ୍ ପରୀକ୍ଷା ଗତ ବର୍ଷ ହୋଇନଥିଲା। ୨୦୨୦ ମସିହାରେ କରୋନା ମହାମାରୀ ଯୋଗୁ ଜୁନ୍ର ପରୀକ୍ଷା ହେବାରେ ଡେରି ହୋଇଥିଲା ଓ ପରେ ପରୀକ୍ଷାର ଆୟୋଜନ ୧୬ ସେପ୍ଟେମ୍ବରରୁ ୧୮ ସେପ୍ଟେମ୍ବର ଓ ୨୧ ସେପ୍ଟେମ୍ବରରୁ ୨୫ ସେପ୍ଟେମ୍ବର ମଧ୍ୟରେ ହୋଇଥିଲା। ଜୁନ୍ ପରୀକ୍ଷା ବିଳମ୍ବରେ ହୋଇଥିବାରୁ ୟୁଜିସି ନେଟ୍ ଡିସେମ୍ବର ୨୦୨୦ ପରୀକ୍ଷାର ଆୟୋଜନ ମଧ୍ୟ ଡେରିରେ ହୋଇଛି। ଏହି କ୍ରମରେ ଶିକ୍ଷା ମନ୍ତ୍ରୀ ୟୁଜିସି ନେଟ୍ ଡିସେମ୍ବରର ୨୦୨୦ ପରୀକ୍ଷାକୁ ମେ ୨୦୨୧ ଚକ୍ରରେ କରିବା ନେଇ ସୂଚନା ଦେଇଛନ୍ତି।