ରାତି ଅଧରେ କମଲ ହାସନ୍‌ଙ୍କ ଗାଡ଼ି ଉପରକୁ ଆକ୍ରମଣ ଉଦ୍ୟମ, ବନ୍ଧା ହେଲା ଅଭିଯୁକ୍ତ

ଅଭିନେତାରୁ ନେତା ସାଜିଥିବା କମଲ ହାସନ୍‌ଙ୍କ ଗାଡ଼ି ଉପରେ ଜଣେ ବ୍ୟକ୍ତି ଆକ୍ରମଣ କରିବାକୁ ଉଦ୍ୟମ କରିଛନ୍ତି। ମକ୍କଲ ନିଧି ମଧ୍ୟମ ପାର୍ଟିର ମୁଖ୍ୟ ହାସନ୍‌ ରବିବାର ରାତିରେ ନିର୍ବାଚନୀ ସଭାରୁ ଫେରୁଥିବା ବେଳେ ଜଣେ ଯୁବକ ତାଙ୍କ ଗାଡ଼ିର ଡୋର୍‌ ଖୋଲି ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ। ଅନ୍ୟପଟେ ପାର୍ଟିର କର୍ମକର୍ତ୍ତା ମଧ୍ୟ ଉକ୍ତ ବ୍ୟକ୍ତିଙ୍କୁ ବେଶ୍‌ ଉତ୍ତରମଧ୍ୟମ ଦେଇଥିବା ଜଣାଯାଇଛି।

ମିଳିଥିବା ସୂଚନାନୁସାରେ, କମଲ ହାସନ୍‌ କାଞ୍ଚୀପୁରମ୍‌ରୁ ନିର୍ବାଚନୀ ପ୍ରଚାର ସାରି ଚେନ୍ନାଇ ଫେରୁଥିଲେ। ଏହି ସମୟରେ ଜଣେ ଯୁବକ ଅଚାନକ ତାଙ୍କ ଗାଡ଼ି ପାଖକୁ ଚାଲି ଆସି ଡୋର ଖୋଲି ତାଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲା। ମାତ୍ର ଦଳୀୟ କର୍ମୀମାନେ ତାକୁ ଧରି ପକାଇଥିଲେ ଓ ପ୍ରବଳ ପିଟିଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଗିରଫ କରିଛି।

ପୋଲିସର କହିବାନୁସାରେ, ଉକ୍ତ ଯୁବକ ନିଶାସକ୍ତ ଅବସ୍ଥାରେ ଥିଲା। ପ୍ରଚୁର ମଦ ପିଇଥିବା ଯୋଗୁଁ ସେ ହିତାହିତ ଜ୍ଞାନ ଭୁଲି କମଲ ହାସନ୍‌ଙ୍କ ଗାଡ଼ି ଉପରକୁ ଆକ୍ରମଣ କରୁଥିଲା। ଅଧିକ ତଦନ୍ତ ପରେ ଏହା ପଛରେ ଆଉ କିଛି କାରଣ ଅଛି କି ନାହିଁ ତାହା ଜଣାପଡ଼ିବ ବୋଲି ପୋଲିସ କହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.