ଭଗବାନ ଶିବ କାହିଁକି ବସନ୍ତି ବାଘଛାଲ ଉପରେ, ଜାଣନ୍ତୁ ଏହା ପଛରେ ଥିବା ମାହାତ୍ମ୍ୟ ସମ୍ପର୍କରେ
ହିନ୍ଦୁ ପରମ୍ପରାରେ ଥିବା ତ୍ରିଦେବଙ୍କ ମଧ୍ୟରୁ ମହାଦେବଙ୍କ ସ୍ଥାନ ଖୁବ ସ୍ୱତନ୍ତ୍ର। ବ୍ରହ୍ମା ସୃଷ୍ଟି କର୍ତ୍ତା ହେଲେ ବିଷ୍ଣୁ ପାଳନ କର୍ତ୍ତା ଓ ସ୍ୱୟଂ ମହଦେବ ସୃଷ୍ଟିର ସଂହାର କର୍ତ୍ତା। ସହସ୍ରନାମରେ ମହାଦେବ ଏ ଧରାପୃଷ୍ଠରେ ପୂଜା ପାଆନ୍ତି। ତନ୍ତ୍ର ସାଧନାରେ ଭୋଳାନାଥ ଭୈରବ ରୂପରେ ପୂଜା ପାଆନ୍ତି। ସେହିପରି ସନାନତ ଧର୍ମାବଲମ୍ବୀ ଲୋକ ଶୈବ ଉପାସନା କରିଥାନ୍ତି। ବେଦରେ ମହାଦେବଙ୍କୁ ରୁଦ୍ର ରୂୂପରେ ପୂଜା କରାଯାଏ। ସାଧାରଣତଃ ଶିବ ଯୋଗୀ ରୂପରେ ପ୍ରତିଷ୍ଠା ପାଇଛନ୍ତି।
ଉଭୟ ଶିବଲିଙ୍ଗ ଓ ମୂର୍ତ୍ତିରେ ଆମେ ଭଗବାନ ଭୋଳାନାଥଙ୍କୁ ପୂଜା କରିଥାଉ। ତାଙ୍କ ସହ ରହିଥାନ୍ତି ମାତା ପାର୍ବତୀ, ପୁତ୍ର କାର୍ତ୍ତିକ ଓ ଗଣେଶ। ଶିବଙ୍କ ଗଳାରେ ନାଗ ଦେବତା ବାସୁକୀ ମଧ୍ୟ ବିରାଜମାନ କରିଥାନ୍ତି। ହେଲେ ଭଗବାନ ଶଙ୍କର ନିଜ ଶରୀରରେ ଯାହା ଧାରଣ କରନ୍ତି ତାହାର ଏକ ବିଶେଷ ମହତ୍ୱ ରହିଥାଏ। ସେ ଧାରଣ କରିଥିବା ବସ୍ତୁମାନଙ୍କ ମଧ୍ୟରେ ରହିଛି ଅନେକ ରହସ୍ୟ।
ଆଜି ଆମେ ଭଗବାନ ଶଙ୍କରଙ୍କ ଭକ୍ତଙ୍କୁ ଶମ୍ଭୁନାଥଙ୍କ ସହ ଜଡିତ କିଛି ରହସ୍ୟ ସଂପର୍କରେ କହିବୁ। ସେ ଧାରଣ କରିଥିବା ଅନେକ ବସ୍ତୁ ଯାହାର ରହିଛି ଅନେକ ବିଶେଷତ୍ୱ। ତ୍ରିନେତ୍ର, ଡମ୍ବରୁ, ତ୍ରିଶୁଳ,ଗଳାରେ ଥିବା ସାପ, ବାଘ ଛାଲ ଆଦି ଏଥିରେ ଅନ୍ତର୍ଗତ। ଆମେ ସମସ୍ତେ ଭଗବାନ ଶଙ୍କରଙ୍କୁ ବାଘ ଛାଲ ଉପରେ ବସିଥିବାର ଦେଖିଛେ। ଏଥିପାଇଁ ତାଙ୍କୁ ବାଘାମ୍ବର ମଧ୍ୟ କୁହାଯାଏ। ମାତ୍ର ଏହା ପଛରେ ଥିବା ରହସ୍ୟ ସଂପର୍କରେ ଆମେ ଆପଣଙ୍କୁ ଆଜି କହିବୁ।
ମହାଦେବ ବାଘଛାଲ ଉପରେ ବସିବା ପଛରେ ରହିଛି ଏକ ପୌରାଣିକ କାହାଣୀ। ଦିନେ ଶ୍ରୀହରି ବିଷ୍ଣୁ ହିରଣ୍ୟକଶ୍ୟପଙ୍କ ବଧ କରିବା ପାଇଁ ନରସିଂହ ଅବତାର ଧାରଣ କରିଥିଲେ। ଏଥିରେ ସେ ଅଧା ନର ଓ ଅଧା ସିଂହ ରୂପ ଧାରଣ କରିଥିଲେ। କୁହାଯାଏ ଯେ, ହିରଣ୍ୟକଶ୍ୟପଙ୍କୁ ବଧ କରିବା ପରେ ଶ୍ରାୀହରି ଅଧିକ ରାଗିଯାଇଥିଲେ। ଏହାକୁ ଦେଖି ଭଗବାନ ଶଙ୍କର ନିଜ ଅଂଶ ବୀରଭଦ୍ରକୁ ନିର୍ଦ୍ଦେଶ ଦେଲେ। ନରସିଂହ ଅବତାରରେ ଥିବା ଶ୍ରହରିଙ୍କ ରାଗ ଶାନ୍ତ କରିବା ପାଇଁ ଭୋଳାନାଥ ଆଦେଶ ଦେଲେ।
ଭଗବାନ ନରସିଂହଙ୍କ ରାଗଶାନ୍ତ କରିବା ପାଇଁ ବୀରଭଦ୍ର ଗରୁଡ଼, ସିଂହ ଓ ମନୁଷ୍ୟ ରୂପ ଧାରଣ କଲେ। ରାଗ ଶାନ୍ତ ନହେବାରୁ ଶେଷରେ ବୀରଭଦ୍ର ଶରମ୍ଭ ପକ୍ଷୀ ରୂପ ଧାରଣ କଲେ। ଶରମ୍ଭ ଭଗବାନ ନରସିଂହଙ୍କୁ ନିଜ ଥଣ୍ଟରେ ଖୁମ୍ପିବାକୁ ଆରମ୍ଭ କଲେ। ପରେ ଭଗବାନ ଶ୍ରୀହରି ଏହି ଅବତାର ତ୍ୟାଗ କଲେ। ପୌରାଣିକ ମାନ୍ୟତା ଅନୁଯାୟୀ ଶେଷରେ ନରସିଂହଙ୍କ ଚମଡ଼ାକୁ ମହାଦେବ ତାଙ୍କ ଆସନ ରୂପେ ବ୍ୟବହାର କରିବା ପାଇଁ ଶ୍ରୀହରି ନିବେଦନ କଲେ। ବିଶ୍ୱାସ ରହିଛି ଯେ, ଏହା ପରଠାରୁ ଭଗବାନ ଶଙ୍କର ନରସିଂହଙ୍କ ଚମଡ଼ାକୁ ନିଜ ଆସନ ରୂପେ ବ୍ୟବହାର କଲେ। ସେବେଠାରୁ ଆମେ ଭୋଳାନାଥଙ୍କୁ ବାଘ ଛାଲ ଉପରେ ବସିଥିବାର ଦେଖୁଛେ ।