ସ୍ପେସ୍ ଷ୍ଟେଶନରେ କପଡ଼ା ଧୋଇବା ପାଇଁ ଡିଟର୍ଜେଣ୍ଟ ପଠାଇବ NASA, ଏବେ ମଇଳା କପଡ଼ାକୁ ମହାକାଶରେ ହିଁ ଫିଙ୍ଗି ଦେଉଛନ୍ତି ଯାତ୍ରୀ
ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ ସ୍ପେସ୍ ଆଡ୍ମିନିଷ୍ଟ୍ରେଶନ(NASA) ଏବେ ମହାକାଶକୁ ଡିଟର୍ଜେଣ୍ଟ ପଠାଇବ। ମହାକାଶଚାରୀମାନଙ୍କ ଚଳଣୀକୁ ଆହୁରି ଆରାମଦାୟକ କରିବା ପାଇଁ ନାସା ଏମିତି କିଛି କରିବାକୁ ଯାଉଛି। ମହାକାଶରେ ଜୀବନ ବହୁତ ମୁସ୍କିଲ ହୋଇଥାଏ। ସେଠାକାର ରହସ୍ୟକୁ ଜାଣିବା ପାଇଁ ଦିନ ଦିନ, ମାସ ମାସ ଧରି ରହୁଥିବା ମହାକାଶଚାରୀମାନେ ବହୁତ ଅଲଗା ପ୍ରକାରର ଜୀବନ ଅତିବାହିତ କରିଥାଆନ୍ତି।
ମାଧ୍ୟାକର୍ଷଣ ଶକ୍ତି ଥିବା କାରଣରୁ ସେମାନଙ୍କ ଖାଦ୍ୟପେୟଠୁ ଆରମ୍ଭ କରି ସବୁ ପ୍ରକାର କାମ ବହୁତ ଅଲଗା ତରିକାରେ ହୋଇଥାଏ। ସେଥି ମଧ୍ୟରୁ ଗୋଟିଏ ହେଉଛି ଲଣ୍ଡ୍ରି। କପଡ଼ା ଧୋଇବା ପାଇଁ ପାଣି ନିହାତି ଆବଶ୍ୟକ ହୋଇଥାଏ। କିନ୍ତୁ ସ୍ପେସ୍ ଷ୍ଟେଶନରେ ଏହା ବହୁତ ସୀମିତ ମାତ୍ରାରେ ରହିଛି। ଏମିତି ସ୍ଥିତିରେ ମହାକାଶଚାରୀଙ୍କୁ କପଡ଼ା ଧୋଇବାରେ ମୁସ୍କିଲର ସାମ୍ନା କରିବାକୁ ପଡ଼ୁଛି।
ମହାକାଶରେ ମଇଳା କପଡ଼ାକୁ କ’ଣ କରନ୍ତି
ଇଣ୍ଟରନ୍ୟାଶନାଲ ସ୍ପେସ୍ ଷ୍ଟେଶନ(ISS)ରେ ଲଣ୍ଡ୍ରୀ ଭଳି ସୁବିଧା ନ ଥିବାରୁ ମହାକାଶଚାରୀମାନେ ଉପଯୋଗ କରିଥିବା ଅର୍ଥାତ୍ ମଇଳା କପଡ଼ାଗୁଡ଼ିକୁ ସେହିଠାରେ ହିଁ ଫିଙ୍ଗି ଦେଇଥାଆନ୍ତି। ଏଥିପାଇଁ ନାସା ପ୍ରତ୍ୟେକ ବର୍ଷ ମହାକାଶକୁ ପ୍ରତି କ୍ରୁ ମେମ୍ବରଙ୍କ ପାଇଁ ୭୨ କିଲୋଗ୍ରାମ(୧୬୦ ପାଉଣ୍ଡ) କପଡ଼ା ପଠାଇଥାଏ।
ମହାକାଶରେ କପଡ଼ା ଧୋଇବା ପାଇଁ ନାସା, ପ୍ରୋକ୍ଟର ଆଣ୍ଡ ଗ୍ୟାମ୍ବଲ(P&G) ସହିତ ହାତ ମିଳାଇଛି। ଏହା ଅଧୀନରେ କମ୍ପାନୀ ଖାସ୍ ପ୍ରକାରର ଡିଜାଇନ କରିଥିବା ଡିଟର୍ଜେଣ୍ଟକୁ ଉପଯୋଗ କରି ପରୀକ୍ଷା ନିରୀକ୍ଷା କରିବ, ଯେପରି ମହାକାଶରେ ଲଣ୍ଡ୍ରୀ ପାଇଁ ମେକାନିଜମ୍ ପ୍ରସ୍ତୁତ କରାଯାଇ ପାରିବ। ମଙ୍ଗଳବାର ପ୍ରୋକ୍ଟର ଆଣ୍ଡ ଗ୍ୟାମ୍ବଲ ଏହି ସହଯୋଗିତା ବିଷୟରେ ଘୋଷଣା କରିଛି।