ବିମାନ ଯାତ୍ରା ସମୟରେ ମହିଳାଙ୍କୁ ଯୌନ ଶୋଷଣ, ନିଜ ଆଡ଼କୁ ଟାଣି ସ୍ପର୍ଶ କରୁଥିଲେ ଅଙ୍ଗ, ଆମେରିକାରେ ଭାରତୀୟ ନାଗରିକଙ୍କୁ ମିଳିଲା କଠୋର ଦଣ୍ଡ

ବିମାନ ଯାତ୍ରା ସମୟରେ ଯୌନ ଶୋଷଣ କରିବା ଅଭିଯୋଗରେ ଆମେରିକୀୟ ଫେଡେରାଲ ଜୁରୀ ୨୯ ବର୍ଷୀୟ ଜଣେ ଭାରତୀୟ ନାଗରିକଙ୍କୁ ଦୋଷୀ ସାବ୍ୟସ୍ତ କରିଛି। ଏହି ମାମଲାରେ ତାଙ୍କୁ ୨ ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଯାଇଛି। ଅଭିଯୁକ୍ତଙ୍କ ନାଁ ଶିବା କେ. ଦୁର୍ବେସୁଲା।

ମାମଲାର ସମସ୍ତ ପ୍ରମାଣ ଏବଂ ପ୍ରତ୍ୟେକ୍ଷଦର୍ଶୀଙ୍କ ବୟାନ ମୁତାବକ, ୨୩ ଜୁନ୍‌, ୨୦୧୯ରେ ଦୁର୍ବେସୁଲା ଶିକାଗୋର ଓହାରେ ବିମାନବନ୍ଦରରୁ ମିର୍ଟଲ ବିଚ ଯାଉଥିବା ବିମାନର ଯାତ୍ରୀ ଥିଲେ। ଯାତ୍ରା ସମୟରେ ଦୁର୍ବେସୁଲା ୨୨ ବର୍ଷୀୟା ଜଣେ ମହିଳାଙ୍କୁ ଯୌନ ଉତ୍ପୀଡ଼ନ କରିଥିଲେ, ଯିଏକି ତାଙ୍କ ପାଖ ସିଟ୍‌ରେ ବସିଥିଲେ।

ପୀଡ଼ିତାଙ୍କ ବୟାନ ଅନୁସାରେ, ଦୁର୍ବେସୁଲା ତାଙ୍କୁ ନିଜ ଆଡ଼କୁ ଟାଣୁଥିଲେ ଏବଂ ଉଡ଼ାଣ ସମୟରେ ତାଙ୍କ ଅଙ୍ଗକୁ ବାରମ୍ବାର ସ୍ପର୍ଶ କରୁଥିଲେ। କୋର୍ଟ ରେକର୍ଡ ଦର୍ଶାଇଛି କି, ବିମାନ ଚାଳକ ଦଳର ସଦସ୍ୟ ଦୁର୍ବେସୁଲାଙ୍କୁ ପୀଡ଼ିତାଙ୍କ ପାଖରୁ ହଟାଇବା ସତ୍ତ୍ୱେ ସେ ପୁଣିଥରେ ନିଜ ପୁରୁଣା ସିଟ୍‌ରେ ବସିବାକୁ କହିଥିଲେ, ଯେପରି ପୀଡ଼ିତାଙ୍କ ସହ ପୁଣି କଥାବାର୍ତ୍ତା ହୋଇପାରିବେ।

ଦୁଇ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇବା ସହିତ କୋର୍ଟ ଦୁର୍ବେସୁଲାଙ୍କ ଉପରେ ୫,୦୦୦ ଡଲାରର ଜରିମାନା ଲଗାଇଛନ୍ତି। ଏତଦ୍‌ବ୍ୟତୀତ ଜେଲ୍‌ରୁ ବାହାରିବା ପରେ ମଧ୍ୟ ୧୦ ବର୍ଷ ପର୍ଯ୍ୟନ୍ତ ତାଙ୍କ ଉପରେ ନଜର ରଖିବାକୁ କୋର୍ଟ ଆଦେଶ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.