ଇପିଏଫ୍ଓ: ପିଏଫ୍ ଆକାଉଣ୍ଟ ସହ ଜଡ଼ିତ ଏହି କାମ ଆଜି ହିଁ କରି ନିଅନ୍ତୁ, ନଚେତ୍ କମ୍ପାନୀର ପଇସା ଆପଣଙ୍କ ଖାତାରେ ହେବ ନାହିଁ ଜମା
ଯଦି ଆପଣ ଚାକିରିଆ ଏବଂ ପିଏଫ୍ରେ ଯୋଗଦାନ କରୁଛନ୍ତି, ତ ଆପଣଙ୍କ ପାଇଁ ଏକ ଜରୁରୀ ଖବର। ଆସନ୍ତା ସେପ୍ଟେମ୍ବର ୧ ସୁଦ୍ଧା ଆପଣ ୟୁନିଭର୍ସାଲ ଆକାଉଣ୍ଟ ନମ୍ବର(ୟୁଏଏନ୍)କୁ ଆଧାର ସହ ଲିଙ୍କ୍ କରାଇ ନିଅନ୍ତୁ, ନହେଲେ ଆପଣଙ୍କୁ ପଇସା ଉଠାଇବାରେ ସମସ୍ୟା ହେବ। କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ(ଇପିଏଫ୍ଓ) ତରଫରୁ କୁହାଯାଇଛି କି, ୟୁଏଏନ୍କୁ ଆଧାର ଲିଙ୍କ୍ ନ କଲେ ପିଏଫ୍ ଖାତାରେ କମ୍ପାନୀର ଯୋଗଦାନ ରହିପାରିବ ନାହିଁ। ଅର୍ଥାତ୍ କମ୍ପାନୀ ତରଫରୁ ମିଳିବାକୁ ଥିବା ଲାଭକୁ ରୋକି ଦିଆଯିବ।
ପୂର୍ବରୁ ଇପିଏଫ୍ଓ, ୟୁଏଏନ୍କୁ ଆଧାର ସହ ଲିଙ୍କ୍ କରାଇବାର ଶେଷ ତାରିଖ ଗତ ଜୁନ୍ ୧କୁ ଧାର୍ଯ୍ୟ କରିଥିଲା। ପରେ ଏହାକୁ ବଢ଼ାଇ ସେପ୍ଟେମ୍ବର ୧ କରି ଦିଆଯାଇଛି।
ୟୁଏଏନ୍ ଆକାଉଣ୍ଟକୁ କେମିତି କରାଇବେ ଲିଙ୍କ୍
ଇପିଏଫ୍ଓ ଅନୁସାରେ, କର୍ମଚାରୀ ବିଭିନ୍ନ ଉପାୟରେ ନିଜ ଆଧାରକୁ ୟୁଏଏନ୍ ସହ ଲିଙ୍କ୍ କରାଇ ପାରିବେ। ଏଥିରେ ଅନ୍ଲାଇନ ଏବଂ ଅଫ୍ଲାଇନର ଅତିରିକ୍ତ, ଏସ୍ଏମ୍ଏସ୍, ଇ-ମେଲ ଏବଂ ଟେଲିଫୋନ ସେବା ଉପଲବ୍ଧ ରହିଛି। ଇପିଏଫ୍ଓ ସମସ୍ତ ସଦସ୍ୟ ଏବଂ କମ୍ପାନୀକୁ ଅପିଲ କରିଛି କି, ଆସନ୍ତା ୧ ସେପ୍ଟେମ୍ବର ସୁଦ୍ଧା ୟୁଏଏନ୍ ସହ ଆଧାର ଲିଙ୍କ୍ କରେଇବାର ପ୍ରକ୍ରିୟା ପୂରା କରି ନିଅନ୍ତୁ। ସୋସିଆଲ ସିକ୍ୟୁରିଟି କୋଡ୍ ଅଧୀନରେ ଏହି ପ୍ରକ୍ରିୟା ପୂରା ହେଉଛି। ଏହି କୋଡ୍କୁ ଗତବର୍ଷ ସଂସଦ ପାସ୍ କରିଥିଲା।
୧. ପ୍ରଥମେ ଇପିଏଫ୍ଓ େଓ୍ଵବ୍ସାଇଟ www.epfindia.gov.inକୁ ଯାଆନ୍ତୁ।
୨. ଏଠାରେ ଅନଲାଇନ ସର୍ଭିସେଜ୍ ଟ୍ୟାବ୍କୁ ଯାଇ ଇ-କେଓ୍ଵାଇସି ପୋର୍ଟାଲରେ କ୍ଲିକ୍ କରନ୍ତୁ।
୩. ଏଠାରେ ଆପଣଙ୍କ ଆଧାର ନମ୍ବର ଲେଖନ୍ତୁ ଏବଂ ଓଟିପି ଅର୍ଥାତ୍ ଓ୍ଵାନ୍ ଟାଇମ୍ ପାସଓ୍ଵାର୍ଡ ଲେଖନ୍ତୁ।
୪. ଓଟିପି ଲେଖିବା ପରେ ଆଧାର ନମ୍ବର ପୁଣିଥରେ ଲେଖନ୍ତୁ ଏବଂ ଓଟିପିକୁ ଭେରିଫାଏ କରନ୍ତୁ।
୫. ଏହି ପ୍ରକ୍ରିୟା ପୂରା ହେବା କ୍ଷଣି ଆପଣଙ୍କ ପିଏଫ୍ ଆକାଉଣ୍ଟ ଆଧାର ସହ ଲିଙ୍କ୍ ହୋଇଯିବ।