କରୋନା ଟିକା ନେବାକୁ ମନା କରିବାରୁ ଘରର ବିଜୁଳି ଓ ପାଣି କାଟିଦେଲେ ସରକାରୀ ଅଧିକାରୀ, ନେଇଗଲେ ରାସନ କାର୍ଡ
କରୋନାକୁ ମାତ୍ ଦେବା ପାଇଁ ଦେଶବ୍ୟାପୀ ଟିକାଦାନ ପ୍ରକ୍ରିୟା ଜୋରସୋରରେ ଚାଲିଛି। ଲୋକଙ୍କୁ କରୋନା ଭାଇରସ୍ କବଳରୁ ମୁକ୍ତ କରିବା ପାଇଁ ସରକାର ଏଥିପ୍ରତି ଅଧିକ ଗୁରୁତ୍ୱ ଦେଉଛନ୍ତି। ତେବେ ଟିକାକରଣକୁ ନେଇ ଶୁକ୍ରବାର ଦିନ ମଧ୍ୟ ପ୍ରଦେଶର ବଡ଼ବାନୀରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଏଠାରେ ଟିକା ନେବାକୁ ମନା କରିବାରୁ ଏକ ପରିବାରର ବିଜୁଳି ଓ ପାଣି କନେକ୍ସନ୍ କାଟି ଦିଆଯାଇଥିବା ଜଣାଯାଇଛି।
ପରିବାର ଲୋକଙ୍କ ଅଭିଯୋଗ ମୁତାବକ, ତାଙ୍କ ଘରେ ୩ ଜଣ ରୁହନ୍ତି। କିଛି ଦିନ ତଳେ ପରିବାରର ସଦସ୍ୟଙ୍କୁ ଆଲର୍ଜି ହୋଇଥିଲା। ଏଣୁ ସେମାନେ କରୋନା ଟିକା ନେଇନଥିଲେ। ଶୁକ୍ରବାର ସକାଳେ ଏସ୍ଡିଏମ୍, ସିଏମ୍ଓ ଓ ଟିକାଦାନ କରୁଥିବା ଟିମ୍ ତାଙ୍କ ଘରକୁ ଆସିଥିଲେ। ସେମାନେ ଘର ଲୋକଙ୍କୁ ଟିକା ନେବାକୁ କହିଥିଲେ। କିନ୍ତୁ ଆଲର୍ଜି ଯୋଗୁ ସେମାନେ ଏବେ ଟିକା ନେବେନି ୨୮ ତାରିଖରେ ନେବେ ବୋଲି କହିଥିଲେ। କିନ୍ତୁ ଏହି ଟିମ୍ ତାଙ୍କ ଉପରେ ଟିକା ନେବାକୁ ଚାପ ପକାଇଥିଲେ। ଘର ଲୋକ ରାଜି ନ ହେବାରୁ ସେମାନେ ଘରର ବିଜୁଳି ଓ ପାଣି କନେକସନ୍ କାଟିଦେବା ସହ ରାସନ କାର୍ଡ ନେଇଯାଇଛନ୍ତି ବୋଲି ମହିଳା ଜଣକ ଅଭିଯୋଗ କରିଛନ୍ତି।
ତେବେ ଏନେଇ ବଡ଼ବାନୀର ଏସ୍ଡିଏମ୍ ଘନଶ୍ୟାମ ଧନଗର କହିଛନ୍ତି, ଲୋକଙ୍କୁ ଟିକା ନେବା ପାଇଁ ପରାମର୍ଶ ଦେଉଛୁ ଓ ଚାଉଳ ବି ବାଣ୍ଟୁଛୁ। ଲୋକମାନେ ମଧ୍ୟ ଖୁବ୍ ଆଗ୍ରହର ସହ ଏଥିରେ ଅଂଶଗ୍ରହଣ କରୁଥିବା ଦେଖିବାକୁ ମିଳିଛି। କିନ୍ତୁ କିଛି ଲୋକ ଟିକା ନେବାକୁ ମନା କରୁଛନ୍ତି। ଯଦି ସେମାନଙ୍କ ସହ ଆମ ଟିମ୍ ଖରାପ ବ୍ୟବହାର କରିଥିବା ଅଭିଯୋଗ ହେଉଛି ତେବେ ଏନେଇ ଯାଞ୍ଚ କରାଯିବ ବୋଲି ସେ କହିଛନ୍ତି। ଅନ୍ୟପଟେ ଏନେଇ ଖବର ପ୍ରସାରଣ ହେବା ପରେ ପୁଣିଥରେ ଉକ୍ତ ମହିଳାଙ୍କ ଘରେ ବିଜୁଳି ଓ ପାଣି ସଂଯୋଗ ଦିଆଯାଇଥିବା ଜଣାଯାଇଛି।